ତାଳଚେର ଟ୍ରକ୍‌ ମାଲିକ ସଂଘ ଅଫିସ୍‌ରେ ଚୋରା ବନ୍ଧୁକ ବେପାର!

ତାଳଚେର : ଦୁଇ ସପ୍ତାହ ତଳେ ତାଳଚେର ଟ୍ରକ ମାଲିକ ସଂଘ ସଭାପତି ଟୁକୁନା ସ୍ୱାଇଁଙ୍କ ଘରେ ଚଢ଼ଉ କରିଥିଲା କମିସନରେଟ୍‌ ପୁଲିସ। ସନ୍ଦେହ ଥିଲା ଚୋରା ବନ୍ଧୁକ କାରବାରରେ ତାଙ୍କର ସମ୍ପୃକ୍ତି। କିନ୍ତୁ ଧରପଗଡ଼ ପୂର୍ବରୁ ଶ୍ରୀ ସ୍ୱାଇଁ ଘରୁ ଖସି ପଳାଇଥିଲେ। ସେବେଠାରୁ ସେ ଫେରାର୍‌ ଥିବା ବେଳେ ଅନୁଗୁଳ ଜିଲ୍ଲା ପୁଲିସର ଏକ ସ୍ୱତନ୍ତ୍ର ଟିମ ଗତ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ତାଳଚେର ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅଚାନକ ଚଢ଼ଉ କରିଛି। ସଂଘ ସଭାପତି ଶ୍ରୀ ସ୍ୱାଇଁଙ୍କ ଡ୍ର୍ରୟର୍‌ରୁ ୨ଟି ଅଫୁଟା ଗୁଳି ଜବତ ହୋଇଛି।

ପୁଲିସ ସୂଚନା ମୁତାବକ, ତାଳଚେର ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ କିଛି ସଂଘ କର୍ମକର୍ତ୍ତାଙ୍କ ଦ୍ୱାରା ଚୋରା ବନ୍ଧୁକ କାରବାର ଚାଲିଥିବା ସୂଚନା ଦୁଇ ଦିନ ତଳେ ଅନୁଗୁଳ ଜିଲ୍ଲା ପୁଲିସକୁ ମିଳିଥିଲା। ଜଣେ ସୂଚନାଦାତା ସଂଘ କାର୍ଯ୍ୟାଳୟ ହିଁ ଚୋରା ବନ୍ଧୁକ ବେପାରର ପେଣ୍ଠ ସ୍ଥଳ ଓ ସେଠାରେ ୫ଟି ବନ୍ଧୁକ ଅଛି ବୋଲି ପୁଲିସକୁ ଫୋନ ଯୋଗେ କହିଥିଲେ। ଗୁପ୍ତ ସୂଚନା ଆଧାରରେ ଗତକାଲି ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ଜିଲ୍ଲା ପୁଲିସର ୫୦ଜଣିଆ ଏକ ସ୍ୱତନ୍ତ୍ର ଟିମ୍‌ ତାଳଚେର ହାଟତୋଟା ସ୍ଥିତ ସଂଘ କାର୍ଯ୍ୟାଳୟକୁ ଚାରିପଟୁ ଘେରି ଯାଇଥିଲେ। ସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ମହମ୍ମଦ ସୌକତଙ୍କୁ ସଂଘ କାର୍ଯ୍ୟାଳୟକୁ ଫୋନ୍‌ରେ ଡକାଇଥିଲେ। ଖବର ପାଇ କାର୍ଯ୍ୟକାରୀ ସଭାପତି ଶ୍ରୀ ମିଶ୍ର କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଅଫିସ୍‌ ଖୋଲିବା ପରେ ସଭାପତି, ସାଧାରଣ ସମ୍ପାଦକ ଓ କାର୍ଯ୍ୟକାରୀ ସଭାପତି ବ୍ୟବହାର କରୁଥିବା ଟେବୁଲ ଡ୍ରୟର୍‌ ଖୋଲିବାକୁ ପୁଲିସ କହିଥିଲା। କିନ୍ତୁ ଚାବି ପାଖରେ ନ ଥିବାରୁ ଡ୍ରୟର୍‌ଗୁଡ଼ିକୁ ପୁଲିସ ଭାଙ୍ଗି ଦେଇଥିଲା। ଫେରାର୍‌ ଥିବା ସଂଘ ସଭାପତି ଶ୍ରୀ ସ୍ୱାଇଁଙ୍କ ଡ୍ରୟର୍‌ରୁ ପୁଲିସ ଦୁଇଟି ଜୀବନ୍ତ ଗୁଳି ଜବତ କରିଥିଲା। ତା’ ସହିତ କିଛି ବିବାଦୀୟ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର