ଅଧାବାଟରେ ଅପରେସନ୍‌ : ମିଳିଲା ଘନଶ୍ୟାମଙ୍କ ମୃତଦେହ

କୋରାପୁଟ/ଜୟପୁର : ବୋରିଗୁମ୍ମା ବ୍ଲକ୍‌ ବରିପୁଟ ନିକଟରେ ଥିବା ଗୁମ୍ମା ପଥର କୁଆଁରି ଧସିବା ଦୁର୍ଘଟଣାର ଦୁଇ ସପ୍ତାହ ପରେ ଉଦ୍ଧାରକାରୀ ଦଳକୁ ସାମାନ୍ୟ ସଫଳତା ମିଳିଛି। ପଥର କୁଆଁରି ତଳେ ଦୁଇ ଜଣ ଜେସିବି ଅପରେଟର ଫସି ରହିଥିବା କୁହାଯାଉଥିଲାବେଳେ ଆଜି ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ଦେବଗଡ ଜିଲ୍ଲା ଝାଡକେଣ୍ଡା ଗ୍ରାମର ଘନଶ୍ୟାମ ଗୁରୁ। ଅନ୍ୟ ଜଣଙ୍କର ସନ୍ଧାନ ପାଇଁ ଆଜି ବି ପାହାଡରେ ବ୍ଲାଷ୍ଟିଂ କରାଯାଇଛି। କିନ୍ତୁ ନିଖୋଜ ସଂଜୟ ଦାଶଙ୍କର କୌଣସି ପତ୍ତା ମିଳୁନି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବରିପୁଟ ନିକଟରେ ଥିବା ଗୁମ୍ମା ପଥର କୁଆଁରିରେ ପଥର ଧସିବାରୁ ଗତ ୩୧ ତାରିଖରେ ୨ଜଣ ଜେସିବି ଅପରେଟର ଚାପି ହୋଇଯାଇଥିଲେ। ତା’ ପରଦିନ ଠାରୁ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅପରେସନ୍‌ ୨ ସପ୍ତାହ ପରେ ଆଜି ପ୍ରାୟ ମଧ୍ୟାହ୍ନ ସମୟରେ ଘନଶ୍ୟାମଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ଘନଶ୍ୟାମ ଗୁରୁଙ୍କ ବାପା ଦୁର୍ଯ୍ୟୋଧନ ଗୁରୁ ଘଟଣାସ୍ଥଳକୁ ଯାଇ ମୃତଦେହଟି ତାଙ୍କ ପୁଅର ବୋଲି ଚିହ୍ନଟ କରିଥିଲେ। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ହିଁ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର କଫିନ୍‌ରେ ମୃତଦେହକୁ ଦେବଗଡ ପଠାଇ ଦିଆଯାଇଛି। ପ୍ରଶାସନ ପକ୍ଷରୁ ମହାପ୍ରୟାଣ ଗାଡିରେ ମୃତଦେହ ପଠାଇବାକୁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର