ଖମାର : ଅନୁଗୁଳ ଜିଲ୍ଲା ଖମାର ଥାନା କୁଞ୍ଜାମ ପଞ୍ଚାୟତ ଢିପସାହିର ମୋଟେଇ ଗାଗରାଇ(୪୫) ଅପହରଣ ଘଟଣାର ତଦନ୍ତରୁ ପୁଲିସ ହାତରେ ନୂଆ ତଥ୍ୟ ଲାଗିଛି। କେବଳ ମୋଟେଇ ନୁହେଁ, ଜିତୁମୁଣ୍ଡା ଗାଁର ତାଙ୍କ କକା ବୁଧୁରାମ ଚାତର(୫୫) ଓ ବୁଧୁରାମଙ୍କ ପତ୍ନୀ ମୁନୀ ଚାତର(୩୫)ଙ୍କୁ ମଧ୍ୟ ଅପହରଣ କରାଯାଇଛି। ଗାଁ ନିକଟ ସମାକୋଇ ନଦୀରୁ ରବିବାର ଦିନ ବୁଧୁରାମଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏ ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଗୁଣିଗାରେଡ଼ି ଯୋଗୁଁ ଉପରୋକ୍ତ ୩ ଜଣଙ୍କୁ ଅପହରଣ କରି ହତ୍ୟା କରାଯାଇଥାଇପାରେ ବୋଲି ପୁଲିସ ସଂଦେହ କରିଛି।
ଖମାର ଥାନାଧିକାରୀ ଜ୍ଞାନରଞ୍ଜନ ସାମଲଙ୍କ ସୂଚନା ଅନୁଯାୟୀ, ଗତ ୩୦ ତାରିଖରେ ମୋଟେଇ ଗାଗରାଇ ତାଙ୍କ କକା ଜିତୁମୁଣ୍ଡା ଗାଁର ବୁଧୁରାମ ଚାତରଙ୍କ ଘରକୁ ଆସିଥିବାବେଳେ କିଛି ଲୋକ ମୋଟେଇଙ୍କୁ ବାନ୍ଧି ଜଙ୍ଗଲ ଭିତରକୁ ନେଇଯାଇଥିଲେ। ମୋଟେଇଙ୍କ ସହ ଥିବା ତାଙ୍କ ୮ ବର୍ଷର ପୁଅ ଫେରିଆସି ମାଆଙ୍କୁ ଏହା ଜଣାଇଥିଲେ। ମୋଟେଇଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଶ୍ରୀମତୀ ଗାଗରାଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ତନାଘନା ଜୋର୍ ଧରିଥିଲା। ପୁଲିସ ଓ ଦମକଳ ବାହିନୀ ସମାକୋଇ ନଦୀରେ ଖୋଜାଖୋଜି ଚଳାଇଥିଲେ। ରବିବାର ଦିନ ପ୍ରାୟ ୧୧ଟାବେଳେ ନଦୀର ରଜଡଙ୍ଗ-ଗଞ୍ଜେଇମୁଣି ମଧ୍ୟରେ ଏକ ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତଦେହ ଜିତୁମୁଣ୍ଡା ଗାଁର ବୁଧୁରାମ ଚାତରଙ୍କର ବୋଲି ଚିହ୍ନଟ କରାଯାଇଛି।
ବୁଧୁରାମଙ୍କ ପତ୍ନୀ ମୁନୀ ଚାତର ଓ ମୋଟେଇ ଗାଗରାଇଙ୍କର ସଂଧାନ ମିଳିନାହିଁ। ଏହି ଘଟଣାରେ ପୁଲିସ ଜିତୁମୁଣ୍ଡା ଓ ଢିପସାହିର ୫ ଜଣ ଲୋକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଗୁଣିଗାରେଡ଼ି ଯୋଗୁଁ ଏହି ୩ ଜଣଙ୍କୁ ମାରି ସମାକୋଇ ନଦୀରେ ପକାଇଦେଇଥିବା ଅଟକ ଲୋକେ ଜେରା କାଳରେ କହିଥିବା ପୁଲିସ ପ୍ରକାଶ କରିଛି। ଏହି ଘଟଣାରେ ଅଧିକ ଲୋକ ସଂପୃକ୍ତ ଥାଇପାରନ୍ତି ବୋଲି ପୁଲିସ ସଂଦେହ କରିଛି। ଏଏସ୍ପି ଅନୀଲ ପ୍ରଧାନ, ପାଳଲହଡ଼ା ଏସ୍ଡିପିଓ ସୁମନ ରଞ୍ଜିତା ସିଂହଙ୍କ ତତ୍ତ୍ବାବଧାନରେ ତଦନ୍ତ ଚାଲୁ ରହିଛି। ପୁଲିସ ଓ ଦମକଳବାହିନୀ ନଦୀରେ ଖୋଜାଖୋଜି ଚଳାଇଛନ୍ତି।