ପାର୍ବଣ ପାଇଁ ସକ୍ରିୟ ବନ୍ଧୁକ ମାଫିଆ!

କୋରିଅର‌୍‌ରେ ବନ୍ଧୁକ କାରବାର, ତାଳଚେର, ବଡମ୍ବାରେ କାରଖାନା, ଟ୍ରେନ୍‌ରେ ବିହାରରୁ ଆସୁଛି କ˚ଚାମାଲ୍‌, ମାଉଜର‌୍‌ ୪୦, ସିକ୍ସର‌୍‌ ୧୦, ସିଙ୍ଗଲ୍‌ ସର୍ଟ ୩ ହଜାର

କଟକ : ବିହାରର ମୁଙ୍ଗେର‌୍‌ରୁ ଆଉ ମାଉଜର‌୍‌ ଆମଦାନୀ ହୋଇ ଆସୁନି। ମୁଙ୍ଗେର‌୍‌ ଅର୍ଡିନାନ୍ସ ଫ୍ୟାକ୍ଟ୍ରିର ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଟକ ଜିଲ୍ଲା ବଡମ୍ବା ଏବ˚ ଅନୁଗୁଳର ତାଳଚେର ଅଞ୍ଚଳକୁ ଆସି ମାଉଜର‌୍‌ ତିଆରି କରୁଛନ୍ତି। ଓଡ଼ିଶାରେ ମାଉଜର‌୍‌ ତିଆରି ମିସ୍ତ୍ରୀ ନଥିବାରୁ ମୁଙ୍ଗେର‌୍‌ ମିସ୍ତ୍ରୀଙ୍କ ଉପରେ ଓଡ଼ିଶାର ବନ୍ଧୁକ ମାଫିଆ ନିର୍ଭର କରୁଛନ୍ତି। ଓଡ଼ିଶାରେ କେବଳ ସିଙ୍ଗଲ୍‌ ସର୍ଟ ଏବ˚ ସିକ୍ସର‌୍‌ ତିଆରି ମିସ୍ତ୍ରୀ ଅଛନ୍ତି। ମାଉଜର ପ୍ରସ୍ତୁତ ହେଇଯିବା ପରେ କିଣିବାକୁ ଚାହୁଁଥିବା ଲୋକଙ୍କୁ ହୋମ ଡେଲିଭରି ଦିଆଯାଉଛି। ଏଥିପାଇଁ ଛାତ୍ର ଅଥବା କୌଣସି ଅପରାଧୀକ ମାମଲାରେ ସମ୍ପୃକ୍ତ ନଥିବା ବ୍ୟକ୍ତିଙ୍କୁ କୋରିଅର‌୍‌ ବଏ ଭାବେ ନିୟୋଜିତ କରାଯାଉଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ପୁଲିସର ହସ୍ତଗତ ହେବା ପରେ ଏବେ କାରବାରର ପର୍ଦ୍ଦାଫାସ ଯୋଜନା ଆରମ୍ଭ ହୋଇଯାଇଛି।

