ଭୁବନେଶ୍ବର: ଡକାୟତି କରିବା ସହ ବନ୍ଧୁକ ବେପାର କରୁଥିବା କୁଖ୍ୟାତ ହରିଆ ଗ୍ୟାଙ୍ଗ୍‌କୁ କମିସନରେଟ୍‌ ପୁଲିସ କାବୁ କରିଛି। ଗତକାଲି ଭରତପୁର ଥାନା ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ଓ ସ୍ଥାନୀୟ ଥାନା ପୁଲିସ ହରିଆ ଗ୍ୟାଙ୍ଗ୍‌ର ୩ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। କିନ୍ତୁ ବିଚକ୍ଷଣ ହରିଆ ଓ ତା’ର ଡାହାଣ ହାତ କୁହାଯାଉଥିବା ଧର୍ମେନ୍ଦ୍ର ରାଉତ ଓରଫ ବିକ୍ରମ ଖସିଯାଇଛନ୍ତି। ଚଢ଼ଉ ବେଳେ ହରିଆ ଓ ବିକ୍ରମ ପୁଲିସ ଆଖି ଆଗରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ବୋଲେରୋ ସହ କାବୁ ହୋଇଥିବା ୩ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଭିତରଗଡ଼ର ଦୀପ୍ତିରଂଜନ ଜେନା ଓରଫ ଦୀପୁ(୨୦), ସେହି ଥାନା ପଶ୍ଚିମଭେଡ଼ା ଗାଁର ପ୍ରବୀର କୁମାର ସ୍ବାଇଁ ଓରଫ ସିପୁ(୨୮) ଓ କଟକ ନିଆଳି ଥାନା କପାସି ଗାଁର ଆଶିଷ ରଂଜନ ଦାସ ଓରଫ ସୁମିତ(୨୨)। ପୁଲିସ ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୬ ରାଉଣ୍ଡ ଗୁଳି, ୨ଟି ମାଗାଜିନ୍‌ଳ ଖଣ୍ଡା, ଭୁଜା‌ଲି, ଦକ୍ଷିଣୀ କଟୁରି, ଚୋରା ବୋଲେରୋ, ଲୁଟ୍‌ କରିଥିବା ୧୫ଗ୍ରାମ୍‌ର ସୁନାଚେନ୍‌, ୧୮ ହଜାର ଟଙ୍କା ଓ ୪ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। 

Advertisment

ପୁଲିସ ଆଖି ଆଗରୁ ଖସିଗଲା ମୁଖିଆ ହରିଆ
ବୋଲେରୋରୁ ମିଳିଲା ୨ ପିସ୍ତଲ, ୬ ଗୁଳି, ୨ମାଗାଜିନ୍‌, ଖଣ୍ଡା, କଟୁରି, ଭୁଜାଲି  

ଆଜି ପୁଲିସ‌ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏହି ଗ୍ୟାଙ୍ଗ୍‌ ବାବଦରେ ସୂଚନା ଦେଇଥିଲେ। ପ୍ରାୟ ବର୍ଷେ ହେଲା ରାଜଧାନୀରେ ସକ୍ରିୟ ଥିବା ଏହି ଗ୍ୟାଙ୍ଗ୍‌ ଗତକାଲି ଭରତପୁରରେ ପହଞ୍ଚିଥିଲେ। ସନ୍ଧ୍ୟା ପାଖାପାଖି ୫ଟା ବେଳେ ଭରତପୁର ଥାନା ଶ୍ୟାମପୁର ପଣ୍ଡାକୁଦିଆ ପଡ଼ିଆରେ ଏକ ବୋଲେରୋରେ ୪/୫ଜଣ ଯୁବକ ସନ୍ଦେହଜନକ ଅବସ୍ଥାରେ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ତୁରନ୍ତ ଭରତପୁର ଥାନା ପୁଲିସକୁ ଜଣାଇବା ପରେ ୨ଟି ଟିମ୍‌ ପଣ୍ଡାକୁଦିଆ ଅଭିମୁଖେ ବାହାରି ପଡ଼ିଥିଲେ। ଦୁଇ ଦୁଇଟି ଗାଡ଼ି ବୋଲେରୋକୁ ଘେରିବା ଦେଖି ୫ଜଣ ଦୁର୍ବୃତ୍ତ ମଳିପଡ଼ା ଦିଗରେ ଆଖିବୁଜା ଧାଇଁବାକୁ ଲାଗିଲେ। ପୁଲିସ ଟିମ୍‌ ଗୋଡ଼ାଇ ଗୋଡ଼ାଇ ୩ଜଣଙ୍କୁ କାବୁ କଲା। ମାତ୍ର ହରିଆ ଓ ବିକ୍ରମ ଖସିଗଲେ। ଧରାପଡ଼ିଥିବା ୩ଜଣଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ ସେମାନେ ଡକାୟତି କରିବା ଲାଗି ସ୍ଥାନୀୟ ଏକ ପେଟ୍ରୋଲ୍‌ ପମ୍ପକୁ ଟାର୍ଗେଟ୍‌ କରିଥିଲେ। ଏହି ମାମଲାର ଅଧିକ ତଦନ୍ତ ଚାଲିଛି ଏବଂ ଯଥାଶୀଘ୍ର ହରିଆ ଓ ବିକ୍ରମକୁ ଗିରଫ କରାଯିବ ବୋଲି ସିପି ଶ୍ରୀ ସିଂ କହିଛନ୍ତି। 

