ରଣପୁର : ରଣପୁର ଅଞ୍ଚଳରେ ବାଘଛାଲ କାରବାର ଘଟଣାରେ ଆଜି ବନ ବିଭାଗ ଦ୍ବାରା ବାଘ ଶିକାରରେ ବ୍ୟବହୃତ ଏକ ବନ୍ଧୁକ ଜବତ ହୋଇଥିବା ବେଳେ ଉକ୍ତ ଘଟଣାରେ ସଂପୃକ୍ତ ୨ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ଖବର ନେବାରେ ଜଣାଯାଇଛି, ରଣପୁର ବ୍ଲକ୍‌ ଅନ୍ତର୍ଗତ ଜାମୁଗଣ୍ତ ଅଞ୍ଚଳରେ ଘଟିଥିବା ବାଘ ଶିକାରରେ ବ୍ୟବହୃତ ଏକ ବନ୍ଧୁକ ପୂର୍ବରୁ ଜବତ ହୋଇଥିବାବେଳେ ଆଜି ଆଉ ଏକ ବନ୍ଧୁକ ଜବତ ହେବା ସାଙ୍ଗକୁ ସଂପୃକ୍ତ ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ମୁଖ୍ୟ ଶିକାରୀ କୁହାଯାଉଥିବା ଭାସ୍କର ନାୟକଙ୍କ ପୁଅ ସାଗର ନାୟକ (୨୨) ଓ ମନୋଜ ନାୟକ ଓରଫ ବାହୁଡ଼ା (୪୦)। ତେବେ ବନ ବିଭାଗ ଦ୍ବାରା ଗଠିତ ଏକ ସ୍ବତନ୍ତ୍ର ଟିମ୍ ବନ୍ଧମୁଣ୍ତା ପଞ୍ଚାୟତ ଅଧୀନ ଜାମୁଗଣ୍ତ ଗାଁ’ରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲେ। ତେବେ ଉକ୍ତ ଘଟଣାରେ ପୂର୍ବରୁ ମୁଖ୍ୟ ଶିକାରୀ ସମେତ ୪ ଜଣ ଗିରଫ ହୋଇଥିବାବେଳେ ଆଜି ଗିରଫ ହୋଇଥିବା ଆଉ ୨ ଜଣଙ୍କୁ ମିଶାଇ ୬ ଜଣ ଗିରଫ ହେଲେଣି। ଏପରିକି ଆହୁରି ଅନେକ ବ୍ୟକ୍ତି ଉକ୍ତ ଘଟଣାରେ ସଂପୃକ୍ତ ଥିବା ନେଇ ବନ ବିଭାଗ ରେଞ୍ଜର୍‌ ଶରତ କୁମାର ଶତପଥୀ କହିଛନ୍ତି। ଖୁବ୍‌ଶୀଘ୍ର ଏହାର ପର୍ଦ୍ଦାଫାଶ ହେବ ବୋଲି ରେଞ୍ଜର୍‌ ଶ୍ରୀ ଶତପଥୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଚଢ଼ଉରେ ଏସିଏଫ୍‌ ରବିନାରାୟଣ ମହାପାତ୍ର, ଫରେଷ୍ଟର୍‌ ସତ୍ୟବାନ ସାହୁ, ସୌଭାଗ୍ୟଲକ୍ଷ୍ମୀ ଭୋଳ, ହରିଶ୍ଚନ୍ଦ୍ର ପଟ୍ଟନାୟକ ଓ ଟାସ୍କଫୋର୍ସ ଅଶୋକ ତୋଟାଳ ପ୍ରମୁଖ ସାମିଲ ଥିଲେ।

Advertisment