ବ୍ରହ୍ମପୁର : ଭାରତ ସ୍ବାଧୀନତାର ୭୫ବର୍ଷ ପରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କାହିଁ କେତେ ଆଗକୁ ଗଲାଣି। ତଥାପି ସମାଜରେ ଗୁଣିଗାରେଡ଼ି ଭଳି କିଛି କୁପ୍ରଥା ବଳବତ୍ତର ରହିଛି। ଯାହାକି ବିଭିନ୍ନ ସମୟରେ ବିସ୍ଫୋରକ ରୂପ ଧାରଣ କରୁଛି। ପରିସ୍ଥିତି ଏମିତି ହେଉଛି ଯେ ମନୁଷ୍ୟ ସମାଜ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ନିଜର ହିତାହିତ ଜ୍ଞାନ ଭୁଲି ଜାଣତରେ ଅପରାଧ କରିବାକୁ ପଛାଉ ନାହିଁ। ଗୁଣିଗାରେଡ଼ି ଆମ ସମାଜ ପ୍ରତି ଏକ ବିରାଟ ବିପଦ ଭାବେ ଉଭା ହୋଇଛି। ଏହାର ମାୟାଜାଲରେ ଛନ୍ଦି ହୋଇଛି ଗଞ୍ଜାମ ଜିଲ୍ଲା। ଗୁଣିଗାରେଡ଼ିକୁ ନେଇ ଗଞ୍ଜାମ ଜିଲ୍ଲାରେ ବିଗତ ଦିନରେ ବହୁ ତୁମୁଳ କାଣ୍ଡ ଘଟି ସାରଛି। ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କନିଆରି ପଞ୍ଚାୟତ ମଧୁରଝୋଳ ଗାଁରେ ଗୁଣିଗାରେଡ଼ିକୁ ନେଇ ଘଟିଥିବା ନିର୍ମମ ହତ୍ୟାକାଣ୍ଡ ପୁଣିଥରେ ବିଗତ ଦିନରେ ଘଟଣାକୁ ତାଜା କରି ଦେଇଛି। ଗଞ୍ଜାମ ଜିଲ୍ଲା (ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲା)ରେ ଗତ ୪ବର୍ଷ ମଧ୍ୟରେ ୨୧ଟି ଗୁଣିଗାରେଡ଼ି ମାମଲା ରୁଜୁ ହୋଇଛି। ଯାହାକି ଦକ୍ଷିଣାଞ୍ଚଳ ରେଞ୍ଜ ଅଧୀନରେ ରହିଥିବା ୫ଟି ପୁଲିସ ଜିଲ୍ଲା ମଧ୍ୟରେ ସର୍ବାଧିକ ‌ବୋଲି ରେକର୍ଡ଼ କରୁଛି।

Advertisment

ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସକୁ ଲୋକଙ୍କୁ ମନରୁ ହଟାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏଭଳି କୁପ୍ରଥାକୁ ମୂଳପୋଛ କରିବା ନିମନ୍ତେ ଗୁଣିଗାରେଡ଼ି ନିବାରଣ ଆଇନ-୨୦୧୩ ପ୍ରଣୟନ କରାଯାଇଥିଲା। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗକୁ ନିର୍ଦ୍ଦେଶନାମା ରହିଛି। ତଥାପି ଗୁଣିଗାରେଡ଼ି ଜନିତ ହିଂସାକାଣ୍ଡ ବନ୍ଦ ହେଉ ନାହିଁ। ଗୁଣିଗାରେଡ଼ିକୁ କେନ୍ଦ୍ର କରି ଗତ ୨୬ତାରିଖରେ ମଧୁରଝୋଳ ଗାଁରେ ୩ଟି ପରିବାର ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ। ବିଭିନ୍ନ ସମୟରେ ଗ୍ରାମବାସୀ ଗୁଣି ସନ୍ଦେହରେ ଗାଁର ଏକ ନିର୍ଦ୍ଦିଷ୍ଟ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରୁଛନ୍ତି। ଲୋକଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ବାସ ଯୋଗୁଁ ଗୋଟିଏ ପରିବାର ଏକ ପ୍ରକାର ଉଜୁଡ଼ି ଯାଉଛି। ଆଇନ ହାତକୁ ନେଉଥିବା ଲୋକଙ୍କୁ ପୁଲିସ ଗିରଫ କରୁଛି ସତ, କିନ୍ତୁ ସେମାନଙ୍କ ମନରୁ ସେହି ଅନ୍ଧବିଶ୍ବାସକୁ ଦୂରେଇ ପାରୁ ନାହିଁ। ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଅଧୀନରେ ୫ଟି ପୁଲିସ ଜିଲ୍ଲା ରହିଛି। ଗଞ୍ଜାମ ଜିଲ୍ଲାକୁ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲା ଭାବେ ବିଭକ୍ତ କରାଯାଇଛି। ଅନ୍ୟ ୩ଟି ଜିଲ୍ଲା ହେଲା ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା। ଗତ ୨୦୧୯ରୁ ୨୦୨୨ ଅକ୍ଟୋବର ସୁଦ୍ଧା ପ୍ରାୟ ୪ବର୍ଷରେ ଦକ୍ଷିଣାଞ୍ଚଳ ରେଞ୍ଜର ୫ଟି ପୁଲିସ ଜିଲ୍ଲାରେ ଗୁଣିଗାରେଡ଼ିକୁ ନେଇ ମୋଟ ୩୫ଟି ମାମଲା ରୁଜୁ ହୋଇଛି। ତନ୍ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାରେ ସର୍ବାଧିକ ୧୭ଟି ମାମଲା ରହିଥିବା ରେକର୍ଡ଼ କହୁଛି। ସେହିପରି କନ୍ଧମାଳ ଜିଲ୍ଲାରେ ୧୦ଟି, ଗଜପତି ଜିଲ୍ଲା ୨ଟି, ବୌଦ୍ଧ ଜିଲ୍ଲାରେ ୨ଟି ଓ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୪ଟି ମାମଲା ରୁଜୁ ହୋଇଛି।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଓ ଗଜପତି ଜିଲ୍ଲା ଅପେକ୍ଷା ଗଞ୍ଜାମ ଭଳି ବିକଶିତ ଜିଲ୍ଲାରେ ଗୁଣିଗାରେଡ଼ି ଅନ୍ଧବିଶ୍ବାସ ଅଧିକ ରହିଥିବା ନେଇ ରେକର୍ଡ଼ରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଏଣୁ ଲୋକେ ସଚେତନ ହେଲେ ଯାଇ ଏଭଳି କୁପ୍ରଥା ଆମ ସମାଜରୁ ଦୂର ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ କହନ୍ତି, ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ସମ୍ପର୍କରେ ଲୋକଙ୍କୁ ବିଭିନ୍ନ ସମୟରେ ସଚେତନ କରାଯାଉଛି। ଏଥିପାଇଁ ସ୍ବତନ୍ତ୍ର ଆଇନ ମଧ୍ୟ ରହିଛି। କୌଣସି ବ୍ୟକ୍ତି ଆଇନ ହାତକୁ ନେଲେ ପୁଲିସ ପଦେକ୍ଷପ ଗ୍ରହଣ କରିବ। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ଠାରୁ ନିଜକୁ ଦୂରେଇ ରଖିବାକୁ ଆଇଜି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

ଗୁଣିଗାରେଡ଼ିକୁ ନେଇ ମାମଲା

ବର୍ଷ                            ଗଞ୍ଜାମ        ଗଜପତି      କନ୍ଧମାଳ     ବୌଦ୍ଧ         ବ୍ରହ୍ମପୁର

୨୦୧୯                          ୧୧                ୦              ୦              ୧                 ୦

୨୦୧୦                          ୨                  ୦              ୧              ୦                 ୧

୨୦୨୧                          ୦                  ୨              ୩              ୦                ୨

୨୦୨୨(ଅକ୍ଟୋବର)       ୪                  ୦              ୬              ୧                  ୧