ଗୁମର ଖୋଲୁଛି ଅଖା ଦୁର୍ନୀତି, ୮ବର୍ଷରେ ୧୮ କୋଟି କେଳେଙ୍କାରୀ

ଜିଲ୍ଲାପାଳଙ୍କ ରିପୋର୍ଟ ତଲବ, ଜିଲ୍ଲା ଯୋଗାଣ ଅଧିକାରୀ ଅଡିଟ୍‌ ପାଇଁ ଲେଖିଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଯୋଗାଣ ବିଭାଗରେ ଅଖା ଦୁର୍ନୀତିର ଗୁମର ଫିଟିବାରେ ଲାଗିଛି। ଅଖା ଦୁର୍ନୀତି ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ କଳାହାଣ୍ଡି ଜିଲ୍ଲାପାଳ ଏନେଇ ରିପୋର୍ଟ ମାଗିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ଯୋଗାଣ ଅଧିକାରୀ ଅଖା ଦୁର୍ନୀତିର ସ୍ୱତନ୍ତ୍ର ଅଡିଟ ପାଇଁ ଚିଠି ଲେଖିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ଜିଲ୍ଲା ଯୋଗାଣ ବିଭାଗରେ ଗତ ୮ ବର୍ଷରେ ଅଖା ଦୁର୍ନୀତିରେ ୧୮ କୋଟିରୁ ଅଧିକ ଟଙ୍କା ଅନିୟମିତତା ହୋଇଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲାରେ ଗତ ୪ ବର୍ଷରେ ୨ କୋଟିରୁ ଅଧିକ ଟଙ୍କା ଦୁର୍ନୀତି ହୋଇଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଯୋଗାଣ ବିଭାଗ ତନାଘନା ଆରମ୍ଭ ହୋଇଥିଲା। ଏନେଇ କଳାହାଣ୍ଡି ଜିଲ୍ଲାପାଳ ସବିଶେଷ ରିପୋର୍ଟ ମାଗିଥିବା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଗତ ୮ ବର୍ଷ ମଧ୍ୟରେ ୧୮ କୋଟିରୁ ଅଧିକ ଟଙ୍କା ଅଖା ଦୁର୍ନୀତି ବାବଦକୁ ହେର୍‌ଫେର ହୋଇଥିବା ଲୋକଲୋଚନକୁ ଆସିଛି। ମିଲର୍ସଙ୍କୁ ଅଖା ବଣ୍ଟନ ନେଇ କାଗଜପତ୍ର ବିଭାଗରେ ଉଭାନ ହେବାନେଇ ଆଲୋଡନ ସୃଷ୍ଟି ହୋଇଛି। ଏଥିଯୋଗୁଁ ଜିଲ୍ଲାପାଳଙ୍କୁ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇନାହିଁ। ଘଟଣାକୁ ଚପାଇ ଦେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ ହୋଇଛି। ଏହି ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଅନ୍ୟତ୍ର ବଦଳି ହୋଇସାରିଛନ୍ତି। ତତ୍କାଳୀନ ଜିଲ୍ଲା ଯୋଗାଣ ଅଧିକାରୀ ଓ ସମ୍ପୃକ୍ତ କର୍ମଚାରୀମାନେ ମିଲର୍ସ ମାନଙ୍କ ନାଁରେ କାଗଜପତ୍ରରେ ମିଥ୍ୟ ତଥ୍ୟ ଦେଇ ବ୍ୟାପକ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ମିଲର୍ସ ମାନଙ୍କ ବିଭିନ୍ନ ଦୋଷ ଦୁର୍ବଳତା ଥିବା ଓ ବିଭାଗୀୟ ଅନୁକମ୍ପା ପାଇବା ଆଶାରେ ଅଖା ଦୁର୍ନୀତି ନେଇ ମୁହଁ ଖୋଲୁନଥିଲେ। ପ୍ରତିବର୍ଷ ଲକ୍ଷ ଲକ୍ଷ ବସ୍ତା ମିଲର୍ସ ମାନଙ୍କୁ ବସ୍ତା ପିଛା ପ୍ରାୟ ୫୨ ଟଙ୍କାରେ ବିଭାଗ ଯୋଗାଇ ଦେଇଥାଏ। ମିଲର୍ସ ମାନଙ୍କୁ ବସ୍ତା ନଦେଇ ଚଞ୍ଚକତା କରି ବିକ୍ରି କରି ଚାଲିଛନ୍ତି। ଗତ କିଛିଦିନ ତଳେ ମିଲର୍ସ ମାନଙ୍କ ନାଁରେ ଅଖା ବାବଦକୁ ପ୍ରାପ୍ୟ ବକେୟା ଥିବା ଜଣା ପଡିବା ପରେ ଅଖା ନନେଇ ଥିବା ମିଲର୍ସ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ସେମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲେ। ବର୍ଷ ବର୍ଷ ଧରି ଅଖା ଦୁର୍ନୀତି ଚାଲିଥିଲେ ମଧ୍ୟ ବିଭାଗୀୟ ଅଡିଟରେ କିପରି ଧରାପଡ଼ିଲା ନାହିଁ, ତାହା ଏବେ ତଦନ୍ତ ସାପେକ୍ଷ ଅଟେ। ସେହିଭଳି ମିଲର୍ସମାନେ ବର୍ଷ ବର୍ଷ ଧରି କିଭଳି ଚୁପ୍‌ ଥିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା ଯୋଗାଣ ବିଭାଗର ଅଖା ଦୁର୍ନୀତି କେଳେଙ୍କାରୀର ଭିଜିଲାନ୍ସ  ତଦନ୍ତ କରାଗଲେ, ଆହୁରି କେତେ ଦୁର୍ନୀତି ହୋଇଛି ଗୁମର ‌ଖୋଲିପାରନ୍ତା ବୋଲି ଚାଷୀ ମହଲରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କୁ ପଚାରିବାରୁ ଅଖା ଦୁର୍ନୀତି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏଥିନେଇ ସବିଶେଷ ରିପୋର୍ଟ ଦେବାକୁ କହିଛନ୍ତି। ଅନ୍ୟପକ୍ଷରେ ଅଖା ଦୁର୍ନୀତିର ଏକ ସ୍ୱତନ୍ତ୍ର ଅଡିଟ ପାଇଁ ଲେଖିଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର