ବଲାଙ୍ଗୀର/ସିନ୍ଧେକେଲା : ସମାଜ ଭିତରେ ବସାବାନ୍ଧିଛି ଦୁର୍ବଳ ମାନସିକତା। ଗୁଣିଗାରେଡ଼ିରେ ଘାଇଲା ଗାଁ ମଣିଷ। ରୋଗ ବୈରାଗକୁ ଗୁଣିଗାରେଡ଼ି ସନ୍ଦେହ କରି ବସୁଛି କଙ୍ଗାରୁ କୋର୍ଟ। ଆଉ ଏକ ନର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରି ଗୁଣିଆ ଅଭିଯୋଗରେ ଗାଁ ଦାଣ୍ଡରେ ନିର୍ମମ ମାଡ଼ ମରାଯାଇଛି। ବିଷ୍ଠା ଖୁଆଇବା ସହ ଜବରଦସ୍ତ ପରିସ୍ରା ପିଆଇଛନ୍ତି ଲୋକେ। ପୁଲିସ କିନ୍ତୁ ଅଭିଯୁକ୍ତଙ୍କୁ ଥାନାକୁ ଆଣିବା ପରିବର୍ତ୍ତେ ମାଡ଼ ଖାଇଥିବା ଲୋକଙ୍କୁ ଦିନଟିଏ ଥାନାରେ ରଖିଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ଏବେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପରୁଆଭାଡ଼ି ଗାଁରେ।
ମିଳିଥିବା ସୂଚନା ଅନୁସାରେ, ଗତ ୩ ତାରିଖ ଦ୍ୱିପହର ସମୟରେ ପରୁଆଭାଡ଼ି ଗାଁ ଦାଣ୍ଡରେ ହରିବନ୍ଧୁ ବଗର୍ତ୍ତିଙ୍କୁ ଘେରିଯାଇଥିଲେ ଗାଁ ଲୋକ। ଗାଁ ଦାଣ୍ଡରୁ ବିଲବାଡ଼ି ଯାଏ ଘଣ୍ଟା ଘଣ୍ଟା ଧରି ମାଡ଼ ମାରିଥିଲେ। ଯିଏ ଯାହା ପାରିଲା ବିଧା ଗୋଇଠା ମାରିଥିଲେ। ଏପରିକି ବୋତଲ ଭିତରେ ପରିସ୍ରା ଭରି ହରିବନ୍ଧୁଙ୍କୁ ଜବରଦସ୍ତ ପିଆଇଥିଲେ। ସବୁର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇ ଘୂରି ବୁଲୁଛି। ଏହି ଘଟଣା ପୂର୍ବରୁ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ରୋଗ ବୈରାଗ ପାଇଁ ହରିବନ୍ଧୁ ପୂଜାପାଠ ଓ ଗୁଣି କରୁଥିବା ନେଇ ଆଲୋଚନା ହୋଇଥିଲା। କଙ୍ଗାରୁକୋର୍ଟରେ ଦଣ୍ଡ ପାଇଁ ନିଷ୍ପତ୍ତି ହୋଇଥିଲା। ତା’ପରେ ମାଡ଼ ମରାଯିବା ସହ ନିର୍ଯାତନା ଦିଆଯାଇଥିଲା।
ବର୍ତ୍ତମାନ ହରିବନ୍ଧୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପିଠିସାରା ମାଡ଼ ଦାଗ ରହିଛି। ହରିବନ୍ଧୁଙ୍କ କହିବା ହେଲା, ସେ ପାଠ ପଢ଼ି ନାହାନ୍ତି କି ତନ୍ତ୍ରମନ୍ତ୍ର ଜାଣିନାହାନ୍ତି। ଖାଲିଟାରେ ସନ୍ଦେହ କରି ତାଙ୍କୁ ଘରୁ ଉଠାଇ ଆଣିଲେ ଓ ମାଡ଼ ମାରିଲେ। ତାଙ୍କ ଲମ୍ବା ଚୁଟିକୁ କାଟିଦେଲେ ଏବଂ ଜୋରଜବରସ୍ତ ବିଷ୍ଠା ଖୁଆଇ ପରିସ୍ରା ପିଆଇଲେ। ପୁଲିସ ଆସିବା ପରେ ମାଡ଼ ମାରିଥିବା ଲୋକଙ୍କୁ ଗିରଫ ନକରି ଓଲଟା ତାଙ୍କୁ ଥାନାକୁ ନେଇ ଦିନଟିଏ ଅଟକ ରଖିଥିବା ସେ ଅଭିଯୋଗ କରିଛନ୍ତି। ବଲାଙ୍ଗୀର ଏସ୍ପି ଆଇନକୁ ହାତକୁ ନେଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାର ଚେତାବନୀ ଦେଇଛନ୍ତି। ଘଟଣାରେ ବହୁ ଲୋକ ସାମିଲ ଥିବା ବେଳେ ପୁଲିସ ୩ ଜଣଙ୍କୁ ଥାନାରେ ଅଟକ ରଖିଥିବା ସିନ୍ଧେକେଲା ପୁଲିସ ସୂତ୍ରରୁ ସୂଚନା ମିଳିଛି।