ଗୁମୁଡ଼ୁମାହା ଗୁଳିକାଣ୍ଡ‌ରେ ମୃତକଙ୍କ ପରିବାରକୁ ଅତିରିକ୍ତ ୨ଲକ୍ଷ, ରାଜ୍ୟ ସରକାରଙ୍କ ପୁନଃବିଚାର ଯାଚିକା ଖାରଜ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ପୀଡ଼ିତଙ୍କୁ ଅତିରିକ୍ତ କ୍ଷତିପୂରଣ ଦେବା ଆଦେଶର ପୁନଃବିଚାର ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ମାନବାଧିକାର କମିସନ୍‌ ଖାରଜ କରିଛନ୍ତି। ପୂର୍ବରୁ କ୍ଷତିପୂରଣ ଓ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବାବଦରେ ଯେଉଁ ଆଦେଶ ଦିଆଯାଇଥିଲା, ତାହା ତୁରନ୍ତ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୬ ମସିହା ଜୁଲାଇ ୮ ତାରିଖରେ ପୁଲିସ ଗୁଳିରେ ଗୁମୁଡୁମାହା ଗ୍ରାମର ଜଣେ ଶିଶୁ ସମେତ ୫ଜଣ ନିରୀହ ଆଦିବାସୀ ପ୍ରାଣ ହରାଇଥିଲେ। ୮ଜଣ ଗୁରୁତର ଆହତ ହୋଇଥିଲେ। ରାଜ୍ୟ ସରକାର ଏହାର ବିଚାର ବିଭାଗୀୟ ତଦନ୍ତ କରିଥିଲେ। ଗୁଳିକାଣ୍ଡ ପରେ ଏସ୍‌ଓଜି ଯବାନମାନେ ଘଟଣାସ୍ଥଳକୁ ଯିବାକୁ ସାହସ କରିନଥିଲେ ବୋଲି ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ରାଜ୍ୟ ମାନବାଧିକାର କମିସନକୁ ରିପୋର୍ଟ ଦେଇଥିଲେ। ସେମାନଙ୍କର ଚିକିତ୍ସା ଠିକ୍‌ ସମୟରେ ହୋଇଥିଲେ ହୁଏତ ଜୀବନ ହାନି ହୋଇ ନଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା। ମଣିଷର ଜୀବନ ରକ୍ଷା କରିବାରେ ବିଫଳତା ପାଇଁ କମିସନ୍‌ ସରକାରଙ୍କୁ ଦାୟୀ କରି ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସରକାରୀ ସହାୟତା ସହ ପ୍ରତି ମୃତକଙ୍କ ପରିବାରକୁ ଅତିରିକ୍ତ ଦୁଇ ଲକ୍ଷଟଙ୍କା ଲେଖାଏଁ ପ୍ରଦାନ କରିବାକୁ ୨୦୧୮ ମସିହା ଅଗଷ୍ଟ ୨୪ ତାରିଖରେ ଆଦେଶ ଦେଇଥିଲେ। କମିସନଙ୍କ ଆଦେଶର ପୁନଃବିଚାର ପାଇଁ ଗୃହ ବିଭାଗ ପକ୍ଷରୁ ଏକ ରିଭ୍ୟୁ ପିଟିସନ ଫାଇଲ୍‌ ହୋଇଥିଲା।

ସମ୍ବନ୍ଧିତ ଖବର