ପୁରୀ: ରାତି ପାହିଲେ ବାହୁଡ଼ା ଯାତ୍ରା। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ। ଏହା ପୂର୍ବରୁ ଆଜି ଜନ୍ମବେଦି(ଆଡ଼ପମଣ୍ଡପ)ରୁ ଶେଷ ଦର୍ଶନ ଭାବେ ନବମୀ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବମୀ ଦର୍ଶନ କରିଛନ୍ତି। ଏଥିପାଇଁ ଆଜି ବଡ଼ଦାଣ୍ଡରେ ଭାବପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଛି। ଲକ୍ଷାଧିକ ସଂଖ୍ୟାରେ ଭକ୍ତ ମେଡିକାଲ୍ ଛକରୁ ଧାଡ଼ିରେ ରହି ମହାପ୍ରଭୁଙ୍କ ଶେଷ ଆଡ଼ପମଣ୍ଡପ ଦର୍ଶନର ସୌଭାଗ୍ୟ ଅର୍ଜିଛନ୍ତି।
ସେପଟେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଆଜି ଦିନ ୫ଟା ସନ୍ଧ୍ୟା ଦର୍ଶନ ବନ୍ଦ ହୋଇନଥିଲା। ଶ୍ରଦ୍ଧାଳୁମାନେ ସନ୍ଧ୍ୟା ସାଢ଼େ୬ଟା ଯାଏ ଆଡ଼ପମଣ୍ଡପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଛନ୍ତି। ଏହା ପରେ ବି ଅନେକ ଭକ୍ତ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ମାତ୍ର ଦର୍ଶନ ବନ୍ଦ ଯୋଗୁ ଏହି ଭକ୍ତମାନେ ନିରାଶ ହୋଇ ଫେରିଛନ୍ତି। ଅନ୍ୟପଟେ ଆଜି ନୀତିକାନ୍ତି ସଅଳ ସଂପନ୍ନ ହୋଇଛି। ଗତକାଲି ନୀତି ବିଳମ୍ବ କାରଣରୁ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହୋଇନଥିଲା। ଏଣୁ ବିନା ପହୁଡ଼ରେ ଆଜିର ଦୈନନ୍ଦିନ ନୀତି ଆରମ୍ଭ ହୋଇଥିଲା। ସକାଳ ୬ଟା ୪୦ରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ସାଢ଼େ ୯ଟା ସୁଦ୍ଧା ରାତ୍ର ପହୁଡ଼ ସଂପନ୍ନ ହୋଇଛି। ଭକ୍ତଙ୍କ ମହାପ୍ରସାଦ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂଧ୍ୟା ପୂର୍ବରୁ ଆଜି ତିନିଟି ଭୋଗମଣ୍ଡପ ଉଠିଛି। ନାକଚଣା ଦ୍ବାର ଦେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରସାଦ ନେଇଛନ୍ତି। ସେପଟେ ଆଜିଠାରୁ ଆଡ଼ପ ଅବଢ଼ା ମିଳିବା ଶେଷ ହେଉଥିବାରୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ପ୍ରବଳ ଭିଡ଼ ଲଗାଇଥିଲେ।
ନିରାଶ ହୋଇ ଫେରିଲେ ବହୁ ଭକ୍ତ
ସାଢ଼େ ୬ଟା ଯାଏ ଭକ୍ତଙ୍କୁ ମିଳିଲା ଦର୍ଶନ ସୁଯୋଗ
ରାତି ସାଢ଼େ ୯ଟାରେ ପହୁଡ଼
ପୂର୍ବବର୍ଷ ତୁଳନାରେ ଢ଼େର ଅଧିକ ଭକ୍ତ ଆଜି ସଂଧ୍ୟା ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି। କିନ୍ତୁ ସଅଳ ଦର୍ଶନ ବନ୍ଦକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି। ଯଦି ସଂଧ୍ୟା ବେଳର ଏହି ଦର୍ଶନକୁ ସଂଧ୍ୟା ଦର୍ଶନ କୁହାଯାଉଛି, ତେବେ ସଅଳ ଦର୍ଶନ ବନ୍ଦ କାହିଁକି ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ସେପଟେ ଦିନରେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଠେଲାପେଲା ହୋଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସନ୍ଧ୍ୟାଦର୍ଶନ ପାଇଁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ବାହାରେ ବହୁ ସଂଖ୍ୟାରେ ପୁଲିସ ଜଗି ରହିଥିଲେ। କିନ୍ତୁ ଭିତର ସେଭଳି ବ୍ୟବସ୍ଥା ନଥିଲା। ଏଥିପାଇଁ ବ୍ୟାରିକେଡ୍ରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ସେଭଳି କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଭକ୍ତମାନେ ଦର୍ଶନ ପାଇଁ କଲବଲ ହୋଇଥିଲେ। ରାତ୍ର ପହୁଡ଼ ପରେ ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ସନ୍ଧ୍ୟାଦର୍ଶନ ୧୦ ଗୁଣ ପୁଣ୍ୟ ଦିଏ
ପୁରୀ: ଶ୍ରୀବିଗ୍ରହ ଗୁଣ୍ଡିଚା ମନ୍ଦିରରେ ବିଜେ ହେବା ପରେ ବହୁଭକ୍ତ ବନ ଜାଗରଣ ବ୍ରତ ପାଳନ କରନ୍ତି। ବ୍ରତ ଧାରଣ କରିଥିବା ଭକ୍ତମାନେ ଆଷାଢ଼ ତୃତୀୟାରୁ ନବମୀ ପର୍ଯ୍ୟନ୍ତ ବ୍ରତ ପାଳନ୍ତି। ଏହାକୁ ମହାବେଦି ମହୋତ୍ସବ ବ୍ରତ ମଧ୍ୟ କୁହାଯାଏ। ଏଥିସହ ଦିନରେ ଦର୍ଶନ ଅପେକ୍ଷା ରାତି ଦର୍ଶନରେ ଦଶଗୁଣ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ସନ୍ଧ୍ୟାଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ ହୁଏ। ସନ୍ଧ୍ୟାଦର୍ଶନ ହେଉଛି ବାହୁଡ଼ା ପୂର୍ବଦିନର ଦର୍ଶନ ଯୋଗ ଅର୍ଥାତ୍ ଆଡ଼ପମଣ୍ଡପରେ ସାଧାରଣ ଭକ୍ତଙ୍କ ପାଇଁ ଶେଷ ଦର୍ଶନର ସୁଯୋଗ। ଏହି ଦିନ ସାଧାରଣ ଦିନ ନୀତି ଭଳି ଯାତ୍ରାଙ୍ଗି ମହାସ୍ନାନ ଶେଷ ହେବା ପରେ ସର୍ବାଙ୍ଗ ଓ ରାହାସକୁ ଦିଅଁ ବିଜେ, ପହୁଡ଼ ଆରତି, ଶ୍ରୀମୁଖଖଣ୍ଡୁଆ, ବାହୁଟ କଣ୍ଟ, ଚାରମାଳ ବନ୍ଧା ଓ କୁସୁମି ଲାଗି ଭଳି ଗୁପ୍ତନୀତି ଅଧିକା ହୋଇଥାଏ। ତେଣୁ ରାତି ୯ଟା ପୂର୍ବରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ମାତ୍ର ଚଳିତ ବର୍ଷ ସନ୍ଧ୍ୟା ନ ହେଉଣୁ, ଅର୍ଥାତ୍ ୫ଟାରୁ ସନ୍ଧ୍ୟା ଦର୍ଶନ ଭକ୍ତଙ୍କ ପାଇଁ ବନ୍ଦ କରିଦିଆଯାଇଛି।