କଟକ: ୮ ବର୍ଷ ବ୍ୟବଧାନରେ କଟକରେ ପୁଣି ଠାବ ହୋଇଛି ବେଆଇନ ବନ୍ଧୁକ ତିଆରି କାରଖାନା। କଟକ ବୟାଳିଶମୌଜାର ଧୂଳେଶ୍ବର ଗାଁରେ ସିଢ଼ୁଆ ନଦୀ କୂଳରେ ବିହାରୀ ବନ୍ଧୁକ ମିସ୍ତ୍ରିଙ୍କ ଦ୍ବାରା ଚାଲୁଥିବା ଏକ ବଡ଼ ବନ୍ଧୁକ କାରଖାନାକୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍ ଠାବ କରିଛି। ବୁଧବାର ବିଳମ୍ବିତ ରାତିରେ ଏସ୍‌ଟିଏଫ୍ ଚଢ଼ଉ କରି ସଂପୃକ୍ତ ଘରମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। କାରଖାନା ପଛପଟ ଖତ ଗାଡ଼ିଆରୁ ଚାରିଟି ବସ୍ତାରେ ଥିବା ୨୯ଟି  ୭ ଏମ୍‌ଏମ୍‌ ପିସ୍ତଲ ଜବତ ହୋଇଥିବା ବେଳେ କାରଖାନାରୁ ୨୯ଟି ମାଗାଜିନ୍, ୮୦ଟି ବନ୍ଧୁକର ଉପର ଅଂଶ, ୧୪ଟି ସ୍ଲାଇଡ୍, ୩୬ଟି ଗ୍ରିପ୍‌, ୧୫ଟି ବ୍ୟାରେଲ୍, ୧୪ଟି ଲୁହା ବାର୍, ମୋଟର ସହିତ ଗୋଟିଏ ଲୋଡ୍‌ ମେସିନ୍, ଗୋଟିଏ ମିଲିଂ ମେସିନ୍, ଗୋଟିଏ ଡ୍ରିଲିଂ ମେସିନ୍‌, ଗ୍ରାଇଣ୍ଡର ଇତ୍ୟାଦି ଜବତ ହୋଇଛି। ସେହିଭଳି ତିନିଟି ବସ୍ତାରେ ଥିବା ଅର୍ଦ୍ଧ ନିର୍ମିତ ବନ୍ଧୁକ, ତିନୋଟି ଲେଦ୍ ଓ ଗୋଟିଏ ଡ୍ରିଲ୍ ମେସିନ୍ ଜବତ କରାଯାଇଛି। ଏହି ବନ୍ଧୁକ କାରଖାନା କରିଥିବା ଘରମାଲିକ ଧୂଳେଶ୍ବର, ଗାଁର ଶରତ ଚନ୍ଦ୍ର ବେହେରା ଓରଫ  ଶରତ ଯାଦବ(୫୮), କାର୍ପଟଦାର୍ ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲା କୋଲାବାରି ଥାନା ଅନ୍ତର୍ଗତ ଆଜମର ବାସିନ୍ଦା ମହମ୍ମଦ ବୁଦ୍ଧୁ(୪୫), ବନ୍ଧୁକ ମିସ୍ତ୍ରି ବିହାର ମୁଙ୍ଗେର ଜିଲ୍ଲା କାସିମବଜାର ଥାନା ଅନ୍ତର୍ଗତ ହଜରତଗଞ୍ଜ ଖାଙ୍କାର ବାସିନ୍ଦା ମହମ୍ମଦ ଆବିଦ ହୁସେନ(୪୯), ମୁଙ୍ଗେର ଦିଲଵାରପୁରର ମହମ୍ମଦ କାଲୁ(୪୬)କୁ ଗିରଫ କରାଯାଇଛି। 

