ପୁରୀ : ପୁରୀ ଏସ୍ପି ଭାବେ ଦାୟିତ୍ବ ନେବା ପରେ ଅଖିଳେଶ୍ବର ସିଂହ ଏବେ ପୁରୁଣା ଅପରାଧର ପୃଷ୍ଠା ଲେଉଟାଇଛନ୍ତି। ୮ ବର୍ଷ ତଳର ବହୁଚର୍ଚ୍ଚିତ ତଳୁଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ପୁରୀର ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ମଣିକର୍ଣ୍ଣିକା ସାହିର ମାଧବ ଚନ୍ଦ୍ର ଖୁଣ୍ଟିଆ(୪୮)କୁ ଆଜି ଟାଉନ ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ମାଧବକୁ ପୁରୀ ଜେଲକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଗତ ୨୦୧୨ ଅଗଷ୍ଟ ୨୨ ତାରିଖ ସକାଳେ ବାଲିସାହି ପଞ୍ଚାୟତ ଜାଗା ନିକଟରେ ଗୁନ ସିଂହାରୀଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଟାଉନ ଥାନା ପୁଲିସ ଦଫା ୩୦୨ରେ୧୧୭/୨୦୧୨ ନମ୍ବର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ଛାନ୍ଭିନ୍ କରି ପୁଲିସ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ମାଧବଚନ୍ଦ୍ର ଖୁଣ୍ଟିଆ(୪୮)କୁ ପୁଲିସ ଗିରଫ କରିପାରି ନ ଥିଲା। ମାଧବ ଗିରଫଦାରିକୁ ନେଇ ରହିତାଦେଶ ଆଣିଥିବାରୁ ପୁଲିସ ଗିରଫ କରିବାକୁ ଅସମର୍ଥ ରହିଥିଲା। କୋର୍ଟଙ୍କ ରହିତାଦେଶ ସମୟସୀମା ସରିବା ପରେ ମାଧବଙ୍କ ନାମରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଏହି ପରୱାନା ବଳରେ ଟାଉନ ଥାନା ପୁଲିସ ଆଜି ମାଧବକୁ ଗିରଫ କରି କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/madhab-khunita-murder-case.jpg)