ବନ୍ଧୁକ ଜବତ, ଯୁବକ ଗିରଫ

ଉଦଳା-୧: ଉଦଳା ଥାନା କୁଣ୍ଡାବାଇ ଫାଣ୍ଡି ଅଧୀନ ପାଟ୍ଟଶାଣୀପୁର ପଞ୍ଚାୟତ କାଶୀକୁଣ୍ଡଳ ଗ୍ରାମରୁ ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଏସଆଇ ବିକର୍ତ୍ତନ ମଣ୍ଡଳ, ଏଏସ୍‌ଆଇ ଲିଟରାମ ସୋରେନ ଓ ସରୋଜ ଜେନାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଗ୍ରାମର ରମେଶ କଟୁଆଳ (୨୮)ଙ୍କ ଘରେ ଚଢ଼ଉ କରି ବନ୍ଧୁକ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ୩୫୫/୨୨ରେ ମାମଲା ରୁଜୁ କରି ଆଜି ରମେଶଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଶିମିଳିପାଳ ପାଦଦେଶରେ ଥିବା ଗାଁମାନଙ୍କରେ ଘରେ ଘରେ ଦେଶୀ ବନ୍ଧୁକ ରହିଥିବାର ଦେଖିବାକୁ ମିଳିଛି। ଜଙ୍ଗଲରୁ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଲୋକମାନେ ବନ୍ଧୁକ ରଖୁଥବା ବେଳେ ପ୍ରାୟ ସମୟରେ ଏଥିରେ ଘରୋଇ ହିଂସା ମଧ୍ୟ ଘଟୁଥିବାର ନଜରକୁ ଆସୁଛି। ଗତ ମାସରେ କାଶୀକୁଣ୍ଡଳ ଗ୍ରାମର ଜଣେ ଯୁବକ ମଦ ନିଶାରେ ଦେଶୀ ବନ୍ଧୁକରୁ ବାପାକୁ ଗୁଳି କରିବା ଏହାର ଜ୍ୱଳନ୍ତ ଉଦାହରଣ। ତେବେ ଉକ୍ତ ଘଟଣା ପରେ ବି ବନବିଭାଗର ନିଦ ଭାଙ୍ଗୁନି। ଏପଟେ ପୁଲିସ ଟିମ୍‌ ତନାଘନା ଆରମ୍ଭ କରିଛି ଓ ନିଜ ଗୁଇନ୍ଦା ସୂଚନା ଅନୁଯାୟୀ ଚଢ଼ଉକୁ ଜୋରଦାର କରିଛି।

ସମ୍ବନ୍ଧିତ ଖବର