ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଆଜି ଗୁଳି ଫୁଟିଛି। ବିଭିନ୍ନ ଅପରାଧରେ ସଂପୃକ୍ତ ଅଭିଯୋଗ ଥିବା ଝାଡ଼େଶ୍ବରପୁର ଗ୍ରାମର ଜ୍ୟୋତିସମ୍ରାଟ ପ୍ରହରାଜ ଓରଫ ବାପି ଏବଂ ତା’ର ସହଯୋଗୀ ଉପରକୁ ଗୁଳିମାଡ଼ ହୋଇଛି। ଭଦ୍ରେଶ୍ବର ଫାଣ୍ତି ଅଧୀନ ଝାଡ଼େଶ୍ବରପୁର-ବାଲିଆଚକା ମଝିରେ ଆଜି ଏହି ଗୁଳି ମାଡ଼ ହୋଇଥିବା ବେଳେ ବାପି ଓ ତାର ସହଯୋଗୀ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। କିନ୍ତୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

ସୂଚନା ଅନୁଯାୟୀ, ଝାଡେଶ୍ବରପୁର ଗ୍ରାମର ଜ୍ୟୋତିସମ୍ରାଟ ପ୍ରହରାଜ ଓରଫ ବାପି ଏକ ସ୍କର୍ପିଓ (ଓଆର୧୯ବି–୦୭୯୦)ରେ ଅନ୍ୟ ଜଣେ ଯୁବକ ସହ ଆଜି ସକାଳ ୬ଟା ସମୟରେ ସାଲେପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ଝାଡେଶ୍ବରପୁର କେନାଲ ବନ୍ଧ ରାସ୍ତାରେ ଏକ ନୀଳ ରଙ୍ଗର ଆପାଚି ଗାଡିରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ବାପି ଗାଡ଼ି ଭିତରେ ନଇଁ ପଡିବାରୁ ଗୁଳିଟି ଖସିଯାଇ ଗାଡ଼ିର ମଝି ଡୋର୍‌ କାଚରେ ବାଜିଥିଲା । ଫଳରେ ସେ ଓ ତାଙ୍କ ସହିତ ଥିବା ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ବାପି ଭୟଭୀତ ହୋଇ ଗାଡ଼ି ଚଳାଇ ନିଶ୍ଚିନ୍ତକୋଇଲି ଥାନାରେ ପଶି ଯାଇଥିଲେ। ସେଠାରେ ଗାଡ଼ି ରଖି ବାପି ପୁଲିସର ଶରଣ ପଶିବା ସହ ଘଟଣା ସଂପର୍କରେ କହିଥିଲେ।

ଏ ସଂପର୍କରେ ଖବର ପାଇ ସାଲେପୁର ଏସଡିପିଓ ନିମାଇଁ ଚରଣ ସେଠୀ, ମାହାଙ୍ଗା ଥାନା ଆଇଆଇସି ରଞ୍ଜନ ପ୍ରଧାନ, ଫାଣ୍ତି ଅଧିକାରୀ ତପନ ନାୟକ ଓ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳରୁ ଏକ ଖୋକା ଜବତ କରିଛନ୍ତି। ପୂର୍ବରୁ ବାପିଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି କରିଥିବା ନେଇ ଥାନାରେ ମାମଲା ଚାଲିଥିବା ବେଳେ କାହାରିକୁ ପୁଲିସ ଗିରଫ କରିପାରି ନାହିଁ। ପୁଣି ସେହି ପୁରୁଣା ଶତ୍ରୁମାନେ ଗୁଳି କରିଥିବା ନେଇ ବାପି ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଫାଣ୍ତି ଅଧିକାରୀ ତପନ ନାୟକ କହିଛନ୍ତି ଯେ, ଅଭିଯୋଗ ଆଧାରରେ ଏକ ମାମଲା (ନଂ ୨୪୯/୧୯) ରୁଜୁ କରାଯାଇ ତଦନ୍ତ ଚାଲିଛି।