ସୂଚନା ଅନୁଯାୟୀ, ସାଇକେଲ୍‌ ସିଟ୍‌ ତଳେ ଥିବା ପାଇପରେ ତିଆରି ହେଉଛି ସିଙ୍ଗଲ ସର୍ଟ ପିସ୍ତଲ। ବଡ଼ ଗାଡ଼ିର ଷ୍ଟିଅରି˚ରୁ ବନ୍ଧୁକର ବ୍ୟାରେଲ୍‌ ତିଆରି କରାଯାଉଛି। ବନ୍ଧୁକ ପାଇଁ କାଠ ମଧ୍ୟ ଓଡ଼ିଶାରେ ମିଳିଯାଉଛି। କଟକ ମଙ୍ଗୁଳି ଏବ˚ ଯୋବ୍ରାର ନିର୍ଦ୍ଦିଷ୍ଟ ଗାଡ଼ି ଗ୍ୟାରେଜ୍‌ରୁ ଏସବୁ କଞ୍ଚାମାଲ୍‌ ଆସୁଛି। କିନ୍ତୁ ମାଉଜର‌୍‌ ତିଆରି ପାଇଁ ଆବଶ୍ୟକ କ˚ଚା ମାଲ୍‌ ବିହାରରୁ ଟ୍ରେନ୍‌ରେ ଆସୁଛି। ମାଉଜର‌୍‌ ତିଆରି ମିସ୍ତ୍ରୀ ଟ୍ରେନ୍‌ରେ ଏସବୁ ଓଡ଼ିଶା ଆଣୁଛନ୍ତି। ଲେଦ୍‌ରେ ମାଉଜର‌୍‌ ତିଆରି କରାଯାଉଛି। ଓଡ଼ିଶାରେ ହାଫ୍‌ ସ୍ଲାଇଡର‌୍‌ ଏବ˚ ଲଙ୍ଗ ସ୍ଲାଇଡର‌୍‌ ନାମରେ ଦୁଇ ପ୍ରକାର ମାଉଜର‌୍‌ ତିଆରି ହେଉଛି। ୬ ରାଉଣ୍ତ ଗୁଳି ଥିବା ହାଫ୍‌ ସ୍ଲାଇଡର‌୍‌ ୨୫ରୁ ୩୦ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ୯ ରାଉଣ୍ତ ଗୁଳି ଥିବା ଲଙ୍ଗ ସ୍ଲାଇଡର‌୍‌ ପ୍ରାୟ ୪୦ ହଜାର ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ସିଙ୍ଗଲ୍‌ ସର୍ଟ ୨ରୁ ୩ ହଜାର ଟଙ୍କା ଏବ˚ ସିକ୍ସର‌୍‌ ୧୦ ହଜାର ଟଙ୍କାରେ ବିକ୍ରି କରାଯାଉଛି। ପୂର୍ବରୁ ବନ୍ଧୁକ ଏକାଥରକେ ୩୦ରୁ ୪୦ଟି ଚାଲାଣ କରାଯାଉଥିଲା। କିନ୍ତୁ ଚଢ଼ଉ ଭୟରେ ଏବେ ସର୍ବାଧିକ ୩ରୁ ୪ଟି ଚାଲାଣ ହେଉଛି। କଲେଜ ପିଲାଙ୍କ ମାଧ୍ୟମରେ ଟ୍ରେନ୍‌ ଓ ବସ୍‌ରେ ବନ୍ଧୁକ ଚାଲାଣ କରାଯାଉଛି। ଥରକେ ୪ ହଜାର ଟଙ୍କା ଛାତ୍ରଙ୍କୁ କମିସନ୍‌ ମିଳୁଥିବା କୁହାଯାଉଛି। ତାଳଚେର, ବଡମ୍ବାରେ ତିଆରି ହେଉଥିବା ବନ୍ଧୁକ ମୁଖ୍ୟତଃ କଟକ, ଭୁବନେଶ୍ବର, ବ୍ରହ୍ମପୁର ସହର, ଗଞ୍ଜାମ, ଜଗତସି˚ହପୁର, କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର ଏବ˚ ଅନ୍ୟ ଅପରାଧୀ ଗୋଷ୍ଠୀଙ୍କୁ ଚାଲାଣ କରାଯାଉଛି।

ଓଡ଼ିଶାରେ ପୂର୍ବରୁ ବି ଏକାଧିକ ଥର ବନ୍ଧୁକ କାରଖାନାର ପର୍ଦ୍ଦାଫାସ ହୋଇଛି। ୨୦୧୪ ଅଗଷ୍ଟ ୧୦ ତାରିଖରେ ତାଳଚେର ବଡ଼ପଡ଼ାରେ ଚଢଉ କରାଯାଇ କାରଖାନାରୁ ୩୧ଟି ବନ୍ଧୁକ, ୫୦୦ ରାଉଣ୍ତ ଗୁଳି ଜବତ କରାଯାଇଥିଲା। ବିହାର ମୁଙ୍ଗେର ଜିଲ୍ଲାର ନିଜାମ୍‌, ବୈଶାଳୀ ଜିଲ୍ଲାର ମହମ୍ମଦ ମୁର‌୍‌ତେଜ୍‌, ସମସ୍ତିପୁର ଜିଲ୍ଲାର ମୁସ୍ତାକ୍‌ ଏବ˚ ଅନ୍ୟ ଦୁଇ ନାବାଳକ କାରଖାନା ଚଲାଉଥିଲେ। ବନ୍ଧୁକ କାରଖାନାର ମୁଖ୍ୟ କାର୍ପଟଦାର ଟୁକୁନା ସ୍ବାଇଁ ୨୦୧୪ ଅଗଷ୍ଟ ୧୬ ତାରିଖରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମ ସମର୍ପଣ କରିଥିଲା। ଟୁକୁନା ମୁଙ୍ଗେର ଅର୍ଡିନାନ୍ସ ଫ୍ୟାକ୍ଟ୍ରିର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରିଥିଲା। ୨୦୧୭, ଅଗଷ୍ଟ ୨୪ ତାରିଖରେ ଚୌଦ୍ବାର ଥାନା ଶଙ୍କରପୁର ମଠସାହିରେ ବେଆଇନ ବନ୍ଧୁକ କାରଖାନା ଠାବ କରିଥିଲା କଟକ କମିସନରେଟ୍‌ ପୁଲିସ। କାରଖାନାର ମାଲିକ ଜୟା ଓରଫ ଜୟନ୍ତ ଓଝା ଧରାପଡ଼ିଥିଲା। ବନ୍ଧୁକ କାରଖାନାରୁ ବନ୍ଧୁକ ସମେତ ମେସିନ ଜବତ ହୋଇଥିଲା। ଗିରଫ ଜୟନ୍ତର ବାପା ବୀର କିଶୋର ଓଝା ଦୀର୍ଘ ୪୦ ବର୍ଷ ଧରି ଘର ପଛପଟେ ବେଆଇନ ବନ୍ଧୁକ କାରଖାନା ଚଳାଉଥିଲା। କଟକ ସହରର ଦୁର୍ଦ୍ଦାନ୍ତ ଅପରାଧୀ ଥିଲେ ବୀରର ଗ୍ରାହକ। ଚୌଦ୍ବାର ଥାନା ପୁଲିସ ୨୦୦୯ରେ ବୀରକୁ ଗିରଫ ଜେଲ୍‌ ପଠାଇଥିଲା। ବୀରର ମୃତ୍ୟୁ ପରେ ତା’ ପୁଅ ଜୟନ୍ତ ଏହାକୁ ଆରମ୍ଭ କରିଥିଲା। ୨୦୧୪ ଏପ୍ରିଲ ୧୩ ତାରିଖରେ ଚୌଦ୍ବାର ଥାନା ପୁଲିସ ତାକୁ ଗିରଫ କରିଥିଲା। ଜୟା ଜେଲ୍‌ରୁ ଫେରି ପୁଣି ତା’ ବ୍ୟବସାୟ ଆରମ୍ଭ କରି ୨୦୧୭ ଅଗଷ୍ଟରେ ଗିରଫ ହୋଇଥିଲା।

କଟକରେ ରହୁଥିବା ବିହାରର ମହେଶ ବିହାରୀ ଏବ˚ ମୁକେଶ ବିହାରୀ ମୁଙ୍ଗେରରୁ ମାଉଜର‌୍‌ ଆଣି କଟକର ବିଭିନ୍ନ ଅପରାଧୀଙ୍କୁ ବନ୍ଧୁକ ବିକ୍ରି ଅଭିଯୋଗରେ ଜେଲ୍‌ ଯାଇଥିଲେ। ସେମାନେ ପୁଣି ଜେଲ୍‌ରୁ ଫେରି ବନ୍ଧୁକ କାରବାର ଆରମ୍ଭ କରିଥିବା କୁହାଯାଉଛି। ସେହିପରି ରାଜ୍ୟରେ କନ୍ଧମାଳର କେର‌୍‌କେରାବାଡ଼ି ଗାଁ, ମାଲ୍‌କାନଗିରି ଜିଲ୍ଲା କାଲିମେଳା ଥାନା ପାକୁରକୋଣ୍ତା ଗାଁ ଏବ˚ ବରଗଡ଼ ଜିଲ୍ଲା ବରପାଲି ଥାନା ବହିଆପଡର‌୍‌ରେ ବେଆଇନ ବନ୍ଧୁକ ତିଆରି ହେଉଛି। ଆଗକୁ ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ବନ୍ଧୁକ ମାଫିଆ ମାନେ ବନ୍ଧୁକ ତିଆରି କରି ରାଜ୍ୟ ଭିତରେ ଅପରାଧୀ ଗୋଷ୍ଠୀଙ୍କୁ ଯୋଗାଇବା ଯୋଜନା କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର