ଗୁଣିଗାରେଡ଼ି ସନ୍ଦେହରୁ ଗଣହତ୍ୟା: ୩ ଜଣଙ୍କୁ ପିଟିପିଟି ମାରିଦେଲେ

ଖମାର/ପାଳଲହଡ଼ା : ଖାସିମାଂସ ନଦେବାରୁ ରାଗ… ତା’ପରେ ଗୁଣିଗାରେଡ଼ି ସନ୍ଦେହ! ଏଥିପାଇଁ କିଛିଲୋକ ସଂଘବଦ୍ଧ ଭାବେ ୩ ଜଣଙ୍କୁ ଖାଲି ପିଟିପିଟିପିଟି ହତ୍ୟା କଲେନି, ମୃତଦେହକୁ ନେଇ ସମାକୋଇ ନଦୀର ବନ୍ୟାଜଳକୁ ଦଉଡ଼ିରେ ବାନ୍ଧି ଫିଙ୍ଗି ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ମିଳିନାହିଁ। ଏହିଭଳି ଏକ ନୃଶଂସ ହତ୍ୟାକାଣ୍ଡରୁ ୪ ଅପରାଧୀଙ୍କୁ ପୁଲିସ୍‌ ଗିରଫ ହୋଇଛି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ ଖମାର ଥାନା କୁଞ୍ଜାମ ପଞ୍ଚାୟତ ଜିତୁମୁଣ୍ତା ଆଦିବାସୀ ବସ୍ତିରେ ଘଟିଥିବା ଘଟଣାକୁ ନେଇ ହତ୍ୟାକାଣ୍ଡ ନେଇ ଯେଉଁ ଅନୁମାନ କରାଯାଉଥିଲା, ଆଜି ତାହା ସତରେ ପରିଣତ ହୋଇଛି।

ମୃତକମାନେ ହେଲେ, ବୁଧୁରାମ ଚାତାର, ତାଙ୍କ ପତ୍ନୀ ମୁନୀ ଚାତାର ଓ ପୁତୁରା ମୋଟେଇ ଗାଗାରାଇ। ଘଟଣା ସୂତ୍ରରୁ ପ୍ରକାଶ ଯେ, ମୋଟେଇ ଗାଗାରାଇ ତାଙ୍କ ବାପାଙ୍କ ଶୁଦ୍ଧକ୍ରିୟାରେ ଖାସି ମାଂସ ବଦଳରେ କୁକୁଡ଼ା ମାଂସ ଦେବାରୁ ତାଙ୍କ ଉପରେ ୬ ଜଣ ଅଭିଯୁକ୍ତ ରାଗିଥିଲେ। ସେହିପରି ବୁଧୁରାମଙ୍କ ପତ୍ନୀ ମରିଗଲା ପରେ ସେ ତାଙ୍କ ଶଳାଭାଉଜ ମୁନୀ ଚାତାରଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ମଧ୍ୟ ବାହାଘର ଭୋଜି ଦେଇନଥିବାରୁ ଏହାକୁ ନେଇ ମଧ୍ୟ ଅସନ୍ତୋଷ ଥିଲା। ଏହାକୁ ନେଇ ବିବାଦ ବଢୁଥିବା ସମୟରେ ଜଣେ ଅଭିଯୁକ୍ତ କନ୍ତାରୁ ଦଙ୍ଗଙ୍କ ଭାଇ ମାୟା ଦଙ୍ଗର କିଛିଦିନ ତଳେ ଜ୍ବରରେ ମୃତ୍ୟୁ ଘଟିଥିଲା। ବୁଧୁରାମ, ମୁନୀ ଓ ମୋଟେଇ ଗାଗାରାଇ ଗୁଣିକରି ତାଙ୍କୁ ମାରିଦେଲେ ବୋଲି ଏମାନଙ୍କ ସନ୍ଦେହ ହୋଇଥିଲା।

ଶେଷରେ, ଗତ ୩୦ ତାରିଖ ଦିନ କନ୍ତାରୁ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ବୁଧୁରାମ, ମୁନୀ ଓ ମୋଟେଇଙ୍କୁ ଠେଙ୍ଗାରେ ପିଟି ଅତି ନିର୍ମମ ଭାବେ ଜଣକ ପରେ ଜଣକୁ ହତ୍ୟା କରିଥିଲେ। ୩ ଜଣଙ୍କୁ ହତ୍ୟା କରିବା ପରେ ମୃତଦେହକୁ ନେଇ ସମାକୋଇ ନଦୀର ବନ୍ୟାଜଳକୁ ଦଉଡ଼ିରେ ବାନ୍ଧି ଫିଙ୍ଗି ଦେଇଥିଲେ।

ଏପଟେ ଏହି ୩ ଜଣଙ୍କ ପତ୍ତା ନ ମିଳିବାରୁ ମୋଟେଇଙ୍କ ପତ୍ନୀ ଶ୍ରୀମତୀ ଖମାର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ଗୁରୁତ୍ବକୁ ଲକ୍ଷ୍ୟକରି ପାଳଲହଡା ଏସଡିପିଓ ସୁମନ ରଂଜିତା ସିଂଙ୍କ ତତ୍ତ୍ବାବଧାନରେ ଖମାର ଥାନା ଅଧିକାରୀ ଜ୍ଞାନରଂଜନ ସାମଲ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ଚାଲିଥିବା ସମୟରେ ଗତକାଲି କୁଞ୍ଜାମ ନିକଟରେ ସମାକୋଇ ନଦୀ ପଠାରୁ ବୁଧୁରାମ ଚାତାରଙ୍କ ମୃତଦେହ ମିଳିଥିଲା। ଆଜି କଣିହାଁ ବ୍ଲକ୍‌ ଗହମ ଗାଁ ବ୍ରାହ୍ନଣୀ ନଦୀରୁ ମୋଟେଇଙ୍କ ଶବ ଉଦ୍ଧାର କରାଯାଇଛି।

ଏହାପରେ ପୁଲିସ୍‌ କନ୍ତାରୁ ଦଙ୍ଗ (୨୪) ସହ ଶଙ୍କର ପୂର୍ତ୍ତି (୨୨), ନିରଂଜନ ଚାଂପିଆ (୨୨) ଓ ଚନ୍ଦ୍ର ଦଙ୍ଗ (୪୩)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ୨ ଜଣ ନାବାଳକ ସାମିଲ ଥିବାରୁ ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡରେ ଉପସ୍ଥାପନ କରାଯାଇଛି। ଏହି ୬ ଜଣ ସେମାନଙ୍କ ଦୋଷ ସ୍ବୀକାର କରିଥିବା ପୁଲିସ କହିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର