ପୁଣି ଉଠିଲା ଗୁମୁଡୁମାହ ଗୁଳିକାଣ୍ଡ ପ୍ରସଙ୍ଗ : କ୍ଷତିଗ୍ରସ୍ତ ପରିବାରର ଲୋକେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ

ଭୁବନେଶ୍ୱର : ଦୁଇ ବର୍ଷ ତଳେ କନ୍ଧମାଳ ଜିଲ୍ଲାର ଗୁମୁଡୁମାହ ଠାରେ ଘଟିଥିଲା ଅଭାବନୀୟ ଘଟଣା। ପୁଲିସ୍‌ ଗୁଳିରେ ମୃତାହତ ହୋଇଥିଲେ ନିରୀହ ଆଦିବାସୀ। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ଆଜି ପୁଣି ପ୍ରସଙ୍ଗଟି ଆଲୋଚନା ପରିସରକୁ ଆସିଛି। ଗୁଳିକାଣ୍ଡରେ କ୍ଷତିଗ୍ରସ୍ତ ପରିବାର ଲୋକ ସେମାନଙ୍କ ନ୍ୟାୟ ପ୍ରଦାନ କରାଯାଇନି ବୋଲି ଅଭିଯୋଗ କରି ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରେ ଭେଟିଛନ୍ତି। ଶ୍ରୀ ପ୍ରଧାନ ସୋସିଆଲ୍‌ ମିଡିଆରେ ଏହି କ୍ଷତିଗ୍ରସ୍ତଙ୍କ ଦୁଃଖକୁ ବର୍ଣ୍ଣନା କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସମ୍ବେଦନଶୀଳ ମାମଲାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି ବୋଲି ସେ ଆରୋପ ଲଗାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ସେଦିନ ପୁଲିସ୍‌ ଗୁଳିରେ ଆହତ ହୋଇ ଚିକିତ୍ସା ହେବା ପରେ ସେମାନେ ସୁସ୍ଥ ହୋଇଛନ୍ତି ସତ। କିନ୍ତୁ ଅକର୍ମଣ୍ୟ ହେବା କାରଣରୁ ନିଜ ଜୀବିକା ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ସେମାନେ ଆଜି ସେଦିନର ଲୋମହର୍ଷଣକାରୀ ଘଟଣା ଯେପରି ବର୍ଣ୍ଣନା କରିଛନ୍ତି, ତାହା ତାଙ୍କୁ ବ୍ୟଥିତ କରିଛି। ଗୁଳିକାଣ୍ଡରେ ବଞ୍ଚିଯାଇଥିବା ଲୋକଙ୍କର ଜୀବନ ସଂଘର୍ଷର କାହାଣୀ ଆହୁରି କଷ୍ଟ ଓ ବେଦନାଦାୟକ। ମୃତ ଓ ଅକର୍ମଣ୍ୟ ହୋଇଯାଇଥିବା ଲୋକଙ୍କ ପରିବାରବର୍ଗକୁ ସ୍ଥାୟୀ ନିଯୁକ୍ତି ପ୍ରତିଶ୍ରୁତିକୁ ଦୁଇ ବର୍ଷ ପୂରିଲେ ମଧ୍ୟ ଏବେ ସୁଦ୍ଧା ମିଳି ନାହିଁ। ଯେଉଁ କାଦୁଆ ରାସ୍ତା ଯୋଗୁଁ ଏତେ ଲୋକ ବଳିଦାନ ଓ ଅକର୍ମଣ୍ୟ ହେଲେ, ସେହି ରାସ୍ତାର ସ୍ଥିତିରେ ପରିବର୍ତ୍ତନ ହୋଇ ନାହିଁ। ଏବେ ବି ଦୈନିକ କାମ, ଡାକ୍ତରଖାନା ଓ ପ୍ରସୂତି ମହିଳାଙ୍କୁ ବାଲିଗୁଡ଼ାକୁ ୩୦ କିମି ରାସ୍ତା ଅତିକ୍ରମ କରି ଖଟ ବା ଅଟୋରେ ନେବାକୁ ପଡ଼ୁଛି। ଗାଁରେ ପିଇବା ପାଣି ଅବସ୍ଥା ଖରାପ। ବାରମ୍ବାର ବିଜୁଳି କାଟ ଓ ଲୋ ଭୋଲ୍‌ଟେଜ୍‌ ଯୋଗୁଁ ପିଲାମାନେ ରାତିରେ ପାଠ ପଢ଼ି ପାରୁ ନାହାନ୍ତି ବୋଲି କ୍ଷତିଗ୍ରସ୍ତମାନେ କହିଥିବା ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଏହି ଗଣହତ୍ୟା ପରେ ବସାଯାଇଥିବା ଏସ୍‌ଆଇଟି, ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର ଓ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ ନ କରିବାର ଦୋଷକୁ ସ୍ୱୀକାର କରିବା ସହ ସାଧାରଣ ଗରିବ, ଜନଜାତି ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ଦୁଃଖକୁ ସହୃଦୟତାର ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର