ଖଣ୍ଡଗିରି: ଅଶାନ୍ତ ହୋଇଉଠିଲାଣି ରାଜଧାନୀ। କଥା କଥାକେ ଅପରାଧୀଙ୍କ ବନ୍ଧୁକ ଗର୍ଜୁଛି। ଗତକାଲି ବିଳମ୍ବିତ ରାତିରେ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳ‌ରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଏହି ଥାନା ଅନ୍ତର୍ଗତ ପିତାପଲ୍ଲୀ ଗାଁର ପିଣ୍ଟୁ ସ୍ବାଇଁ ଗୁରୁତର ହୋଇଛନ୍ତି। ତାଙ୍କ ବାମ ଜଙ୍ଘରେ ଗୁଳି ବାଜିଛି। ୩ ରାଉଣ୍ଡ ଗୁଳିମାଡ଼ ହୋଇଥିଲେ ହେଁ ପିଣ୍ଟୁଙ୍କ ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲି ଅପରେସନ୍‌ କରି ଜଙ୍ଘରୁ ଗୁଳି ବାହାର କରାଯିବ ବୋଲି ଜଣାପଡ଼ିଛି। ଗୁଳିମାଡ଼ କରିଥିବା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ଇନ୍‌ଫୋଭ୍ୟାଲି ଥାନା ପୁଲିସ ସେମାନଙ୍କୁ ଗିରଫ କରିପାରିନାହିଁ। ଏହି ମାମଲାରେ ପ୍ରାୟ ୧୦ଜଣ ସମ୍ପୃକ୍ତ ଅଛନ୍ତି। ଗୁଳି କରିଥିବା ଗୋଷ୍ଠୀ ପେସାଦାର ଅପରାଧୀ ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛକାପଞ୍ଝାରେ ଥିବା ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ଭିତରେ ଏହି ଗୁଳିକାଣ୍ଡ ଘଟିଛି।

Advertisment

ଖବରରୁ ଜଣାପଡ଼ିଛି ଯେ ଗତକାଲି ସନ୍ଧ୍ୟାରେ ପିତାପଲ୍ଲୀ ଗ୍ରାମର ଗେଣ୍ଡୁ ସ୍ବାଇଁ ସ୍କୁଟି ଯୋଗେ ବାରଙ୍ଗ ଅଭିମୁଖେ ଯାଉଥିଲେ। ଏହି ସମୟରେ ଚନ୍ଦକା ଥାନା ପାଣିଓରା ଗାଁର ଟ୍ରାନ୍ସପୋର୍ଟ ବ୍ୟବସାୟୀ ଦୀପୁ ସାହୁଙ୍କ ହାଇୱା ଚଳାଉଥିବା ଡ୍ରାଇଭର୍‌ ଗେଣ୍ଡୁ ସ୍ବାଇଁଙ୍କ ସ୍କୁଟିକୁ ସାଇଡ୍‌ ମାରିଥିଲା। ଏହାକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହାଇୱା ଚାଳକଙ୍କୁ ଗେଣ୍ଡୁ ଗାଳିମନ୍ଦ କରିବା ସହ ଠେଲାପେଲା କରିଥିଲେ। ଏ କଥା ଦୀପୁ ଜାଣିବା ପରେ ଗେଣ୍ଡୁଙ୍କୁ ଫୋନ୍‌ କରି ଗାଳିମନ୍ଦ କରିବାବେଳେ ଗେଣ୍ଡୁ ମଧ୍ୟ ତା’ର ଜବାବ ଦେଇଥିଲେ। ‌କଥା ସେତିକିରେ ଅଟକି ନଥିଲା। ଦୁହେଁ ପରସ୍ପରକୁ ଦେଖିନେବେ ବୋଲି ଧମକ ଦେଇଥିଲେ। ଏହା ପରେ ରାତି ପ୍ରାୟ ୧୨ଟା ବେଳେ ଉଭୟ ଗୋଷ୍ଠୀ ଦଳବଳ ହୋଇ ପିତାପଲ୍ଲୀ ଛକକୁ ଆସିଥିଲେ। ଦୀପୁ ନିଜ ଭାଇ ଲିପୁ ଓ ଆଉ ୪ ଜଣଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ସେପଟେ ଗେଣ୍ଡୁ ତା’ର ନିଜ ଭାଇ ପିଣ୍ଟୁକୁ ଧରି ସେଠାରେ ପହଞ୍ଚିଥିଲା। ପ୍ରଥମେ ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏତିକିବେଳେ ଦୀପୁ ହଠାତ୍ ତିନି ରାଉଣ୍ଡ୍‌ ଗୁଳି ଚଳାଇଥିଲା। କିନ୍ତୁ ଅନ୍ଧାରରେ ଲକ୍ଷ୍ୟ ଭ୍ରଷ୍ଟ ହେବାରୁ ଦୁଇଟି ଗୁଳି ବାହାରେ ଚାଲି ଯାଇଥିଲା ଏବଂ ଗୋଟିଏ ଗୁଳି ପିଣ୍ଟୁଙ୍କ ବାମ ଗୋଡ଼ରେ ବାଜିଥିଲା। ପିଣ୍ଟୁ ତଳେ ପଡ଼ିଯିବା ପରେ ସେ ଦୀପୁ ଗୋଷ୍ଠୀ ସେଠାରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ଗେଣ୍ଡୁର ସହଯୋଗୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ପିଣ୍ଟୁଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଇନ୍‌ଫୋଭ୍ୟାଲି ଥାନା ପୁଲିସ ପିତାପଲ୍ଲୀ ଛକରେ ପହଞ୍ଚି ଘଟଣାସ୍ଥଳରୁ ୩ଟି ଖୋକା ଜବତ କରିଥିଲା।

ସୂଚନାଯୋଗ୍ୟ, ଗତ ସପ୍ତାହରେ ପଟିଆ ଅଞ୍ଚଳର ଏକ ବାର୍‌ରେ ଗୁଳିକାଣ୍ଡ ଘଟିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ରେ ମଦ ଆସର ଜମାଇଥିବା ପୁରୀର ଶିବା ଗ୍ୟାଙ୍ଗ୍‌ ଗୁଳିମାଡ଼ କରି ବାର୍‌ର ଜଣେ ବାଉନ୍‌ସର୍‌ଙ୍କୁ ଗୁରୁତର କରିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଏହି ମାମଲାରେ ଶିବା ଗ୍ୟାଙ୍ଗ୍‌ର ୧୩ ସଦସ୍ୟଙ୍କୁ ବାନ୍ଧିଥିଲେ ହେଁ ମୁଖିଆ ଶିବା ଏଯାଏଁ ଧରାପଡ଼ିନାହିଁ। ସେହିଭଳି ମାର୍ଚ୍ଚ ୯ ତାରିଖରେ ମଳିପଡ଼ା ସଂଘର୍ଷନଗର ଛକରେ ଗୁଳିକାଣ୍ଡ ଘଟିଥିବାବେଳେ ଏଥିରେ ସୌମ୍ୟ ସାହୁ ଗୁରୁତର ହୋଇଥିଲେ। ଏହି ମାମଲାରେ ଚନ୍ଦକା ଥାନା ପୁଲିସ କୁଖ୍ୟାତ ବୁଲେଟ୍‌ ରାଜା ସମେତ ୩ ଜଣଙ୍କୁ ଗିରଫ କରିଥିଲା।