ପୁରୀ: ଗୁଣ୍ଡିଚା ମନ୍ଦିର ଜଗମୋହନକୁ ଯିବା ପାଇଁ ତିନିଟି ଦ୍ବାର ରହିଛି। ଗୋଟିଏ ଜୟ ବିଜୟ ଦ୍ବାର ଅତିକ୍ରମ କରିବା ପରେ ଏବଂ ଅନ୍ୟଟି ଜଗମୋହନର ବାମ ପାର୍ଶ୍ବରେ ରହିଛି। ସେବକମାନେ ନୀତି ସମ୍ପାଦନ ଓ ପାରିମାଣିକ ଦର୍ଶନ ସମୟରେ ଦର୍ଶନାର୍ଥୀମାନେ ଏହି ଦ୍ବାର ଦେଇ ଗମ୍ଭୀରାକୁ ପ୍ରବେଶ କରିଥାନ୍ତି। ଜଗମୋହନର ଡାହାଣ ପାର୍ଶ୍ବରେ ଭଣ୍ଡାର ଘର ରହିଛି। ଶ୍ରୀବିଗ୍ରହମାନଙ୍କ ନିତ୍ୟ ଅଳଙ୍କାର, ବସ୍ତ୍ର ରଖିବା ପାଇଁ ସିନ୍ଦୁକ ରହିଛି। ଏହି ଗୃହରେ ମଦନମୋହନ, ରାମକୃଷ୍ଣ ବିଗ୍ରହଙ୍କ ଆସ୍ଥାନ ପାଇଁ ଏକ ପଥର ପିଣ୍ଡି ରହିଛି। ଉକ୍ତ ଗୃହକୁ ଖଟ ଶେଜ, ଦକ୍ଷିଣୀ ଓ ଚାଙ୍ଗଡ଼ା ଘର ଭାବେ ବ୍ୟବହୃତ କରାଯାଇଥାଏ। ଜଗମୋହନରୁ ବାହାରକୁ ଆସିବା ଦ୍ବାରର ନାମ ବେହରଣ ଦ୍ବାର।
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ରଙ୍କ ‘ଶ୍ରୀଗୁଣ୍ଡିଚା ମନ୍ଦିର’ ପୁସ୍ତକରେ ଉଲ୍ଲେଖ ପ୍ରକାରେ ଜଗମୋହନ ଗୃହର ଶେଷଭାଗରେ ରହିଛି ଭିତର କାଠ। ଏହା ପରର ସ୍ଥାନକୁ ବଲ୍ଲଭ ପିଣ୍ଡି କୁହାଯାଏ। ଗମ୍ଭୀରାର ମୁଖ୍ୟ ଦ୍ବାର ତଥା କଳାହାଟ ଦ୍ବାରଠାରୁ ଭିତର କାଠ ପର୍ଯ୍ୟନ୍ତ ଥିବା ସ୍ଥାନକୁ ବଲ୍ଲଭ ପିଣ୍ଡି ଭାବେ ଅଭିହିତ କରାଯାଇଛି। ଜଗମୋହନର ଉତ୍ତର ପାର୍ଶ୍ବସ୍ଥ ବାହାର କାନ୍ଥରେ ପୁତନା ବଧ, କାଳୀୟଦଳନ, ଜାମଳାଭଞ୍ଜନ, ଖମ୍ବାସୁର, ଅର୍ଘାସୁର, ରାମାଭିଷେକ, ରାମ-ରାବଣ ଯୁଦ୍ଧ, ସୀତାବିବାହ, କେଶୀସୁର, ଶକଟାସୁର, ବକାସୁର, ଷଣ୍ଢାସୁର କଳାକୃତି ରହିଛି। ଉପରି ଭାଗରେ ଗଣେଶ, ବଦ୍ରିନାରାୟଣ, ଏକମୁଖୀ ଓ ଚତୁର୍ମୁଖୀ ବ୍ରହ୍ମାଙ୍କ କୃତି ରହିଛି। ଜଗମୋହନର ଦକ୍ଷିଣ ପଟ ବାହାର କାନ୍ଥରେ ନନ୍ଦରାଜାଙ୍କ କୋଳରେ କୃଷ୍ଣ ବଳରାମ, ନାରଦ, ମୁନି, ଦେବରାଜ ଇନ୍ଦ୍ର, ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି, ରାମ ବଳରାମ, ସୁଦାମା, ଗଙ୍ଗାଯମୁନା କଳାକୃତି ଶୋଭା ପାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/jdggjdjdgj.jpg)