ସମ୍ବଲପୁର : ସମ୍ବଲପୁର ଡିଆଇପିଆରଓ ହେମନ୍ତ ନାଏକଙ୍କୁ ମାଉଜର ଦେଖାଇ ଧମକ ଏବଂ ଅପହରଣ ଉଦ୍ୟମ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏ ସଂକ୍ରାନ୍ତରେ ସେ ଥାନାରେ ଏତଲା ଦେଇନାହାନ୍ତି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସମ୍ବଲପୁରରେ କାର୍ଯ୍ୟ କରିବା ସମ୍ଭବ ନୁହେଁ କହି ଭୁବନେଶ୍ବର ଚାଲି ଯାଇଛନ୍ତି।

Advertisment

ସୂଚନା ଅନୁଯାୟୀ, ସମ୍ବଲପୁର ଡିଆଇପିଆରଓ ଦିଲ୍ଲୀପ ସାମନ୍ତରାୟଙ୍କ ଡିସେମ୍ବର ମାସ ୩୧ ତାରିଖରେ ବଦଳି ହୋଇଥିଲା। ତାଙ୍କ ସ୍ଥାନରେ ଢେଙ୍କାନାଳ ଡିଆଇପିଆରଓ ହେମନ୍ତ ନାଏକଙ୍କ ନିଯୁକ୍ତି ହୋଇଥିଲା। ଫେବ୍ରୁଆରି ମାସ ପର୍ଯ୍ୟନ୍ତ ସେ କାର୍ଯ୍ୟରେ ଯୋଗ ନଦେବାରୁ ବିଭାଗ ପକ୍ଷରୁ ତାଙ୍କୁ ଏକ ନୋଟିସ ପଠାଯାଇଥିଲା। ଏହାପରେ ଫେବ୍ରୁଆରି ୨୦ ତାରିଖରେ ସେ ସମ୍ବଲପୁର କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ଯୋଗଦାନର କିଛି ଦିନ ପରେ ତାଙ୍କୁ ପଦୋନ୍ନତି ମିଳିଥିଲେ ମଧ୍ୟ ସମ୍ବଲପୁର ଡିଆଇପିଆରଓ ପଦକୁ ବଜାୟ ରଖିଥିଲେ। ଏହାପରେ ୨୬ ତାରିଖରେ ‘ମୋ ସରକାର’ ବୈଠକ ଯୋଗଦେବା ପାଇଁ ଭୁବନେଶ୍ବର ଯାଇଥିଲେ। ୨୮ ତାରିଖରେ ଭୁବନେଶ୍ବରରୁ ସମ୍ବଲପୁର ଫେରିଥିଲେ। ତେବେ ଗତକାଲି ଅଚାନକ ତାଙ୍କୁ କିଛି ଅଜଣା ଯୁବକ ମାଉଜର ଦେଖାଇ ଧମକ ଓ ଅପହରଣ ଅଭିଯୋଗ ଆଣିଥିଲେ।

ହେମନ୍ତ ନାଏକଙ୍କ କହିବା ଅନୁସାରେ, ପୂର୍ବାହ୍ନ ୧୧.୩୦ରେ କ୍ଷେତରାଜପୁର ରେଳ ଷ୍ଟେସନରୁ ନିଜ କାର୍ଯ୍ୟାଳୟକୁ ଆସୁଥିବା ବେଳେ ୪/୫ ଜଣ ଅଜଣା ଯୁବକ ମାଉଜର ଦେଖାଇ ମାରିଦେବା ପାଇଁ ଧମକ ଦେଇଥିଲେ। ସେମାନେ ତାଙ୍କୁ ସମ୍ବଲପୁର ରିଂ ରୋଡ଼ ପର୍ଯ୍ୟନ୍ତ ନେଇ ଯାଇଥିଲେ। ଆଇଏନପିଆରଓର ଏକ ଦସ୍ତାବେଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ଆଉ ସମ୍ବଲପୁର ଛାଡ଼ି ଦେବାକୁ ଧମକ ଦେଇ ୧ ଘଣ୍ଟା ପର୍ଯ୍ୟନ୍ତ ବୁଲାଇବା ପରେ ଛାଡ଼ି ଦେଇଥିଲେ। ଏହାପରେ ଭୟଭୀତ ହୋଇ ରାତାରାତି ସମ୍ବଲପୁରରୁ ଭୁବନେଶ୍ବର ଚାଲି ଯାଇଥିବା କହିଛନ୍ତି। ଅନ୍ୟଦିଗରେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର ଜଣେ ପଦସ୍ଥ ଅଧିକାରୀଙ୍କ ସହିତ ଏତେ ବଡ଼ ଘଟଣା ଘଟିଥିଲେ ହେଁ ପୁଲିସକୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଦିଆ ଯାଇନଯିବା ନେଇ ଚର୍ଚ୍ଚା ହେଉଛି।