ସ୍ବପ୍ନରେ ରହିଯିବ ଗୁଣପୁର-ଥେରୁବାଲି ରେଳ ଲାଇନ୍ : ବଜେଟରେ ମିଳିଲା ମାତ୍ର ଲକ୍ଷେ ଟଙ୍କା

ରାୟଗଡ଼ା ନୂଆ ଡିଭିଜନ୍ କୋଠା ପାଇଁ ୪୦ଲକ୍ଷ ଅନୁଦାନ
ଜୟପୁର-ମାଲକାନଗିରିକୁ ୨୮, ନବରଂଗପୁରକୁ ୧୫ କୋଟି
ସିଙ୍ଗାପୁର ରୋଡ୍‌-କୋରାପୁଟ ଦୋହରୀକରଣ ପାଇଁ ବି ଲକ୍ଷେ

ରାୟଗଡ଼ା : ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ପାଇଁ ଗୁରୁତ୍ବ ରଖୁଥିବା ଗୁଣପୁର-ଥେରୁବାଲି ରେଳ ଲାଇନ୍ ସ୍ବପ୍ନରେ ରହିଯିବ। ୨୦୨୧-୨୨ ରେଳ ବଜେଟ୍ ପରେ ସରକାରଙ୍କ ଆଭିମୁଖ୍ୟରେ ଏହା ସ୍ପଷ୍ଟ ହୋଇଯାଇଛି। ଚଳିତ ବଜେଟରେ ସରକାର ଏହି ନୂଆ ପ୍ରକଳ୍ପ ପାଇଁ ମାତ୍ର ୧ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ବିଗତ ତିନୋଟି ବଜେଟରେ କେନ୍ଦ୍ର ସରକାର ମାତ୍ର ୩ ଲକ୍ଷ ଅନୁଦାନ ଦେବା ଏହି ପ୍ରକଳ୍ପ ପ୍ରତି ଉପହାସ ସଦୃଶ୍ୟ ହୋଇଥିବାରୁ ଜନ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି।

ଗୁଣପୁର-ଥେରୁବାଲି ପ୍ରକଳ୍ପ ପରି ରାୟଗଡ଼ା ଡିଭିଜନ୍ ଅଧୀନରେ ଥିବା ସମସ୍ତ ନୂଆ ଓ ଦୋହରୀକରଣ ପ୍ରକଳ୍ପକୁ ବଜେଟରେ ଅବହେଳା କରାଯାଇଛି। ପୂର୍ବ ବର୍ଷ ବଜେଟ୍ ତୁଳନାରେ ପ୍ରକଳ୍ପ ଅନୁଦାନ କମିଥିବାବେଳେ ରାୟଗଡ଼ା ନୂଆ ଡିଭିଜନ୍ କାର୍ଯ୍ୟାଳୟ ପାଇଁ ମିଳିଛି ମାତ୍ର ୪୦ ଲକ୍ଷ। ୨୦୨୦-୨୧ ବଜେଟରେ ନୂଆ ଡିଭିଜନ୍ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ୩ କୋଟିର ଅନୁଦାନ ମିଳିଥିଲା। ଚଳିତ ବର୍ଷ ତାହା ୪୦ ଲକ୍ଷକୁ ଖସି ଆସିଛି। ୨୦୨୦ ଅଗଷ୍ଟ ସୁଦ୍ଧା ନୂଆ ଡିଭିଜନ୍ କାର୍ଯ୍ୟକ୍ଷମ ଲାଗି ରେଳ ବିଭାଗ ଲକ୍ଷ୍ୟ ରଖିଥିଲା। ହେଲେ ବିଭାଗୀୟ ଅବହେଳା କାରଣରୁ ଆଜି ସୁଦ୍ଧା ଭୂଇଁରୁ ଉଠିପାରୁନି ଏହି ପ୍ରକଳ୍ପ। ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍ (୧୩୫ କିମି) ପାଇଁ ୨୮ କୋଟି ଏବଂ ଜୟପୁର-ନବରଙ୍ଗପୁର ନୂଆ ରେଳ ଲାଇନ୍ (୩୮ କିମି) ବଜେଟରେ ମିଳିଛି ୧୫ କୋଟି ୧୦ ଲକ୍ଷ। ଜଗଦଲପୁର-କୋରାପୁଟ (୧୧୦ କିମି) ରେଳପଥର ଦୋହରୀକରଣ ପାଇଁ ବଜେଟରେ ୮୫ କୋଟି ମିଳିଥିବାବେଳେ କୋରାପୁଟ-ସିଙ୍ଗାପୁର ରୋଡ୍ ଲାଇନର ଦୋହରୀକରଣ ପାଇଁ ମିଳିଛି ମାତ୍ର ଲକ୍ଷେ ଟଙ୍କା। କେବଳ ଟିଟିଲାଗଡ଼-ରାୟଗଡ଼ା-ବିଜୟନଗରମ୍ ମଧ୍ୟରେ ତୃତୀୟ ଲାଇନ ନିର୍ମାଣକୁ ବଜେଟରେ ଗୁରୁତ୍ବ ଦେଇଛନ୍ତି ସରକାର। ୨୬୪.୬ କିମିର ଏହି ପ୍ରକଳ୍ପ ପାଇଁ ମିଳିଛି ୩୦୦ କୋଟି। ଅନ୍ୟପକ୍ଷରେ ରାୟଗଡ଼ା ନୂଆ ଡିଭିଜନ୍ ସହ ମାଲକାନଗିରି, ନବରଙ୍ଗପୁର, ଗୁଣପୁର ରେଳ ଲାଇନର ନିର୍ମାଣ ପାଇଁ ସରକାର ବଜେଟରେ ଯେଭଳି ଗୁରୁତ୍ବ ଦେବା କଥା ଦେଇନାହାନ୍ତି।

ଅନୁଦାନ ଅଭାବରୁ ୨୦୧୬ ବଜେଟରୁ କାମ ଆରମ୍ଭ ହୋଇଥିବା ମାଲକାନଗିରି-ଜୟପୁର, ଜୟପୁର-ନବରଙ୍ଗପୁର ରେଳପଥ କାମ ଆଦୌ ଆରମ୍ଭ ହୋଇପାରିନାହିଁ। ସେହିପରି ୨୦୧୭-୧୮ ରେଳ ବଜେଟରେ ନୌପଡ଼ା-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ୯୩୫କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହି ରେଳପଥ ଭବିଷ୍ୟତ ପାଇଁ ଲାଭବାନ୍ ନଥିବା ଦର୍ଶାଇ ଅନୁଦାନ ଦେଉନି। ୨୦୧୮-୧୯ ବଜେଟରେ ଗୁଣପୁର-ଥେରୁବାଲି ପ୍ରକଳ୍ପକୁ ଟଙ୍କାଟିଏ ଅନୁଦାନ ମିଳି ନ ଥିବା ବେଳେ ବିଗତ ୩ ଆର୍ଥିକ ବର୍ଷରେ ମିଳିଛି ମାତ୍ର ୩ଲକ୍ଷ ଟଙ୍କା। ୧୯୭୨ରେ ସର୍ଭେ ଆରମ୍ଭ ହୋଇ ୨୦୧୪ରେ ଶେଷ ହେବା ପରେ ୭୯କିମି ରେଳପଥର ରେଟ୍ ଅଫ୍ ରିଟର୍ଣ ୧୩.୫ ଥିଲା। କିନ୍ତୁ ଡିପିଆର ପ୍ରସ୍ତୁତ ସତ୍ତ୍ବେ ଗତ ୬ଟି ରେଳ ବଜେଟରେ ଏହି ପ୍ରକଳ୍ପକୁ ସବୁଜ ସଂକେତ ମିଳିପାରୁନି। ବିଶାଖାପାଟଣା-କିରୁଣ୍ଡୋଲ୍, ସମ୍ବଲପୁର-କୋରାପୁଟ, ରାୟଗଡ଼ା-ଝାରସୁଗୁଡ଼ା ଏବଂ ଥେରୁବାଲିଠୁ ଆରମ୍ଭ କରି କେନ୍ଦୁଝର ଶିଳ୍ପ କରିଡର୍ ସହ ସଂଯୋଗ ହୋଇଛି ଏହି ରେଳପଥ। ଦୈନିକ ଶହେରୁ ଊର୍ଦ୍ଧ୍ବ ମାଲବାହୀ ଟ୍ରେନ୍ ଏହି ରେଳପଥ ଦେଇ ଚଳାଚଳ କରୁଥିବା ବେଳେ ରାଜସ୍ବ ବାବଦକୁ ମାସିକ ଆଦାୟ ହେଉଛି ଶହ ଶହ କୋଟି କୋଟି ଟଙ୍କା। କିନ୍ତୁ ବଜେଟରେ ସବୁଠୁ କମ୍ ଅନୁଦାନ ପାଉଛି ଏହି ରେଳପଥ। କେବଳ ଦୋହରୀକରଣକୁ ଛାଡ଼ିଲେ ନୂଆ ପ୍ରକଳ୍ପକୁ ସରକାର ଗୁରୁତ୍ବ ଦେଉନାହାନ୍ତି।

ସମ୍ବନ୍ଧିତ ଖବର