ଧୀରେ ଧୀରେ ଦୁର୍ବଳ ହେଉଛି ଗୁଲାବ, ସଂଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ

ଭୁବନେଶ୍ବର : ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପରେ ଥିବା ଗଭୀର ଅବପାତ ଏବେ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆଜି ସକାଳ ସାଢେ ୮ଟା ବେଳେ ଏହା ଦକ୍ଷିଣ-ଓଡ଼ିଶା ଓ ନିକଟବର୍ତ୍ତୀ ଦକ୍ଷିଣ-ଛତିଶଗଡ଼ ଉପରେ ମାଲକାନଗିରିଠାରୁ ୬୫ କିଲୋମିଟର ଉତ୍ତର, ଉତ୍ତର-ପୂର୍ବ ଦିଗରେ ଥିଲା । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ ଦିଗରୁ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନୂଆପଡ଼ା,ବଲାଙ୍ଗୀର, ଗଜପତି, କଳାହାଣ୍ଡି ଓ ଗଞ୍ଜାମର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପକ୍ଷରେ ନିୟମିତ ଭାବେ ଲଘୁଚାପ ହେବା ଫଳରେ ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟର ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର