ବୁର୍ଲା : ଗୁରୁବାର ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଉତ୍ସବ ଅବସରରେ ବିଶିଷ୍ଟ ଗୁଜୁରାଟୀ କବି କମଳ ଭୋରାଙ୍କୁ ମର୍ଯ୍ୟାଦାଜନକ ଗଂଗାଧର ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ କବି ଶ୍ରୀ ଭୋରା ଭର୍ଚୁଆଲ ମୋଡରେ ଯୋଗ ଦେଇ କହିଥିଲେ, କବିତା ବଞ୍ଚିଲେ ଭାଷା ବଞ୍ଚିବ ଏବଂ ଭାଷା ବଞ୍ଚି ରହିଲେ ମାନବ ଜାତି ବଂଚି ରହିବେ। ବହୁ ବିଶିଷ୍ଟ କବି ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଛନ୍ତି। କିମ୍ବଦନ୍ତି କବି ଗଙ୍ଗାଧର ମେହେରଙ୍କ ନାମ ପରେ ପ୍ରତିଷ୍ଠିତ ଏହି ସମ୍ମାନ ଗ୍ରହଣ କରି ମୁଁ ନିଜକୁ ଗର୍ବ ଅନୁଭବ କରୁଛି। ଏଭଳି ସମ୍ମାନ ନିମନ୍ତେ ସବୁ ଗୁଜରାଟୀ ଭାଷାଭାଷୀ ଲୋକଙ୍କ ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ କୃତଜ୍ଞତା ଜଣାଉଛି ବୋଲି ବୋଲି ଶ୍ରୀ ଭୋରା କହିଥିଲେ। ସମ୍ମାନ ସ୍ବରୂପ ଶ୍ରୀ ଭୋରାଙ୍କୁ ଅଙ୍ଗବସ୍ତ୍ର ସହିତ ନଗଦ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।
କରୋନା କଟକଣାକୁ ଦୃଷ୍ଟିରେ ରଖି ଆୟୋଜିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଭର୍ଚୁଏଲ ମୋଡ଼ରେ ଯୋଗଦେଇଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦେଶର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ହେବାର ସାମର୍ଥ୍ୟ ରଖୁଛି। ଏହି ବିଶ୍ବବିଦ୍ୟାଳୟର ଜଣେ ପୁରାତନ ଛାତ୍ର ହିସାବରେ ସେ ଗର୍ବିତ ବୋଲି ଶ୍ରୀ ତ୍ରିପାଠୀ ଏହି ଅବସରରେ କହିଥିଲେ। ସମ୍ମାନିତ ଅତିଥି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳାଇ ବୁର୍ଲାରେ ଅଧ୍ୟୟନ ସମୟରେ ସ୍ମୃତି ମନେ ପକାଇବା ସହିତ କବିତା କ୍ଷେତ୍ରରେ ଏଭଳି ସମ୍ମାନ ପ୍ରଦାନ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଶଂସା କରିଥିଲେ।
ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ନୂଆ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଭର୍ଚୁଆଲ ମୋଡ଼ରେ ଯୋଗ ଦେଇଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର ଉତ୍କର୍ଷତା ସହିତ ଅଧ୍ୟୟନ କ୍ଷେତ୍ରରେ ଛାତ୍ରଛାତ୍ରୀ, ଗବେଷକ ଛାତ୍ରମାନଙ୍କ ଉତ୍କର୍ଷତା ସଂପର୍କିତ ବିବରଣୀ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ସଞ୍ଜତ କୁମାର ସାହୁ ଅତିଥି ପରିଚୟ ଦେଇଥିଲେ। ଏହା ସହିତ ବିଶିଷ୍ଟ କବି, ଲେଖକ, ନାଟ୍ୟକାର, ନିର୍ଦ୍ଦେଶକ ଭାବରେ ରାମକୃଷ୍ଣ ରଥଙ୍କୁ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହା ସହିତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଅଙ୍ଗବସ୍ତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ଶେଷରେ କୁଳସଚିବ ଡ ନୃପରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/92aefc54-4c17-4a87-a5cd-1705cefedbe7.jpg)