Advertisment

ସୂଚନା ଅନୁଯାୟୀ, ବୟାଳିଶମୌଜା ଧୂଳେଶ୍ବର ଗାଁର ସିଢ଼ୁଆ ନଦୀବନ୍ଧ ପାର୍ଶ୍ବରେ ଶରତର ଘର। ସେ ପୁରୀଘାଟ ଥାନା ଝୋଲାସାହିରେ ଏକ କପଡ଼ା ଦୋକାନରେ ସୁରକ୍ଷା କର୍ମୀ ଭାବେ କାମ କରୁଥିଲା। କିନ୍ତୁ ନିଜକୁ ଗାଁରେ ପୁଲିସ ପରିଚୟ ଦେଉଥିଲା। ଏମିତିକି ସେ ପୁଲିସ ପୋଷାକ ପିନ୍ଧି ବୁଲୁଥିଲା। ଝୋଲାସାହିରେ ଶରତ କାମ କରିବା ଭିତରେ ସେଠାରେ ସୁରକ୍ଷା କର୍ମୀ ଭାବେ କାମ କରୁଥିବା ବିହାର ମୁଙ୍ଗେର ଅଞ୍ଚଳର ଜଣେ ବ୍ୟକ୍ତି ସହିତ ସମ୍ପର୍କ ଘନିଷ୍ଠ ହୋଇଥିଲା। ପରେ ଶରତ କୋଲକାତାର କୁଖ୍ୟାତ ବନ୍ଧୁକ କାରିଗର ବୁଦ୍ଧୁ ସମ୍ପର୍କରେ ଆସିଥିଲା। କଟକରେ ବନ୍ଧୁକ କାରଖାନା କରିବାକୁ ବୁଦ୍ଧୁ ପ୍ରସ୍ତାବ ଦେଇଥିଲା। ୨୦୨୩ ଡିସେମ୍ବରରେ ବୁଦ୍ଧୁ ଧୂଳେଶ୍ବରରେ ଥିବା ଶରତର ଘରକୁ ଆସିଥିଲା। ବାଡ଼ି ପଛପଟେ ଫାଙ୍କା ଜମି ବୁଲି ଦେଖିବା ପରେ ଗୋଟିଏ ଚାଳଘର ନିର୍ମାଣ କରିଥିଲେ। ୨୦୨୪ ଜାନୁଆରିରୁ ଏହି ଘରେ ତିନୋଟି ଲେଦ୍ ଓ ଗୋଟିଏ ଡ୍ରିଲ୍ ମେସିନ୍ ବସିଥିଲା। ବନ୍ଧୁକ ତିଆରି ମିସ୍ତ୍ରି ମୁଙ୍ଗେରର ମହମ୍ମଦ ଆବିଦ ହୁସେନ୍‌ ଓ ମହମ୍ମଦ କାଲୁଙ୍କୁ ଯୋଗାଯୋଗ କରି ବନ୍ଧୁକ ତିଆରି କରିବା ଆରମ୍ଭ କରିଥିଲେ। ଶରତର ଦୁଇ ବଖରା ଘରେ ସେମାନେ ରହୁଥିବା ବେଳେ ଗୋଟିଏ ଚାଳଘରେ ବନ୍ଧୁକ କାରଖାନା ବସିଥିଲା। ଆଉ ଗୋଟିଏ ଚାଳଘରେ ବନ୍ଧୁକ ତିଆରି ପାଇଁ ବ୍ୟବହୃତ କଞ୍ଚାମାଲ୍ ରହୁଥିଲା। ଶରତ ବି ବନ୍ଧୁକ ତିଆରି କରିବା କୌଶଳ ଶିଖିବା ଆରମ୍ଭ କରିଥିଲା। ସମସ୍ତେ ମିଶି ଦିନକୁ ମାତ୍ର ଦୁଇଟି ବନ୍ଧୁକ ତିଆରି କରୁଥିଲେ। ଆବିଦ ଦୈନିକ ୫୦୦ ଓ କାଲୁ ୪୦୦ ଟଙ୍କା ନେଉଥିଲେ। 

ଖତ ଗାଡ଼ିଆରୁ ୨୯ ବନ୍ଧୁକ ଜବତ
ବନ୍ଧୁକ ତିଆରି ଉପକରଣ ଜବତ; ୪ ଗିରଫ
ସିଢ଼ୁଆ ନଦୀ କୂଳରେ ବିହାରୀ ମିସ୍ତ୍ରିଙ୍କ ଆଡ଼ା
ପୁଲିସ ପୋଷାକରେ ଚକ୍‌ମା ଦେଉଥିଲା ମାଲିକ

ବୁଦ୍ଧୁ, ଆବିଦ ଓ କାଲୁ ସ୍ଥାନୀୟ ଅଞ୍ଚଳରେ ନିଜକୁ ନଟ୍ ବୋଲ୍ଟ ମିସ୍ତ୍ରି ପରିଚୟ ଦେଉଥିଲେ। ଭୁବନେଶ୍ବର ମଞ୍ଚେଶ୍ବର ରେଳବାଇର ନଟ୍ ବୋଲ୍ଟ ତିଆରି ପାଇଁ ସେମାନଙ୍କୁ ଠିକା ମିଳିଥିବାରୁ, ସେହି କାମ କରୁଥିବା କହୁଥିଲେ। ବୁଦ୍ଧୁ ବନ୍ଧୁକ ତିଆରି ବାବଦ କଞ୍ଚାମାଲ୍ ପଶ୍ଚିମବଙ୍ଗରୁ ବୋଲେରୋରେ ଧୂଳେଶ୍ବର ଗାଁକୁ ଆଣୁଥିଲା। ସେହି ବୋଲେରୋରେ ବୁଦ୍ଧୁ ଓ ଶରତ ମୁଙ୍ଗେରକୁ ବନ୍ଧୁକ ନେଉଥିଲେ। ଶରତର ବି ବିହାରର ମୁଙ୍ଗେରରେ ବନ୍ଧୁକ ମାଫିଆଙ୍କ ସହିତ ସମ୍ପର୍କ ରହିଥିଲା। ତେବେ ଶରତ ନିଜ ସାଙ୍ଗିଆ ବେହେରାରୁ ଯାଦବ କରିଦେଇଥିଲା। ଏମିତିକି ସେ ଶରତ ଯାଦବ ଓ ଶରତ ବେହେରା ନାଁରେ ଦୁଇଟି ପୃଥକ୍‌ ଆଧାର କାର୍ଡ ରଖିଥିଲା। ଅନ୍ୟପଟେ ବୁଦ୍ଧୁର ସହଯୋଗୀ କୋଲକାତାର ରାଜୁ ଓ ମଙ୍ଗଲ୍ ମଧ୍ୟ ଧୂଳେଶ୍ବର ଗାଁକୁ ଆସି ବନ୍ଧୁକ ନେଉଥିଲେ। ମୁଙ୍ଗେରରେ ଏହି ବନ୍ଧୁକକୁ ସେମାନେ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ। ସେଠାରେ ବନ୍ଧୁକକୁ ପଲିସ୍‌ କରାଯିବା ସହିତ ଅତ୍ୟାଧୁନିକ ବନ୍ଧୁକର ରୂପ ଦିଆଯାଇ ଅଧିକ ମୂଲ୍ୟରେ ବିକ୍ରି ପାଇଁ ଛଡ଼ାଯାଉଥିଲା। 

କୋଲକାତା ଏସ୍‌ଟିଏଫ୍ ବୁଦ୍ଧୁର କଟକରେ ଚାଲିଥିବା କାରବାର ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ପୁଲିସ ସହିତ ଯୋଗାଯୋଗ କରିଥିଲା। କୋଲକାତା ଏସ୍‌ଟିଏଫ୍, ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍ ଡିଆଇଜି ପିନାକ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ଓ କଟକ କମିସନରେଟ୍‌ ପୁଲିସର ମିଳିତ ସହଯୋଗରେ ବୁଧବାର ରାତି ପ୍ରାୟ ୨ଟା ବେଳେ ଶରତର ଘରେ ଚଢ଼ଉ କରାଯାଇଥିଲା। ବୟାଳିଶମୌଜା ଥାନା ଆଇଆଇସି ଗିରୀଶ ଚନ୍ଦ୍ର ମହାରଣା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ପ୍ରଥମେ ଏହି ଟିମ୍ ଶରତର ଘର ଚାରିପଟ ଓ ପଛପଟେ ଥିବା ନଦୀବନ୍ଧ ରାସ୍ତାକୁ ଘେରାଉ କରିନେଇଥିଲା। ଯେଉଁ ଦୁଇ ବଖରାରରେ ବୁଦ୍ଧୁ, ମହମ୍ମଦ ଆବିଦ ହୁସେନ ଓ ମହମ୍ମଦ କାଲୁ ରହୁଥିଲେ, ସେହି ବଖରାରେ ପୁଲିସ ପ୍ରଥମେ ପଶି ସମସ୍ତଙ୍କୁ କାବୁ ନେଇଥିଲା। ଘଟଣାସ୍ଥଳରୁ ଖସିଯିବାକୁ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। 

ବନ୍ଧୁକ ଫ୍ୟାକ୍ଟ୍ରିର ମୁଖ୍ୟ କାର୍ପଟଦାର ବୁଦ୍ଧୁ ଜଣେ ପେସାଦାର ଅପରାଧୀ। ୧୯୯୯ରେ କୋଲକାତାରେ ସେ ନିଜର ଜଣେ ସମ୍ପର୍କୀୟଙ୍କୁ ହତ୍ୟା କରି ୧୫ ବର୍ଷ ଜେଲରେ ଥିଲା। ୨୦୨୨ରେ ବୁଦ୍ଧୁ ଜାମିନରେ ଆସିବା ପରେ ବନ୍ଧୁକ କାରବାର ନେଟ୍‌ଵର୍କରେ ସାମିଲ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୭ ଅଗଷ୍ଟ ୨୪ରେ ଚୌଦ୍ବାର ଥାନା ଶଙ୍କରପୁର ମଠସାହିରେ ବଡ଼ ବନ୍ଧୁକ କାରଖାନା ଠାବ କରିଥିଲା କଟକ କମିସନରେଟ୍‌ ପୁଲିସ। ଚୌଦ୍ବାର ଥାନା ପୁଲିସ ଚଢ଼ଉ କରି କାରଖାନାର ମାଲିକ ଜୟା ଓରଫ ଜୟନ୍ତ ଓଝାକୁ ଗିରଫ କରିଥିଲା।