ଭୁବନେଶ୍ବର: ବିହାରର ମୁଙ୍ଗେରରେ ବସି କଟକ ବୟାଳିଶ ମୌଜାରେ ଚୋରା ବନ୍ଧୁକ କାରଖାନା ଚଳାଇଥିବା ରୢାକେଟ୍‌ର ମୁଖିଆ ଗ୍ୟାଙ୍ଗ୍‌ଷ୍ଟର୍‌ ମହମ୍ମଦ ଅସ୍‌ଲମ୍‌ (୫୦)କୁ କ୍ରାଇମ୍‌ବ୍ରାଞ୍ଚ୍‌ ଏସଟିଏଫ୍ ବାନ୍ଧିଛି। ମୁଙ୍ଗେର କାସିମ୍‌ବଜାର ଥାନା ଅନ୍ତର୍ଗତ ହଜରତ୍‌ଗଞ୍ଜଛକସ୍ଥିତ ଘରୁ ତାକୁ ବିହାର ଏସ୍‌ଟିଏଫ୍‌ର ସହଯୋଗରେ ଗିରଫ କରାଯାଇଛି। ଚାରି ଚାରିଟି ରାଜ୍ୟରେ ଚୋରା ଅସ୍ତ୍ରଶସ୍ତ୍ର ବେପାର ଚଳାଇଥିବା ଅସ୍‌ଲମ୍‌କୁ ଗିରଫ କରିବା ପୂର୍ବରୁ ହଜରତ୍‌ଗଞ୍ଜରେ ତା’ର ଶତାଧିକ ସମର୍ଥକ ପୁଲିସକୁ ଘେରି ଯାଇଥିଲେ। କିନ୍ତୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ବିହାର ଓ ଓଡ଼ିଶା ପୁଲିସ ଅସ୍‌ଲମ୍‌ର ସମର୍ଥକମାନଙ୍କୁ ଘଉଡ଼ାଇବା ସହ ତାକୁ ଉଠାଇ ଆଣିଥିଲେ। ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ତାକୁ ତିନିଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇ କଟକ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଅଧିକ ତଦନ୍ତ ପାଇଁ ତାକୁ ୫ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି।

Advertisment

କାରିଗରଙ୍କ ସହ ୩୦ ଲକ୍ଷ ଟଙ୍କାର କାରବାର
୪ ରାଜ୍ୟକୁ ଲମ୍ବିଥିଲା ଅସ୍ତ୍ରଶସ୍ତ୍ର ବେପାର

ମାର୍ଚ୍ଚ ୧୩ ତାରିଖ ଦିନ ବୟାଳିଶ ମୌଜା ବେଣ୍ଟକର ଥାନା ଧୂଳେଶ୍ବର ଗାଁର ଏକ ଗୁହାଳ ଘରୁ ଏହି ବନ୍ଧୁକ କାରଖାନା ଠାବ କରାଯାଇଥିଲା। ଘଟଣାସ୍ଥଳରୁ ୩୫ଟି ଅର୍ଦ୍ଧନିର୍ମିତ ବନ୍ଧୁକ (୭ମିମି ପିସ୍ତଲ), ଲେଦ୍‌ ମେସିନ୍‌ ସମେତ ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଥିଲା ଏବଂ କାରଖାନା ଚଳାଉଥିବା ଘର ମାଲିକ ଶରତ ଯାଦବ, ମହମ୍ମଦ ଆଜମ୍‌ ଓରଫ ବୁଦ୍ଦୁ, ମହମ୍ମଦ ଆବିଦ୍‌ ହୁସେନ୍‌ ଓ ମହମ୍ମଦ କାଲୁଙ୍କୁ ଗିରଫ କରାଯାଇଥିଲା। ପରେ ଏସ୍‌ଟିଏଫ୍‌ର ଖୋଳତାଡ଼ରୁ ଏହି ରୢାକେଟ୍‌ର ଗୁମର ଫିଟିବାରେ ଲାଗିଥିଲା। ଏହି ଗ୍ୟାଙ୍ଗ୍‌ର ଅନ୍ୟତମ ସଦସ୍ୟ କଟକର କୁଖ୍ୟାତ ଚଗଲା ଖୁଣ୍ଟିଆକୁ ମଧ୍ୟ ପୁଲିସ ବିହାରରୁ ଗିରଫ କରିଥିଲା। ତଦନ୍ତରୁ ଗ୍ୟାଙ୍ଗସ୍‌ ଅଫ୍‌ ଗଞ୍ଜାମ ଲିଙ୍କ୍‌ ଆସିଥିଲା ଏବଂ ଗଞ୍ଜାମରୁ ବିପୁଳ ପରିମାଣର ଚୋରା ବନ୍ଧୁକ ଜବତ କରାଯିବା ସହ ଅପରାଧୀମାନଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି। କିନ୍ତୁ ଗଞ୍ଜାମ ଗ୍ୟାଙ୍ଗ୍‌ର ମୁଖିଆ ଆଲୋକ ପ୍ରଧାନ ଏବେ ବିହାର କଟିହାର୍‌ ଜେଲ୍‌ରେ ଥିବାରୁ ଓଡ଼ିଶା ପୁଲିସ ପଞ୍ଝାକୁ ଆସିପାରିନାହିଁ। ଏତେ ସବୁ ପରେ କିନ୍ତୁ ବୟାଳିଶ ମୌଜା ବନ୍ଧୁକ କାରଖାନାର ମାଷ୍ଟରମାଇଣ୍ଡ୍‌ ଅସ୍‌ଲମ୍‌ ଧରା ପଡ଼ିନଥିଲା। ଖୋଳତାଡ଼ରୁ ଜଣାପଡ଼ିଥିଲା ଯେ ଅସ୍‌ଲମ୍‌ ବହୁତ ଥର କଟକ ଆସିଛି ଏବଂ ଶରତ ଯାଦବଠାରୁ ଅର୍ଦ୍ଧନିର୍ମିତ ବନ୍ଧୁକ ନେଇ ବିହାର ଓ କୋଲକାତା ଯାଇଛି। ଅସ୍‌ଲମ୍‌ ଓ ଶରତ ଯାଦବ ମଧ୍ୟରେ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଛି। ଅର୍ଦ୍ଧନିର୍ମିତ ବନ୍ଧୁକ ତିଆରି ବାବଦରେ ଏହି ଟଙ୍କା ନେଣଦେଣ ହୋଇଥିବା ଜଣାପଡ଼ିଥିଲା। ଅସ୍‌ଲମ୍‌ ଏସବୁ ଅର୍ଦ୍ଧନିର୍ମିତ ବନ୍ଧୁକକୁ ନେଇ ମୁଙ୍ଗେର ଓ କୋଲକାତାରେ ପୂର୍ଣ୍ଣାଙ୍ଗ ରୂପ ଦେଉଥିଲା ଏବଂ ପରେ ବିଭିନ୍ନ ରାଜ୍ୟକୁ ଚାଲାଣ କରୁଥିଲା। ସେ ଜଣେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ହୋଇଥିବାରୁ ତାକୁ ବାନ୍ଧିବାକୁ ଏସ୍‌ଟିଏଫ୍‌ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ଏଥିରେ ବିହାର ପୁଲିସ ମଧ୍ୟ ବହୁତ ସହଯୋଗ କରିଥିଲା।   

ସୂଚନାଯୋଗ୍ୟ ଯେ ଅସ୍‌ଲମ୍‌ ପୂର୍ବରୁ ଏହି ବନ୍ଧୁକ କାରବାର ମାମଲାରେ କୋଲକାତା ଓ ଝାଡ଼ଖଣ୍ଡ ପୁଲିସ ଦ୍ବାରା ଗିରଫ ହୋଇଥିଲା। ୨୦୧୮ ମସିହାରେ ଅସଲମ୍‌ ଓ ଝାଡ଼ଖଣ୍ଡର ମହମ୍ମଦ ଆସ୍‌ଫକ୍‌କୁ ୨୪ପ୍ରଗଣା ଅଗରପଡ଼ାରୁ କୋଲକାତା ଏସ୍‌ଟିଏଫ୍‌ ଗିରଫ କରିଥିଲା। ସେଠାରେ ବି ଅସ୍‌ଲମ୍‌ ବନ୍ଧୁକ କାରଖାନା ଚଳାଇଥିଲା ଏବଂ ସେଠାରୁ ୬୦ରୁ ଅଧିକ ଅର୍ଦ୍ଧନିର୍ମିତ ବନ୍ଧୁକ ଜବତ କରାଯାଇଥିଲା। ୨୦୨୧ରେ ଅସ୍‌ଲମ୍‌ ଜେଲ୍‌ରୁ ମୁକୁଳିବା ପରେ ଓଡ଼ିଶାକୁ ଟା‌ର୍ଗେଟ୍‌ କରିଥିଲା। କେବଳ ବନ୍ଧୁକ କାରବାର ନୁହେଁ, ଜାଲ୍‌ ନୋଟ୍‌ କାରବାର ମାମଲାରେ ବି ବିହାର ପୁଲିସ ଅସ୍‌ଲମ୍‌କୁ ବାନ୍ଧିଥିଲା। ଏଭଳି କାରବାରରୁ ଅସ୍‌ଲମ୍‌ କୋଟିକୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ହୋଇପାରିଛି ଏବଂ ତା’ର ଏକ ବିଶାଳ ଆଲିସାନ୍‌ ଅଟ୍ଟାଳିକା ରହିଛି।