ଏହି ଗ୍ୟାଙ୍ଗ୍‌ ଓଡ଼ିଶାର ବିଭିନ୍ନ ସହରରେ ଡକାୟତି, ଲୁଟ୍‌ ଓ ରାହାଜାନୀ କରିଛି। କେନ୍ଦ୍ରାପଡ଼ାରୁ ଆରମ୍ଭ କରି କଟକ, ଆଠଗଡ଼, ଢେଙ୍କାନାଳ, କାମାକ୍ଷାନଗର, ଜଟଣୀ ଆଦି ଅଞ୍ଚଳରେ ଲୁଟ୍‌ପାଟ୍‌ କରିଛନ୍ତି। ଗ୍ୟାଙ୍ଗ୍‌ର ମୁଖିଆ କଟକ ନିଆଳି ଥାନା ନଟି ଗାଁର ହରେକୃଷ୍ଣ ସ୍ବାଇଁ ହରିଆ ନାଁରେ ୨୧ ମାମଲା ରହିଛି। ହରିଆ କଟକ ଓ ଭୁବନେଶ୍ବରରେ ବେଶି ସକ୍ରିୟ ଥିବା ବେଳେ ରାଜନଗର ଥାନା ବରଗାଁର ବିକ୍ରମ ତା’ ଅଞ୍ଚଳର ଦୁର୍ବୃତ୍ତମାନଙ୍କୁ ଯୋଡ଼ିଥିଲା। ହରିଆ ଗ୍ୟାଙ୍ଗ୍‌ କେବଳ ଡକାୟତି କରନ୍ତି ନାହିଁ, ସେମାନଙ୍କ ମୁଖ୍ୟ ଧନ୍ଦା ଥିଲା ବନ୍ଧୁକ ବେପାର। ବିହାର ଓ ଗୁଜରାଟରୁ ପିସ୍ତଲ ଆଣି ହରିଆ ଓଡ଼ିଶାରେ ୩୦/୪୦ ହଜାର ଟଙ୍କାରେ ବିକୁଥିଲା। ମଝିରେ ମଝିରେ ଦୀପୁ ଓ ତା’ର ସହଯୋଗୀ ଛିନ୍‌ତାଇ କରନ୍ତି। ଛିନ୍‌ତାଇ ବେଳେ ଗୁଳି କରିବାକୁ ପଛାନ୍ତି ନାହିଁ। ୨୦୨୧ ଓ ୨୦୨୨ ମସିହାରେ ଜଟଣୀ ଓ ଭରତପୁର ଥାନା ଅଞ୍ଚଳରେ ଦୀପୁ ଓ ବିକ୍ରମ ଗୁଳି ଚାଳନା କରିଥିବା ମାମଲା ରହିଛି। ଜେଲ୍‌ରେ ଦୀପୁ ଓ ବିକ୍ରମ ସହ ହରିଆର ମେଣ୍ଟ ହୋଇଥିବା ଜଣାପଡ଼ିଛି। ୨୦୧୭ ମସିହାରୁ ଅପରାଧ ଜଗତରେ ପାଦ ରଖିଥିବା ହରିଆ ୨୦୧୯ ସୁଦ୍ଧା ଦେଢ଼ ଡଜନ ମାମଲାରେ ସମ୍ପୃକ୍ତ ହୋଇଥିଲା।