ପୁରୀ: ମିଥିଳାପୁରର ରାଜା ଜନକ ଥିଲେ ପରମ ଧାର୍ମିକ ରାଜର୍ଷି। ଦକ୍ଷିଣ ସମୁଦ୍ର ଉପକୂଳସ୍ଥ ଯଜ୍ଞଭୂମି ହେଉଛି ପୁରୁଷୋତ୍ତମ କ୍ଷେତ୍ର। ଏବେ ଯେଉଁଠି ଗୁଣ୍ଡିଚା ମନ୍ଦିର ରହିଛି ସେଇ ସ୍ଥାନରେ ମହାରାଜା ଜନକ ଯଜ୍ଞ କରିଥିଲେ। ସୀତାଙ୍କର ଏହିଠାରେ ଆବିର୍ଭାବ ହୋଇଥିଲା ବୋଲି ଜନଶ୍ରୁତି ରହିଛି। ଏବେ ବି ସମଗ୍ର ଭାରତ ବର୍ଷର ଅଧିକାଂଶ ହିନ୍ଦୀ ଭାଷାଭାଷୀ ତୀର୍ଥ ଯାତ୍ରୀଗଣ ଗୁଣ୍ଡିଚା ଘରକୁ ‘ଜନକ ପୁରୀ’ ବିବେଚନା କରି ଧାଇଁ ଆସନ୍ତି। ଏହି କିଂବଦନ୍ତି ମିଥିଳାରେ ମଧ୍ୟ ପ୍ରଚଳିତ ଥିବା ଜଣାଯାଏ। ବିଭିନ୍ନ ଅଞ୍ଚଳରୁ ଆସୁଥିବା ଯେଉଁ ହିନ୍ଦୁ ଯାତ୍ରୀମାନେ ପୁରୁଷୋତ୍ତମ କ୍ଷେତ୍ରକୁ ଆସନ୍ତି, ସେମାନଙ୍କ ପକ୍ଷେ ଏହି ଗୁଣ୍ଡିଚା ମଣ୍ଡପ ବା ଯଜ୍ଞମଣ୍ଡପକୁ ସୀତାଙ୍କ ଜନ୍ମସ୍ଥାନ ହେତୁ ପରମ ପବିତ୍ର ସ୍ଥାନ ବୋଲି ବିବେଚନା କରାଯାଏ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ରଙ୍କ ‘ଶ୍ରୀଗୁଣ୍ଡିଚା ମନ୍ଦିର’ ପୁସ୍ତକରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି।
ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଏହି କ୍ଷେତ୍ରର ପ୍ରାଚୀନତା ସମ୍ପର୍କରେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ବାଲ୍ମିକୀ ରାମାୟଣର ଆଦ୍ୟକାଣ୍ଡର ବର୍ଣ୍ଣନା ଅନୁଯାୟୀ ମିଥିଳାପୁରର ରାଜା ଜନକ ସନ୍ତାନସନ୍ତତି ନ ହେବାରୁ ଅଭାବବୋଧରେ ଘାରି ହେଉଥିଲେ। ପୁତ୍ରକନ୍ୟା ବିନା ସଂସାରରେ ସୁଖ ଅସମ୍ଭବ ବୋଲି ଚିନ୍ତା କଲେ। ସନ୍ତାନସନ୍ତତି ପାଇବା ପାଇଁ ପାତ୍ରମନ୍ତ୍ରୀଙ୍କ ହାତରେ ରାଜ୍ୟ ଶାସନ ଭାର ଦେଇ ଜଙ୍ଗଲକୁ ଯାଇ ତପସ୍ୟା କଲେ। ଜନକ ତପସ୍ୟା କରୁଥିବା ବେଳେ ଦିନେ ସ୍ବର୍ଗର ଅପ୍ସରା ମେନକାଙ୍କର ନଜର ପଡ଼ିଲା। ଜନକ ତାଙ୍କ ପ୍ରତି ଶ୍ରଦ୍ଧାପରବଶ ହେବାରୁ ମେନକା ଶୂନ୍ୟରେ ଥାଇ ଜନକଙ୍କୁ କହିଲେ, ମୋର ରୂପ ଲାବଣ୍ୟ ଦେଖି ତୁମେ ମୋ ପରି ସୁନ୍ଦରୀ କନ୍ୟା ଲାଭ କରିବାକୁ ଚିନ୍ତା କରୁଛ। ମାତ୍ର ମୋଠାରୁ ଶତ ଗୁଣ ଅଧିକ ରୂପରେ ତୁମର ଏକ କନ୍ୟା ଜାତ ହେବ। ମେନକା ଏହା କହି ସ୍ବର୍ଗକୁ ଚାଲିଗଲେ। ଜନକ ଏହା ଶୁଣିବା ପରେ ଖୁସିରେ ରାଜ ଦରବାରକୁ ପ୍ରତ୍ୟାବର୍ତ୍ତନ କଲେ। ପାତ୍ରମନ୍ତ୍ରୀଙ୍କୁ ସମସ୍ତ କଥା ଅବଗତ କରାଇଲେ।
ଜନକ ଦକ୍ଷିଣ ମହୋଦଧିରେ ଯଜ୍ଞ କରିବା ପାଇଁ ଇଚ୍ଛା ପ୍ରକଟ କଲେ। ରାଜାଙ୍କ ନିର୍ଦ୍ଦେଶମତେ ସମସ୍ତ ଆୟୋଜନ କରାଗଲା। ଜନକ ଦକ୍ଷିଣ ସମୁଦ୍ର ଉପକୂଳରେ ପହଞ୍ଚିଲେ। ତାଙ୍କ ସହ ବହୁ ଋଷି ମଧ୍ୟ ସାମିଲ୍ ହେଲେ। ମୁନୀଋଷିମାନଙ୍କ ସହିତ ଜନକ ଯଜ୍ଞ ଆରମ୍ଭ କଲେ। ପୂର୍ଣ୍ଣାହୁତି ଦେଇ ଯଜ୍ଞ ଶେଷ ହେଲା। ରାଜା ପୂର୍ବରୁ ସ୍ବର୍ଣ୍ଣ ଲଙ୍ଗଳ ପ୍ରତିଷ୍ଠା କରି ରଖିଥିଲେ। ଯଜ୍ଞ କରିଥିବା ସ୍ଥାନରେ ଅର୍ଥାତ ଯଜ୍ଞଭୂମିକୁ ଚାଷ କରାଇଲେ। ଭୂମିକୁ ଆଘାତ କରିବା ପରେ ସେଠାରୁ ଏକ ଲୁହାର ମଞ୍ଜୁଷା ତଥା ପେଡ଼ି ବାହାରିଥିଲା। ମଞ୍ଜୁଷାକୁ ଫିଟାଇବାରୁ ତା’ ଭିତରେ ଅପୂର୍ବ ରୂପଲାବଣ୍ୟମୟୀ କନ୍ୟା ଥିବା ଦେଖିଲେ। ଜନକ କନ୍ୟାକୁ ଦେଖି କୋଳେଇ ନେଲେ। ଆକାଶ ମାର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କଲେ। ଉପସ୍ଥିତ ମୁନିଋଷିମାନେ ସେହି କନ୍ୟାର ନାମ ସୀତା ଦେଲେ। ତେଣୁ ଜନକ ଯେଉଁ ଦକ୍ଷିଣ ସମୁଦ୍ର ଉପକୂଳରେ ଯଜ୍ଞ କରିଥିଲେ ତାହା ଏହି ସ୍ଥାନ ବୋଲି ବିବେଚନା କରାଯାଏ ବୋଲି ଉଲ୍ଲେଖ ରହିଛି। ତେଣୁ ଏହି ଗୁଣ୍ଡିଚା ମଣ୍ଡପ ବା ଯଜ୍ଞ ମଣ୍ଡପ ସୀତାଙ୍କ ଜନ୍ମସ୍ଥାନ ହୋଇଥିବାରୁ ଏହି ପବିତ୍ର ଭୂମିର ସ୍ପର୍ଶ ନେବାକୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସନ୍ତି।
ପାଞ୍ଚ ଏକର ୪୦୨ ଡିସିମିଲ ଭୂମିରେ ଠିଆ ହୋଇଛି ଶ୍ରୀଗୁଣ୍ଡିଚା ମନ୍ଦିର
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ମୋଟ ୫ ଏକର ୪୦୨ ଡିସିମିଲ ପରିମିତ ଭୂମି ଉପରେ ଅବସ୍ଥିତ। ଶ୍ରୀଗୁଣ୍ଡିଚା ମନ୍ଦିର ବିଜେସ୍ଥଳୀ ହାଲ ବନ୍ଦୋବସ୍ତ ରେକର୍ଡ ମୁତାବକ ପୁରୀ ସହରର ତାଳବଣିଆ ମୌଜାର ଖାତା ନମ୍ବର ୧୪୭ରେ ରହିଛି। ମନ୍ଦିରର ବିଜେସ୍ଥଳୀରେ ପକ୍କା ମଣ୍ଡପ, ରୋଷ ଘର, ବିଜେସ୍ଥଳୀ ମନ୍ଦିର, କୂଅ ଓ ବଗାୟତ ଆଦି ରହିଛି। ପୂର୍ବରୁ ଏହା ଶ୍ରୀଜଗନ୍ନାଥ ମହାପ୍ରଭୁ, ଗୁଣ୍ଡିଚା ମନ୍ଦିର ମାର୍ଫତ ରାଜା ମୁକୁନ୍ଦଦେବଙ୍କ ନାମରେ ରେକର୍ଡ ଥିଲା।
ମୁଖ୍ୟ ମନ୍ଦିର ସମେତ ଜଗମୋହନ, ନାଟ ମନ୍ଦିର, ଭୋଗ ମଣ୍ଡପ ସଂଯୁକ୍ତ ରହିଛି। ମନ୍ଦିରର ଚାରିପାର୍ଶ୍ବରେ ଶ୍ରୀମନ୍ଦିର କୂର୍ମ ପ୍ରାଚୀର ଅନୁରୂପ ଗୋଟିଏ ମଧ୍ୟବର୍ତ୍ତୀ ପ୍ରାଚୀର ଦେଖିବାକୁ ମିଳେ। ଗୁଣ୍ଡିଚା ମନ୍ଦିରର ମୁଖ୍ୟ ପ୍ରାଚୀରରେ ୩ଟି ଦ୍ବାର ରହିଛି। ସିଂହଦ୍ବାର, ନାକଚଣା ଦ୍ବାର ବ୍ୟତୀତ ଉତ୍ତର ପାର୍ଶ୍ବରେ ଏକ ଦ୍ବାର ରହିଛି। ମନ୍ଦିରଟି ଦକ୍ଷିଣାଭିମୁଖୀ। ସମ୍ମୁଖ ଭାଗରେ ଦୁଇଟି ଦ୍ବାର ରହିଛି। ମୁଖ୍ୟ ଦ୍ବାର ଦେଇ ଠାକୁରମାନେ ରଥରୁ ଓହ୍ଲାଇ ଆଡ଼ପ ମଣ୍ଡପକୁ ଯାଆନ୍ତି। ଅନ୍ୟଟି ନାକଚଣା ଦ୍ବାର। ଏହି ବାଟ ଦେଇ ଚତୁର୍ଦ୍ଧା ବିଗ୍ରହ ବାହୁଡ଼ା ଦିନ ପହଣ୍ଡି ହୋଇ ରଥ ଉପରକୁ ଆସନ୍ତି। ଏହାବ୍ୟତୀତ ନୃସିଂହ ମନ୍ଦିର ପାର୍ଶ୍ବ ପାଚେରିରେ କ୍ଷୁଦ୍ର ଦ୍ବାର ରହିଛି। ଏହାକୁ ଉତ୍ତର ଦ୍ବାର କୁହାଯାଏ। ଏହାବ୍ୟତୀତ ଗାରଦ ଘର, ଚନ୍ଦନ ଘୋରା ଘର, ଦ୍ବାରବତୀ ମନ୍ଦିର ରହିଛି। ଚନ୍ଦନ ଘୋରା ଘରେ ଘଟୁଆରୀ ସେବକମାନେ ଦୈନନ୍ଦିନ ନୀତି ପାଇଁ ଆବଶ୍ୟକ ପଡ଼ୁଥିବା ଚନ୍ଦନ ଘୋରିଥାନ୍ତି। ଗାରଦ ଘର ସମ୍ମୁଖ ଗୁମୁଟର ବାମ ପାର୍ଶ୍ବରେ ଦ୍ବାରବତୀ ମନ୍ଦିର ରହିଛି। ନାଟ ମଣ୍ଡପ ସମ୍ମୁଖ ଭିତର ବେଢ଼ାର ଏକ କ୍ଷୁଦ୍ର ମଣ୍ଡପ ଆକୃତିର ମନ୍ଦିରରେ ଗୌରାଙ୍ଗ ପ୍ରଭୁଙ୍କ ପାଦଚିହ୍ନ ଦୃଶ୍ୟମାନ ହୁଏ।