ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ୍‌ ଥାନା ଅଞ୍ଚଳରେ ହୋଇଥିବା ଚାଷୀ ହତ୍ୟାକାଣ୍ଡର ଗୁମର ଖୋଲିଛି ପୁଲିସ। ମଞ୍ଚା‌ରେ ଶୋଇଥିବା ଚାଷୀ ବିଶ୍ବନାଥ ବର୍ଗିଆ(୫୦)ଙ୍କୁ ଗଳାକାଟି ହତ୍ୟା କରିବା ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପୁରୁଣାକୋର୍ଟ ଥାନା ଓଲାବେରୀ ଗାଁର ବିନୋଦ ଗୁରୁ, ପରଦେଶୀ ଗୁରୁ ଓ ଆଠମଲ୍ଲିକ ଥାନା ନୋଲେଶ୍ବର ଗାଁର ସତ୍ୟ ‌ଦେହୁରୀ। ଗୁଣିଗାରେଡ଼ିକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଛି।

Advertisment

ଅନୁଗୁଳ ଜିଲ୍ଲା ପୁରୁଣାକୋଟ୍‌ ଥାନା ଓଲାବେରୀ ଗାଁର ବିଶ୍ବନାଥ ବର୍ଗିଆ(୫୦) ଗତ ୮ ତାରିଖ ରାତିରେ ଘର ପାଖ ଚାଷ ଜମି ଜଗିବାକୁ ଯାଇଥିଲେ। ଜମି ପାଖରେ ହୋଇଥିବା ମଞ୍ଚାରେ ସେ ଶୋଇଥିଲାବେଳେ କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି ଦେଇଥିଲା। ଜୀବନ ବିକଳରେ ସେ ଘରକୁ ଦୌଡ଼ି ଦୌଡ଼ି ଆସିଥିଲେ ମଧ୍ୟ ଏଠାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏଥିନେଇ ବିଶ୍ବନାଥଙ୍କ ପତ୍ନୀ ପୁରୁଣାକୋଟ୍‌ ଥାନାରେ ଅଭିଯୋଗ କରିବ‌ା ପରେ ପୁଲିସ ୯୩/୨୩ରେ ଏକ ମାମଲା ରୁଜୁ କରି ଘଟଣାର ଛ‌ାନିଭନ୍‌ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାସ୍ଥଳ‌ରୁ ପ୍ରମାଣ ସଂଗ୍ରହ କରିଥିଲାବେଳେ ହତ୍ୟାକାଣ୍ଡର ବିଭିନ୍ନ ଦିଗ ଉପରେ ନଜର ରଖିଥିଲା। ଏହି ସମୟରେ ଗାଁର ବ‌ିନୋଦ ଗୁରୁ ନିଜ ପରିବାର ସହ ଗାଁ ଫେରାର୍‌ ହୋଇଯିବାରୁ ପୁଲିସର ସନ୍ଦେହ ବଢ଼ିଥିଲା। ପୁଲିସ ତନାଘନା କରି ତାକୁ ଆଠମଲ୍ଲିକ ଥାନା ନୋଲେଶ୍ବର ଗାଁର ସତ୍ୟ ଦେହୁରୀଙ୍କ ଘରୁ ଉଠାଇ ଆଣିଥିଲା। ତାକୁ ପଚରାଉଚରା କରିବା ପରେ ସେ ଏହି ହତ୍ୟାକାଣ୍ଡ ଭିଆଇଥିବା ପୁଲିସ ଆଗରେ ସ୍ବୀକାର କରିଛି। ଏଥିରେ ତା ସଂପର୍କୀୟ ପରଦେଶୀ ଗୁରୁ ସହାୟତା କରିଥିଲା।

ମୃତ ବିଶ୍ବନାଥ ଆଗରୁ ଗ୍ରାମଦେବତୀଙ୍କ ପୂଜକ ଥିବାବେଳେ ସେ ବିନୋଦର ଦ୍ବିତୀୟ ପତ୍ନୀ ଟୁରି ଗୁରୁଙ୍କୁ ଗୁଣିଗାରେଡ଼ି କରୁଥିବା ବିନୋଦ ସନ୍ଦେହ କରୁଥିଲା। ଏଥିପାଇଁ ଗତ ୨ ବର୍ଷ ହେଲା ଟୁରିଙ୍କ ଦେହ ଅସୁସ୍ଥ ରହିଥିବା ସେ ଭାବୁଥିଲା। ଏଥିପାଇଁ ବିଶ୍ବନାଥଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଏ ନେଇ ସେ ସଂପର୍କୀୟ ପରଦେଶୀ ଗୁରୁର ସହାୟତା ଲୋଡ଼ିଥିଲା। ଉଭୟ ଗତ ୮ ତାରିଖ ରାତିରେ ଏକ ଧାରୁଆ ଛୁରିରେ ବିଶ୍ବନାଥଙ୍କ ଗଳାକୁ କାଟି ଦେଇଥିଲେ। ପରେ ଏକ ବୁଦାରେ ଛୁରିକୁ ଲୁଚାଇ ନିକଟସ୍ଥ ନାଳରେ ଗାଧୋଇ ଘରକୁ ଫେରିଥିଲେ। ପୁଲିସ ଏହି ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ବିନୋଦକୁ ଘରେ ଲୁଚାଇ ରଖିଥିବା ସତ୍ୟ ଦେହୁରୀକୁ ଗିରଫ କରିଛି। ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲାବେଳେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।