କଟକ: କାଠଯୋଡ଼ିର ନେତାଜୀ ସେତୁ ଉପରେ କାର ଓ ଚପଲ ଛାଡ଼ି ଜଣେ ଗୁଜରାଟୀ ଅନଲାଇନ୍ ଟ୍ରେଡର୍ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟବସାୟୀ ହେଉଛନ୍ତି ତୁଷାର ଭଟ୍ଟ(୩୦)। ତାଙ୍କ ନିଖୋଜ ସଂକ୍ରାନ୍ତରେ ପତ୍ନୀ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଖୋଜାଖୋଜି କରୁଥିବା ବେଳେ ୨୪ ଘଣ୍ଟା ବିତିଯାଇଥିଲେ ବି ତାଙ୍କ ପତ୍ତା ମିଳୁନାହିଁ। ଅନଲାଇନ୍ ଟ୍ରେଡ୍‌ରେ ବଡ଼ ଧରଣର ଆର୍ଥିକ କ୍ଷତି ସହିବାରୁ ସେ ନିଖୋଜ ହୋଇଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗୁଜରାଟର ତୁଷାର ଭଟ୍ଟ ପୁରୀରେ ଏଲିନା ଭଟ୍ଟଙ୍କୁ ବିବାହ କରିଛନ୍ତି। ବିବାହ ପରେ ଭୁବନେଶ୍ବରରେ କିଟ୍ ନିକଟରେ ସେମାନେ ଘର ଭଡ଼ା ନେଇ ରହୁଥିଲେ। ସେ ଗ୍ରାଜୁଏସନ ପରେ ଏକ ବ୍ୟାଙ୍କରେ ଚାକିରି କରିଥିଲେ। ପରେପରେ ଅନଲାଇନ୍ ଟ୍ରେଡିଂ ଆରମ୍ଭ କରିବାରୁ ଭଲ ଲାଭ ହୋଇଥିଲା। ତେଣୁ ସେ ବ୍ୟାଙ୍କ ଚାକିରି ଛାଡ଼ି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବଡ଼ ଧରଣର କ୍ଷତି ହେବାରୁ ସେ ମାନସିକ ଦୁଶ୍ଚିନ୍ତାରେ ଥିବା କୁହାଯାଉଛି। ବୁଧବାର ଦିନ ପ୍ରାୟ ୨ଟା ବେଳେ ସେ କାରରେ ଘରୁ ବାହାରି ଯାଇଥିଲେ।

Advertisment

ବୁଧବାର ସନ୍ଧ୍ୟା ବେଳେ ତାଙ୍କ କାର୍ ବାରଙ୍ଗ ପଟୁ ନେତାଜୀ ସେତୁ ନିକଟରେ ପାର୍କିଂ ହୋଇ ରହିଥିଲା। ଦୀର୍ଘ ସମୟ ଗାଡ଼ି ସେଠାରେ ପାର୍କିଂ ହୋଇ ରହିବାରୁ ସ୍ଥାନୀୟ ଲୋକେ ବାରଙ୍ଗ ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସେଠାରେ ପହଞ୍ଚିଥିବା ବେଳେ ଗାଡ଼ି ଲକ୍ ଥିବା ଜାଣିବାକୁ ପାଇଥିଲା। ଗାଡ଼ିଟିକୁ ପୁଲିସ ଥାନାକୁ ନେଇ ଯାଇଥିଲା। ଅନ୍ୟପଟେ ସେତୁର ପିଲାର ନମ୍ବର ୮୭ ନିକଟରେ ତୁଷାରଙ୍କ ଚପଲ୍ ପଡି ରହିଥିଲା। ତୁଷାରଙ୍କ ପତ୍ନୀ ଏଲିନା କାର୍ ଓ ଚପଲକୁ ଚିହ୍ନଟ କରିଥିଲେ। ଡୁପ୍ଲିକେଟ୍ ଚାବିରେ ଗାଡ଼ି ଖୋଲିବା ପରେ ସେଥିରେ ତାଙ୍କ ମୋବାଇଲ୍ ଫୋନ ଅଥବା ଅନ୍ୟ କୌଣସି ଚିଠି ରହିଛି କି ନାହିଁ ତାହା ଜଣାପଡ଼ିବ ବୋଲି ବାରଙ୍ଗ ଥାନା ପୁଲିସ କହିଛି। ଏଠାରେ ସୂଚନାଯୋଗ୍ୟ ଯେ ଦରଘାବଜାର ଥାନା ଅନ୍ତର୍ଗତ ଓଡ଼ିଆ ବଜାର ଅଞ୍ଚଳରେ ରହୁଥିବା ସ୍କୁଲ ଶିକ୍ଷୟିତ୍ରୀ ମମତା ସାହୁ ମଙ୍ଗଳବାର ରାତିରୁ ଘରୁ ଆସି ନେତାଜୀ ସେତୁରେ ସ୍କୁଟି ରଖି ନିଖୋଜ ହୋଇଯାଇଛନ୍ତି। ଆଜି ସୁଦ୍ଧା ତାଙ୍କର ମଧ୍ୟ ପତ୍ତା ମିଳୁ ନାହିଁ।