ବାହାନଗା: ବହି ବ୍ୟାଗ୍‌ରୁ ବାହାରିଲା ବନ୍ଧୁକ! ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ବିଷ୍ଣୁପୁର ହାଇସ୍କୁଲ୍‌ର ଦଶମ ଶ୍ରେଣୀରେ ପାଠ ପଢ଼ା ଚାଲିଥିଲା। ଏହି ସମୟରେ ଜଣେ ଛାତ୍ର ଅନ୍ୟମନସ୍କ ଥିବା ବେଳେ ନିଜର ବହି ବ୍ୟାଗ୍‌ ଭିତରେ ହାତ ପୂରାଇ କିଛି ଗୋଟିଏ ଜିନିଷକୁ ବାରମ୍ବାର ଦେଖୁଥିଲେ। ଏନେଇ ଶ୍ରେଣୀ ଶିକ୍ଷକ ଜାଣିବା ପରେ ସଂପୃକ୍ତ ଛାତ୍ରଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଗ୍‌ରୁ ଏକ ବନ୍ଧୁକ ମିଳିଥିଲା। ଯାହାକୁ ଦେଖି ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପ୍ରଧାନଶିକ୍ଷକ ସପନ କୁମାର ଦେ ସଂପୃକ୍ତ ଛାତ୍ରଙ୍କ ଅଭିଭାବକଙ୍କୁ ଡାକି ଘଟଣା ବିଷୟରେ ଅବଗତ କରିଥିଲେ ଏବଂ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ପରେ ପ୍ରଧାନଶିକ୍ଷକ ଉକ୍ତ ବନ୍ଧକକୁ ନେଇ ଗୋପାଳପୁର ଥାନା ଯାଇଥିଲେ ଏବଂ ସେଠାରେ ତାକୁ ଜିମା ଦେଇଥିଲେ। ତେବେ ପୁଲିସ ପରୀକ୍ଷା କରିବା ପରେ ତାହା ସତ ବନ୍ଧୁକ ନୁହେଁ, ବରଂ ଏକ ଚାଇନିଜ୍‌ ଖେଳଣା ବନ୍ଧୁକ ବୋଲି କହିଥିଲା। ଫଳରେ ପ୍ରଧାନଶିକ୍ଷକଙ୍କ ସହ ବିଦ୍ୟାଳୟର ସହକାରୀ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଆଶ୍ବସ୍ତ ହୋଇଥିବା ଜଣାପଡ଼ିଛି।