ଗୁଣିଆର ଗୁଣି ବିଦ୍ୟା ପରୀକ୍ଷା କଲେ ଲୋକ, ଅପଦସ୍ତ ହୋଇ ଲଜ୍ଜ୍ୟାରେ ଫେରିଗଲା ଗୁଣିଆ

ରାଜନଗର: ଗୁଣିଆଙ୍କ ଗୁଣି ବିଦ୍ୟାର ପରୀକ୍ଷା କଲେ ଲୋକ, ତେବେ ବିଦ୍ୟା ଦେଖାଇବାରେ ଅସଫଳ ହେବାରୁ ଅପଦସ୍ତ ହୋଇ ଫେରିଗଲେ ଗୁଣିଆ । କେନ୍ଦ୍ରାପଡା ରାଜକନିକା ଥାନା ଅନ୍ତର୍ଗତ ଲୁହାର ମୁହିଁ ଗାଁରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଏହି ଗାଁ ର କାସିମୁଦିନି ଖାଁ’ଙ୍କ ଘରୁ ୪ଦିନ ତଳେ ଏକ ସୁନା କାନ ଫୁଲ ଚୋରିହୋଇଥିଲା । ଏନେଇ କାସିମୁଦିନି ଗାଁ ମୁଖିଆଙ୍କ ପାଖରେ ଫେରାଦ ହୋଇଥିଲେ ।

ଗାଁର ମୁରବିମାନେ ବସି ଭଦ୍ରକ ଜିଲ୍ଲାର ତିହିଡି ଅଞ୍ଚଳରୁ ଜଣେ ଗୁଣିଆକୁ ଡକାଇଥିଲେ । ସେ ଚୋର ଧରିଲେ ୧୦ ହଜାର ଟଙ୍କା ନେବ ବୋଲି କହିଥିଲେ । ଗୁଣିଆ ଦୁଇଟି ବାଉଁସ ପାତିଆରେ ଚୋର ଧରିବ ବୋଲି କହିଥିଲେ । ଏହା ଦେଖିବାପାଇଁ ଗାଁ ଲୋକଙ୍କର ଭିଡ ଜମିଥିଲା । ଗୁଣିଆ ପୂଜାର୍ଚ୍ଚନା ମଧ୍ୟ କରଥିଲେ ।

ହେଲେ ଏହି ସମୟରେ ଗୁଣିଆକୁ ପ୍ରଥମେ ପରୀକ୍ଷା କରିବାକୁ ଯୋଜନା କରିଥିଲେ ଗ୍ରାମବାସୀ । ସେଥିପାଇଁ କିଛି ଯୁବକ ଜାଣିଶୁଣି ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଚୋରି କରିଥିଲେ । ହେଲେ ଗୁଣିଆ ସେ ଯୁବକଙ୍କୁ ଧରିବା ବଦଳରେ ଅନ୍ୟ ଜଣଙ୍କୁ ଧରିଥିଲେ । ଫଳରେ ଚୋର ଧରିବାକୁ ଆସିଥିବା ଗୁଣିଆକୁ ଶେଷରେ ଅପଦସ୍ତ ହୋଇ ଫେରିବାକୁ ପଡିଥିଲା ।

ସମ୍ବନ୍ଧିତ ଖବର