ଗୁମୁଡ଼ୁମାହା ମିଥ୍ୟା ଏନ୍‌କାଉଣ୍ଟର : ମୃତକଙ୍କ ପରିବାରକୁ ଆଉ ୧୦ ଲକ୍ଷ କ୍ଷତିପୂରଣ ନିର୍ଦେଶ, ଆହତଙ୍କୁ ୨ ଲକ୍ଷ ଟଙ୍କା

ଭୁବନେଶ୍ୱର : ବହୁ ଚର୍ଚିତ କନ୍ଧମାଳ ବାଲିଗୁଡ଼ା ଥାନା ଅଧୀନ ଗୁମୁଡୁମାହ ମିଥ୍ୟା ଏନ୍‌କାଉଣ୍ଟର୍‌ ମାମଲାରେ ମୃତକଙ୍କ ପରିବାରକୁ ଆଉ ୧୦ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ଆଉ ୨ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିସନ ନିର୍ଦେଶ ଦେଇଛନ୍ତି। ଦୁଇ ମାସ ମଧ୍ୟରେ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର୍‌ ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।

ପ୍ରକାଶଥାଉକି, ୨୦୧୬ ଜୁଲାଇ ମାସ ୮ ତାରିଖରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନ ଗୁମୁଡ଼ୁମାହର ୧୪ ଜଣ ଆଦିବାସୀ ନିକଟସ୍ଥ ବଜାରରୁ ଏକ ଅଟୋରେ ଗାଁକୁ ଫେରୁଥିଲେ। ଏହି ସମୟରେ କମ୍ବିଂ କରୁଥିବା ଏସ୍‌ଓଜି ଜବାନ ସେମାନଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇଥିଲେ। ଯାହା ଫଳରେ କୁକାଲ ଦିଗାଲ, ଲୁଟା ଦିଗାଲ, ତିମାରି ମଲ୍ଲିକ, ବ୍ରିଙ୍ଗୁଲି ମଲ୍ଲିକ, ମିଦାଲି ମଲ୍ଲିକ ଓ ଲୁଟା ଦିଗାଲଙ୍କ ଦୁଇ ବର୍ଷର ପୁଅ ଗିହଜେଇ ଦିଗାଲଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

ଏ ନେଇ ତମ୍ବିତୋଫାନ ହେବା ପରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେବା ସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦ ହଜାର ଟଙ୍କା କ୍ଷତି ପୂରଣ ପ୍ରଦାନ କରିଥିଲେ। କିନ୍ତୁ ମାନବାଧିକାର କର୍ମୀ ମନୋଜ ଜେନା ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିକଟରେ ମୃତକ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରି ପିଟିସନ୍‌ ଦାଖଲ କରିଥିଲେ। ଆଜି କମିସନ ଏହି ପିଟିସନ୍‌ର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର