ପୁରୀରେ ପୁଣି ଗୁଳିକାଣ୍ଡ : ଯୁବକ ଗୁରୁତର

ପୁରୀ : ପୁରୀରେ ପୁଣି ଫୁଟିଛି ଗୁଳି। ଶୁକ୍ରବାର ରାତିରେ ତୁଳସୀ ବିହାର ଆପାର୍ଟମେଣ୍ଟ ନିକଟରେ ତିନିଜଣ ବାଇକ୍‌ ଆରୋହୀ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅତି ନିକଟରୁ ଗୁଳି କରି ଚମ୍ପଟ ମାରିଛନ୍ତି। ଏଥିରେ ଯୁବକଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଛାତିରେ ଗୁଳିଟି ବାଜି ବାହାରି ଯାଇଥିବା ଜଣାପଡ଼ିଛି। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ତେବେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇପାରିନାହିଁ।

ଶୁକ୍ରବାର ରାତି ପ୍ରାୟ ୯ଟା ୧୫ ମିନିଟ୍‌ରେ ତୁଳସୀ ବିହାର ଆପାର୍ଟମେଣ୍ଟ ପାଖରେ ଖଡ଼ିପଦା ଗୋଲା ସାହି ନିବାସୀ କାହ୍ନ ପରିଡ଼ାଙ୍କ ପୁଅ ଜୟକୃଷ୍ଣ ପରିଡ଼ା(୩୬) ପରିସ୍ରା କରୁଥିବା ବେଳେ ବାଇକ୍‌ରେ ତିନି ଜଣ ଆସି ସେଠାରେ ଅଟକିିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଅଣ୍ଟାରେ ଖୋସିଥିବା ଏକ ବନ୍ଧୁକ ବାହାର କରି ଜୟକୃଷ୍ଣଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। ଗୁଳିଟି ଛାତିରେ ବାଜିବାରୁ ସେ ରକ୍ତ ଜୁଡୁବୁଡୁ ହୋଇ ତଳେ ଟଳିପଡ଼ିଥିଲେ। ସେଠାରେ ଥିବା ଲୋକମାନେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ବାଇକ୍‌ରେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ବ୍ୟବସାୟୀମାନେ ତୁରନ୍ତ ଜୟକୃଷ୍ଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନା ନେଇଯାଇଥିଲେ। ଗୁଳିଟି ତାଙ୍କ ଛାତିରେ ଗଳିି ପିଠିପଟେ ବାହାରି ଯାଇଥିବା ଜଣାପଡ଼ିଛି। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେଠାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର