ମରଣ ମୁହଁରେ ପ୍ରବାସୀ ଓଡ଼ିଆ : ସୁରତରେ ପିଟି ପିଟି ମାରିଦେଲା ପୁଲିସ!

ଟ୍ରେନ୍ ଟିକଟ୍‌ କଳାବାଜରୀ ନେଇ ଅଭିଯୋଗ କରିଥିଲେ
କମ୍ପାନି ଘରର ତାଲା ଭାଙ୍ଗି ପୁଲିସ ଉଠାଇ ନେଇଥିଲା
ଭିଡିଓ ଜାରି କରି କହି‌ଲେ ସାଥୀ ଶ୍ରମିକ, ତଦନ୍ତ ଦାବି

ବ୍ରହ୍ମପୁର : ଲକ୍‌ଡାଉନ୍‌ ଯୋଗୁଁ ଗୁଜରାଟ ସୁରତର ସୂତାକଳଗୁଡ଼ିକରେ ତାଲା ଝୁଲୁଛି। ରୋଜଗାର ହରାଇ ଲକ୍ଷ ଲକ୍ଷ ଓଡ଼ିଆ ଶ୍ରମିକ ଭୋକ ଉପାସରେ ପଡ଼ିଛନ୍ତି। ଭିଟାମାଟିକୁ ଫେରିବା ଲାଗି ଓ ନିଜ ହାତରୁ ପଇସା ଦେଇ ଟ୍ରେନ୍‌ ଟିକେଟ ଖଣ୍ଡେ ପାଇବା ଲାଗି ସେମାନଙ୍କୁ ଚୋରଚଣ୍ଡାଳ ଅବସ୍ଥା ଭୋଗିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଉପରେ ସେଠାକାରୀ ପୁଲିସର ଜୁଲମ୍‌ ସୀମା ଲଂଘିଛି। ସୁରତ ଆମ୍ରୋଲି ଥାନା ପୁଲିସ ମାଡ଼ରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କୁ ଥାନାରେ ପିଟି ପଟି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ନିକଟ ବରୁଡ଼ା ଗ୍ରାମର ସତ୍ୟ ସ୍ବାଇଁ (୩୫)। ଘରେ ତାଙ୍କର ମାନସିକ ଅନଗ୍ରସର ୫ ବର୍ଷର ପୁଅ ଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି। ସତ୍ୟ ସ୍ୱାଇଁଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ସହ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ ପରିବାରକୁ ସହାୟତା ପାଇଁ ସୁରତର ବିଭିନ୍ନ ଓଡ଼ିଆ ସଂଗଠନ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ହେଲା ଓଡ଼ିଶା ଫେରିବା ପାଇଁ ସୁରତ ଆମ୍ରୋଲି ଥାନାରେ ପ୍ରବାସୀ ଓଡ଼ିଆଙ୍କ ପ୍ରବଳ ଭିଡ଼ ଜମୁଥିଲା। ଟି‌କେଟ୍‌ ମିଳୁ ନଥିବାରୁ ଏବଂ କଳାବଜାର ହେଉଥିବା ଅଭିଯୋଗ କରି ଟିକେଟ୍‌ ଯୋଗାଇବା ବ୍ୟବସ୍ଥା ନେଇ ପ୍ରବାସୀମାନେ ପୁଲିସର ସହଯୋଗ ମାଗୁଥିଲେ। ଗତକାଲି ସଂଧ୍ୟାରେ ଥାନାରେ ପ୍ରବଳ ଭିଡ଼ ଜମିଥିଲା। ପୁଲିସ ସେମାନଙ୍କୁ ଘଉଡ଼ାଇ ଥିଲା। ଏହି ଘଟଣା ପରେ କେତେଜଣ ପୁଲିସ ଅଧିକାରୀ ଆମ୍ରୋଲି ଥାନା ଅନ୍ତର୍ଗତ ଅଂଜନୀ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ରେ ଶ୍ରମିକ ରହୁଥିବା କମ୍ପାନି ଘରର ତାଲା ଭାଙ୍ଗି ପୁଲିସ ଭିତରେ ପଶିଥିଲା ଏବଂ ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ସେଠାରୁ କେତେଜଣଙ୍କୁ ଥାନାକୁ ଉଠାଇ ନେଇଥିଲା। ଭଞ୍ଜନଗର ବାରୁଡ଼ା ଗାଁର ରମେଶ ଡାକୁଆ ଓ ସତ୍ୟ ସ୍ୱାଇଁ କମ୍ପାନିର ଗୋଟିଏ ରୁମ୍‌ରେ ରହୁଥିଲେ। ଦୁହେଁ ଗୋପୀନାଥ ଟେକ୍ସଟାଇଲସ୍‌ରେ କାମ କରୁଥିଲେ। ପୁଲିସ କମ୍ପାନିର କକ୍ଷରେ ପଶି ସତ୍ୟଙ୍କୁ ନିସ୍ତୁକ ମାଡ଼ ମାରି ମାରି ଥାନାକୁ ନେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ହସ୍‌ପିଟାଲରେ ସତ୍ୟ ମରି ଯାଇଥିବା ସ୍ଥାନୀୟ ଲୋକମାନେ ଜାଣିବାକୁ ପାଇଥିଲେ। ପୁଲିସର ନିସ୍ତୁକ ମାଡ଼ରେ ସତ୍ୟଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସତ୍ୟଙ୍କ ରୁମ୍‌ରେ ରହୁଥିବା ରମେଶ ଡାକୁଆ ଏକ ଭିଡିଓ ଜାରି କରି କହିଛନ୍ତି, ଗୋଟିଏ ରୁମ୍‌ରେ ସତ୍ୟ ଓ ସେ ରହୁଥିଲେ। ଗତକାଲି ସନ୍ଧ୍ୟାରେ କୋଠା ତଳକୁ ଯାଇ ବସିଥିଲୁ। ଏ ସମୟରେ ପୁଲିସ ଆସି ଲୋକମାନଙ୍କୁ ଘଉଡ଼ାଉଥିଲା। ଏହା ଦେଖି ଆମେ ଘର ଭିତରକୁ ପଳାଇ ଯାଇଥିଲୁ। କମ୍ପାନିର ସୁରକ୍ଷା କର୍ମୀ ଗେଟ୍‌ରେ ତାଲା ପକାଇ ଦେଇଥିଲା। ତେବେ ପୁଲିସ ସଙ୍ଗେସଙ୍ଗେ ପହଞ୍ଚି ତାଲା ଖୋଲିବାକୁ କହିଥିଲା। କିନ୍ତୁ ସୁରକ୍ଷା କର୍ମୀ ତାଲା ଖୋଲି ନ ଥିଲା। ପୁଲିସ ଜୋରଜବରଦସ୍ତ ସଟର୍‌ ଖୋଲି ଭିତରେ ପଶିଥିଲା ଏବଂ ସବୁ କକ୍ଷକୁ ଯାଇ ଯାଞ୍ଚ କରିଥିଲା। ଆମ ରୁମ୍‌କୁ ପୁଲିସ ପଶି ତାଲା କାହିଁକି ଖୋଲିଲୁ ନାହିଁ କହି ସତ୍ୟଙ୍କୁ ଗାଳିଗୁଲଜ କରିଥିଲା। ସତ୍ୟ କାକୁତିମିନତି ହୋଇ ତାଲା ପକାଇ ନ ଥିବା କହିବା ସ‌ତ୍ତ୍ବେ ୪ରୁ ୫ ଜଣ ପୁଲିସ ଲାଠିରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ପୁଲିସ ଆମ ସମସ୍ତଙ୍କୁ ଅଟୋରେ ଥାନାକୁ ନେଇଥିଲା। କିନ୍ତୁ ସତ୍ୟଙ୍କୁ ପୁଲିସ ଭ୍ୟାନ୍‌ର ପଛପଟେ ବସାଇଥିଲା। ସତ୍ୟ ବସିଥିବା ଭ୍ୟାନ୍‌ ଛାଡ଼ିବା ପୂର୍ବରୁ ପୁଲିସ ଅଟୋରେ ଆମକୁ ନେଇ ଯାଇଥିଲା। ରାତି ପ୍ରାୟ ୧ଟାରେ ଆମକୁ ଛାଡ଼ିଥିଲା। ଏହାପରେ ଘଟଣା କଣ ହୋଇଛି ମୁଁ ଜାଣିନି ବୋଲି ରମେଶ କହିଛନ୍ତି। ମୃତ ସତ୍ୟଙ୍କ ଶାଳକ ମନୋଜ ପ୍ରଧାନ କହିଛନ୍ତି, ସତ୍ୟଙ୍କୁ ପୁଲିସ ଖାତା ପାଖରେ(କମ୍ପାନି ପରିସର)ରେ ହିଁ ପିଟି ପିଟି ମାରି ଦେଇଥିଲା। ସନ୍ଧ୍ୟା ୭ଟା ବେଳେ ଆମ୍ବୁଲାନ୍ସ ଆସି ନେଇଗଲା। ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର