ଖଣ୍ଡଗିରି: ପୁଣି ପିତାପଲ୍ଲୀ ଅଞ୍ଚଳରେ ଅପରାଧୀଙ୍କ ବନ୍ଧୁକ ଗର୍ଜିଛି। ଗତ ସପ୍ତାହରେ ଏଠାରେ ଘଟିଥିବା ଗୁଳିକାଣ୍ଡରେ ଜଣେ ସ୍ଥାନୀୟ ଯୁବକ ଗୁରୁତର ହୋଇଥିଲେ। ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଜି ସନ୍ଧ୍ୟାରେ ପୁଣି ସେହି ଅଞ୍ଚଳରେ ଗୁଳି ଫୁଟିଛି। ଏଥର ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଗୁଳି ଫୁଟିଛି। ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ସମସ୍ତ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଛି। ସୌଭାଗ୍ୟବଶତଃ ଅପରପକ୍ଷର ଯୁବକଜଣକ ବର୍ତ୍ତି ଯାଇଛନ୍ତି। ଗୁଳିମାଡ଼ରୁ ବର୍ତ୍ତିଯାଇଥିବା ଯୁବକ ଖୋର୍ଦ୍ଧାର ଚିନ୍ମୟ ବଡ଼ଜେନା ଏନେଇ ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ କରିଛନ୍ତି। ନୂଆପଲ୍ଲୀ ଅଞ୍ଚଳର କୁଖ୍ୟାତ ରାଜେଶ ଗୁଳି କରିଛି ବୋଲି ଚିନ୍ମୟ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳଟି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ହୋଇଥିବାରୁ ଇନ୍‌ଫୋଭ୍ୟାଲି ଥାନା ପୁଲିସ ଚିନ୍ମୟଙ୍କୁ ସେଠାରେ ଅଭିଯୋଗ କରିବାକୁ ପରାମର୍ଶ ଦେବା ପରେ ସେଠାରେ ଅଭିଯୋଗ କରାଯାଇଛି। ଘଟଣା ପଛରେ ଥିବା ପ୍ରକୃତ କାରଣ ଜଣାପଡ଼ିନାହିଁ। ଗାଡ଼ି ସାଇଡ୍‌ ମାରିବାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଚିନ୍ମୟ କହିଛନ୍ତି। ଉଭୟ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଚାରି ଚାରିଟି ଗୁଳି ଫୁଟିଥିଲେ ହେଁ ଘଟଣାସ୍ଥଳରୁ ଗୋଟିଏ ବି ଖୋକା ମିଳିନାହିଁ।

Advertisment

ଚିନ୍ମୟଙ୍କ ଅଭିଯୋଗ ମୁତାବକ ତାଙ୍କର ଖୋର୍ଦ୍ଧା ସାମନ୍ତରାପୁରରେ ତାଙ୍କ ପରିଚାଳିତ ଏକ ନିଶା ନିବାରଣ କେନ୍ଦ୍ର ରହିଛି। ଜଣେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଚିନ୍ମୟ ତାଙ୍କୁ ଏକ ସ୍କର୍ପିଓରେ ନେଇ ଭୁବନେଶ୍ବର ଯାଉଥିଲେ। ଏହି ସମୟରେ ଅନ୍ୟ ଏକ ସ୍କର୍ପିଓରେ ନୂଆପଲ୍ଲୀ ଅଞ୍ଚଳର ରାଜେଶ ଖୋର୍ଦ୍ଧାରୁ ଭୁବନେଶ୍ବର ଫେରୁଥିଲେ। ଚିନ୍ମୟଙ୍କ ଗାଡ଼ି ରାଜେଶ ଗାଡ଼ିକୁ ଓଭର୍‌ଟେକ୍‌ କରିଥିଲା। ଏଥିରେ ରାଜେଶ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ତେଣୁ ସେ ଚିନ୍ମୟଙ୍କ ଗାଡ଼ିକୁ ଅତିକ୍ରମ କରିବାକୁ ପିଛା କରିବା ସହ ବାରମ୍ବାର ହର୍ଣ ମାରିଚାଲିଥିଲା। ପିତାପଲ୍ଲୀ-କୁମାରବସ୍ତ ଛକ ପେଟ୍ରୋଲ୍‌ ପମ୍ପ ନିକଟରେ ରାଜେଶ ଗାଡ଼ି ଆଗକୁ ଚାଲିଯାଇଥିଲା ଏବଂ କିଛି ଦୂରରେ ଅଟକିଥିଲା। ରାଜେଶ ଗାଡ଼ି ଅଟକିବାରୁ ଚିନ୍ମୟ ମଧ୍ୟ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। କଥା କଟାକଟି ବଢ଼ିଥିଲା ଏବଂ ଉଭୟ ପକ୍ଷ ହାତାହାତି ହେବାକୁ ପ୍ରସ୍ତୁତ ହୋଇପଡ଼ିଲେ। ଏତିକିବେଳେ ରାଜେଶ ଗାଡ଼ିରୁ ବନ୍ଧୁକ ବାହାର କରି ଚିନ୍ମୟଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲା। ମାତ୍ର ଅନ୍ଧାର ଯୋଗୁ ସମସ୍ତ ୪ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ଭୟରେ ଚିନ୍ମୟ ଓ ତାଙ୍କ ସାଙ୍ଗରେ ଥିବା ଯୁବକମାନେ ପଛକୁ ଦୌଡ଼ିଥିଲେ। ଏହି ମଉକାରେ ରାଜେଶ ତା ଗାଡ଼ି ଧରି ଦ୍ରୁତବେଗରେ ଭୁବନେଶ୍ବର ଦିଗରେ ପଳାଇଥିଲା। ହଠାତ୍ ଗୁଳିମାଡ଼ ଶବ୍ଦ ଶୁଣି ସ୍ଥାନୀୟ ଲୋକଙ୍କ ଭିତରେ କୋକୁଆ ଭୟ ଖେଳିଯାଇଥିଲା। ଦୋକାନ ସଟର୍‌ ପକାଇ କିଛି ଦୋକାନୀ ଘରକୁ ପଳାଇଥିଲେ। ସେହିଭଳି ଜାତୀୟ ରାଜପଥରେ ଯାଉଥିବା କିଛି ଲୋକ ନିଜ ଯାନବାହନ ରଖି ଅଟକି ଯାଇଥିଲେ। 

ଘଟଣା ପଛରେ ପୂର୍ବ ଶତ୍ରୁତା ଥିବା ନେଇ ପୁଲିସ ସନ୍ଦେହ କରୁଛି। ସେହି ଦିଗକୁ ନେଇ ପୁଲିସ ଚିନ୍ମୟଙ୍କୁ ପଚରାଉଚରା କରୁଛି। ରାଜେଶକୁ ଚିନ୍ମୟ କିଭଳି ଚିହ୍ନିଲେ ଏବଂ ସମାନ ସମୟରେ ସେମାନେ କିଭଳି ଆଗପଛ ହୋଇ ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିଲେ, ‌ତାହାକୁ ନେଇ ପୁଲିସ ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ ଗତ ୨୪ତାରିଖ ରାତିରେ ଏହି ପିତାପଲ୍ଲୀ ଛକରେ ଗୁଳିକାଣ୍ଡ ଘଟିଥିଲା। ଚନ୍ଦକା ଥାନା ପାଣିଓଳା ଗାଁର ବାସୁଦେବ ପରିଡ଼ା ପିତାପଲ୍ଲୀ ଗାଁର ପ୍ରତାପ ସ୍ବାଇଁଙ୍କୁ ଗୁଳି କରି ଗୁରୁତର କରିଥିଲା। ଏହାର କିଛି ଦିନ ପୂର୍ବରୁ ଅର୍ଥାତ୍‌ ମେ ୮ ତାରିଖ ରାତିରେ ପାଣିଓଳା ଗାଁରେ ଆଉ ଏକ ଗୁଳିକାଣ୍ଡ ଘଟିଥିଲା। ବିଶ୍ବଜିତ୍‌ ସାହୁର ଗୁଳିମାଡ଼ରେ ପୂର୍ଣ୍ଣଚନ୍ଦ୍ର ନାୟକ ଗୁରୁତର ହୋଇଥିଲେ।