ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଠିକ୍‌ ଭାବେ ତଦନ୍ତ ହେଉନି। ତେଣୁ ଘଟଣାର ତଦନ୍ତ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ଶନିବା କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁ ଉଠୁଥିବାରୁ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ। ଅପରାଧୀ ମନ୍ତ୍ରୀଙ୍କୁ ବଞ୍ଚାଇ, ମଞ୍ଚରେ ବସାଇ ମୁଖ୍ୟମନ୍ତ୍ରୀ ନିଜେ ଅପରାଧୀ ହୋଇଯାଇଛନ୍ତି। ଯେଉଁଥିପାଇଁ ଏବେ ରାଜ୍ୟରେ, ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ଉପରେ ଅଙ୍ଗୁଳି ଉଠିଲାଣି।

Advertisment

ଶ୍ରୀ ଦାସ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡର କାରଣ କେହି କହିପାରୁ ନାହାନ୍ତି। ଯେଉଁ ହତ୍ୟାକାଣ୍ଡ ଘଟିଛି, ତାହା ଅତି ଜଘନ୍ୟ। ସ୍କୁଲ ପରିସରରେ ମୃତଦେହକୁ ପିସ୍‌ ପିସ୍‌ କରି କାଟି ୧୧ଫୁଟର ଗାତ ଖୋଳି ପୋତା ଯାଇଛି। ଏଭଳି ନୃଶଂସ ହତ୍ୟାକାଣ୍ଡକୁ ଘୋଡ଼ାଇଦେବା ଭଳି ଷଡ଼ଯନ୍ତ୍ର ଜଣେ ବ୍ୟକ୍ତି ଦ୍ୱାରା ହୋଇନଥିବ। ଏହି ହତ୍ୟାକାଣ୍ଡ କୌଣସି ଗ୍ରୁପ୍‌ ଦ୍ୱାରା କରାଯାଇଥିବ। ସେହିପରି ୮ତାରିଖରେ ଏହି ଘଟଣା ଘଟିଲା। ୧୯ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ କାହିଁକି ‌ଏନେଇ କିଛି କହିଲେନି। ସ୍ଥାନୀୟ ବିଧାୟକ ଭାବେ ସେ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ତ ଦାବି କରିଥାଇପାରିଥାନ୍ତେ। ସବୁ ପ୍ରମାଣ ନଷ୍ଟ କରିବା ପରେ ପାଟି ଫିଟାଇଲେ। ଅପରପକ୍ଷେ ମମିତା ହତ୍ୟାକୁ ଏତେ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ମମିତା, ମନ୍ତ୍ରୀ, ଗୋବିନ୍ଦ ସାହୁ, ମନ୍ତ୍ରୀଙ୍କ ଡ୍ରାଇଭର, ତାଙ୍କ ପିଏ ଦିନେଶ, ମନ୍ତ୍ରୀଙ୍କ ଅନ୍ତରଙ୍ଗ ମହେଶ ଓ ମହମ୍ମଦ ରୋଷନ୍‌ଙ୍କ କଲ୍‌ ରେକର୍ଡ ଯାଞ୍ଚ କରାଯାଉନି। ପୁଲିସ୍‌ କାହିଁକି ସେମାନଙ୍କ କଲ ରେକର୍ଡ ଯାଞ୍ଚ କରୁନାହିଁ? ଆମେ ଦାବି କରୁଛୁ, ଯଦି ରାଜ୍ୟ ପୁଲିସ ସେମାନଙ୍କ କଲ୍‌ ରେକର୍ଡ ଯାଞ୍ଚ କରୁନାହିଁ, ତାହା ହେଲେ କେନ୍ଦ୍ର ସରକାରଙ୍କ ଟେଲିକମ୍‌ ମନ୍ତ୍ରୀ କଲ ରେକର୍ଡ ଯାଞ୍ଚ କରି ଲୋକଲୋଚନକୁ ଆଣନ୍ତୁ। ଯଦି ବିଜେପି ମମିତାକୁ ନ୍ୟାୟ ଦେବା ପାଇଁ ଚାହୁଁଛି, ତାହାହେଲେ ଆଇଟି ମନ୍ତ୍ରୀଙ୍କୁ କହି ସମସ୍ତ ଅଭିଯୁକ୍ତଙ୍କ ଫୋନ୍‌ କଲ୍‌ ରେକର୍ଡ ସାର୍ବଜନୀନ କରୁ। ସେମାନଙ୍କ କଲ୍ ରେକର୍ଡ ଯାଞ୍ଚ କରାଗଲେ, ପ୍ରକୃତ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଯିବ।

ଶ୍ରୀ ଦାସ କହିଛନ୍ତି, ଆମେ ଆର୍‌ଟିଆଇର ମନ୍ତ୍ରୀଙ୍କ ଟୁର୍‌ ଗସ୍ତ ମାଗିଛୁ। ହେଲେ କୁହାଯାଉଛି ମାସକ ପରେ ମିଳିବ। ଯଦି ମନ୍ତ୍ରୀଙ୍କ ଗସ୍ତ ନେଇ ସବୁ ରେକର୍ଡ ନିୟମିତ ରଖାଯାଉଛି ତେବେ ତୁରନ୍ତ ଦେବାରେ ଅସୁବିଧା କ’ଣ? ଆମକୁ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀଙ୍କ ଗସ୍ତ ‌ଦର୍ଶାଉନି। ଏନେଇ ଆମର ବିଧାୟକ ସନ୍ତୋଷ ସିଂହ ସାଲୁଜା ପୂର୍ବରୁ କହିଛନ୍ତି ଯେ ମନ୍ତ୍ରୀ ଉକ୍ତ ସମୟରେ ରାୟପୁରରେ ଥିଲେ। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ ଟୁର୍‌ ପୋଗ୍ରାମ ମିଳିଗଲେ ବହୁ ତଥ୍ୟ ପଦାକୁ ଆସିଯିବ। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ଚଲାଉଛନ୍ତି, ତୃତୀୟ ମହଲାର ମୁଖ୍ୟ ବ୍ୟକ୍ତିମାନେ, ଯେଉଁମାନେ ୫-ଟି କହୁଛନ୍ତି। ୫-ଟି ନୁହେଁ ୫ ପାପୀ ସେମାନଙ୍କୁ ମୁଁ କହିବି। ପାପପୂର୍ଣ୍ଣ କାମ କରୁଛନ୍ତି, ଆଉ ୫-ଟି ନଁାରେ ଘଣ୍ଟ ଘୋଡ଼ାଉଛନ୍ତି ସେମାନେ ଏଥିରେ ସଂପୃକ୍ତ କି? ଏହିଭଳି କାମକୁ ପ୍ରୋତ୍ସାହନ ଦେଉଛନ୍ତି କି? ଗୋଟିଏ ମମିତା ହୋଇଥିଲେ ଏତେ କଥା ଉଠନ୍ତାନି। ସାରା ରାଜ୍ୟରେ ବହୁ ମମିତା ଏହିଭଳି ଅତ୍ୟାଚାରିତ ହୋଇଛନ୍ତି। ଗୋଟିଏ ଗୋଟିଏ ହୋଇ ଅନେକ ଘଟଣା ଘଟିବାରୁ ଏହି ଅସନ୍ତୋଷ ସୃଷ୍ଟି ହୋଇଛି। କଲେଜକୁ ମୁଁ କେବଳ ଅନୁଦାନ ଦେଇନି। ବହୁ ସାଂସଦ, ବିଧାୟକ ଦେଇଛନ୍ତି। ଯଦି ଅନୁଦାନ ଦେବା ଦୋଷ, ତେବେ ମୁଁ ଦୋଷୀ ବୋଲି ଶ୍ରୀ ଦାସ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ମମିତା ହତ୍ୟା ମାମଲାରେ ବିଜେଡି ଉତ୍ତର ଦେବା ପରିବର୍ତ୍ତେ ବିଜେପି ଓ କଂଗ୍ରେସର ସମ୍ପର୍କକୁ ନେଇ ଯୋଡ଼ୁଛି। ଓଡ଼ିଶା ବନ୍ଦ ନେଇ କଂଗ୍ରେସ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ପ୍ରଭାରୀ, ରାଜ୍ୟର ତୁଙ୍ଗ ନେତାମାନେ ବସି ଓଡ଼ିଶା ବନ୍ଦ ନିଷ୍ପତ୍ତି ନେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଦକୁ ହରତାଳରେ ରୂପାନ୍ତରିତ କରାଯାଇଥିଲା।