ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ପିଟି ପିଟି ମାରିଥିଲେ: ୪ ଗିରଫ

୧୬ ଦିନ ପରେ ପୁଲିସ ଘଟଣାର ପର୍ଦ୍ଦାଫାସ କଲା

 

କାଳିଆପାଣି: ଯାଜପୁର ଜିଲ୍ଲା ଟମକା ଥାନା ଯଖପୁରା-ବାଂଶପାଣି ରେଳପଥର ବାଘୁଆପାଳ ଷ୍ଟେସନ ପାଖ ରେଳ ଧାରଣାରୁ ଗତ ୫ ତାରିଖ ସକାଳେ ଜଣେ ଅପରିଚିତ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର ହୋଇଥିଲା। ସେତେବେ‌ଳେ ମୃତକଙ୍କ ସଂପର୍କରେ କୌଣସି ଖୋଜ ଖବର ମିଳିନଥିଲା। ରେଳବାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ‌ହେଲେ ଗତ ୧୦ ତାରିଖରେ ଏହି ଥାନା ଅନ୍ତର୍ଗତ ଚିତ୍ରୀ ନୂଆଗାଁର ମଙ୍ଗଲ ମାଝି ଓରଫ୍ ଜଡ଼ା ଟମକା ଥାନାରେ ପହଞ୍ଚି ତାଙ୍କ ପତ୍ନୀ ସୁରୁ(୩୮)ଙ୍କୁ ଗ୍ରାମବାସୀ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ କରିଥିଲେ।

ମୃତଦେହ ପାଖରୁ ଜବତ ହୋଇଥିବା ଲୁଗାପଟା ଚିହ୍ନଟ କରି ଏସବୁ ତାଙ୍କ ପତ୍ନୀଙ୍କର ବୋଲି ଦର୍ଶାଇଥିଲେ। ଏହାକୁ ଭିତ୍ତିକରି ପୁଲିସ ଏକ କେସ୍ ୪୨/୨୨ ରୁଜୁ କରିଥିଲା। ପ୍ରାଥମିକ ତଦନ୍ତରୁ ଅଧିକାଂଶ ଗ୍ରାମବାସୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜାଣି ସ୍ବତନ୍ତ୍ର ଦୂତ ସହାୟତାରେ ପୁଲିସ ୫ଦିନ ଧରି ଅନୁସନ୍ଧାନ କରିଥିଲା। ପରିବା କିଣିବା ବାହାନାରେ ସାଦା ପୋଷାକଧାରୀ ପୁଲିସ ଗାଁକୁ ଏକାଧିକ ବାର ଯାଇ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ଆଜି ବଡ଼ିଭୋରୁ ସମସ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ ଉଠାଇ ଆଣିଛି। ଅଭିଯୁକ୍ତମାନେ ହେଲେ କାଳନ୍ଦୀ ହାଁସଦା(୪୮) ଓ ତାର ପୁଅ ଟୁକୁ(୩୨), ଭୋଟା ହାଁସଦାଙ୍କ ପୁଅ ପାଲୁ(୪୧) ଓ ଅଇଁଠୁ ହାଁସଦାଙ୍କ ପୁଅ ଚୁନୁ(୪୫)। ସମସ୍ତେ ମିଶି ସୁରୁଙ୍କୁ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ସ୍ବୀକାର କରିଥିଲେ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ୧୫ ଆଦିବାସୀ ପରିବାର ରହୁଥିବା ଉକ୍ତ ବସ୍ତିରେ ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ୫ ଜଣ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହୋଇଥିଲା। ଗୁଣି ପାଇଁ ଏମାନଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀଙ୍କ ମନରେ ଅନ୍ଧବିଶ୍ବାସ ଜମାଟ ବାନ୍ଧିଥିଲା। ପ୍ରତିକାର ପାଇଁ ଗ୍ରାମସଭା ଡକା ଯାଇଥିଲା। ସୁରୁ ମାଝିଙ୍କୁ ଡାହାଣୀ ଆଖ୍ୟା ଦିଆଯାଇ ତାଙ୍କୁ ଗାଁରୁ ତଡ଼ି ଦିଆଯାଇଥିଲା। ସେଦିନ ଗ୍ରାମବାସୀଙ୍କ ଆକ୍ରୋଶ ଓ ଆଭିମୁଖ୍ୟ ଦେଖି ତାଙ୍କ ସ୍ବାମୀ ଓ ପୁଅ କେଣା ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରିନଥିଲେ। ନିରୁପାୟ ହୋଇ ସୁରୁ ତାଙ୍କ ବାପଘର ଜଅଁର ପଳାଇଥିଲେ। ହେଲେ କୌଣସି କାମରେ ସୁରୁ ୪ ତାରିଖ ସଂଧ୍ୟାରେ ନୂଆଗାଁସ୍ଥିତ ନିଜ ଘରକୁ ଫେରୁଥିଲେ। ବାଟରେ ଦେଖି ଅଭିଯୁକ୍ତମାନେ ସୁରୁଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ଆକ୍ରମଣ କରି ତାଙ୍କ ଗୋଡ଼ହାତ ଭାଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ହୋଇଯିବା ଜାଣି ତାଙ୍କ ଶବକୁ ସମସ୍ତେ ପ୍ରାୟ ୫ କିଲୋମିଟର ବୋହିନେଇ ରେଳ ଧାରଣାରେ ପକାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ। ଶବ ଉପରେ ଟ୍ରେନ୍‌ ଚଢ଼ିଯିବାରୁ ଏହା ଖଣ୍ଡ ବିଖଣ୍ଡିତ ହୋଇଥିଲା। ଏ ନେଇ ପୂର୍ବରୁ ଭଦ୍ରକ ଜିଆରପି ପକ୍ଷରୁ କେସ ନମ୍ବର ୫/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର