ସୁନ୍ଦରଗଡ଼: ମାଓବାଦୀ ୫ ଟନ୍‌ ବିସ୍ଫୋରକ ଲୁଟି ନେବା ପରଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ବାରୁଦ କାରବାରକୁ ନେଇ ଗୋଟିଏ ପରେ ଗୋଟିଏ ଘଟଣା ପଦାକୁ ଆସିବାରେ ଲାଗିଛି। ଯାହାକି ଚିନ୍ତାଜନକ ଓ ପୁଲିସ ପାଇଁ ଖୋଲା ଆହ୍ବାନ। ଗତ ଦୁଇ ଦିନ ମଧ୍ୟରେ ରାଉର‌କେଲା ପୁଲିସ ହାତରେ ବିସ୍ଫୋରକ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲଙ୍କର ବାରୁଦ ଓ ଡିଟୋନେଟର ଭର୍ତ୍ତି ୩ଟି ଗାଡ଼ି ଧରାପଡ଼ିଛି। ଶ୍ରବଣଙ୍କ ବିସ୍ଫୋରକ ସାମ୍ରାଜ୍ୟ ପୁଲିସଠାରୁ ଆରମ୍ଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଗତ ୩ ତାରିଖରେ ସେ ଗିରଫ ହେବା ପରେ ତେଲେଙ୍ଗାନାରୁ ୧୫ ଟନ୍‌ ବାରୁଦ ଓ ବିସ୍ଫୋରଣରେ ବ୍ୟବହାର ହେଉଥିବା ୩ ଲକ୍ଷ ମିଟର ତାର ଶ୍ରବଣଙ୍କ ବଡ଼ଗାଁ ଇତମା ଖଡ଼ିଆପଡ଼ାସ୍ଥିତ ‘ଗର୍ଗ ବ୍ଲାଷ୍ଟ ସର୍ଭିସେସ୍‌’ର ଗୋଦାମକୁ ଆସିଥିଲା। ତେଲେଙ୍ଗାନା ଭୁବନଗିରି ଅଞ୍ଚଳର ଏନ. ଧର୍ମା ରେଡ୍ଡୀଙ୍କ ନାଲ୍ଲାବୋଲୁ ଇଣ୍ଡଷ୍ଟ୍ରିଜ୍‌ରୁ ଆସିଥିବା ଏହି ବିସ୍ଫୋରକ ସାମଗ୍ରୀର ଅସ୍ଥାୟୀ ଅନୁମତିପତ୍ର (ଟିପି)ରେ ଶ୍ରବଣଙ୍କ ନାଁରେ ଅଧା ବାରୁଦ ଓ ତାର ଥିବାବେଳେ ଅଧା ଆସିଥିଲା ନିକିତା ଏଣ୍ଟରପ୍ରାଇଜେସ୍‌ର ମାଲିକ ନିକିତା ଅଗ୍ରୱାଲଙ୍କ ନାମରେ। ନିକିତା ହେଉଛନ୍ତି ଶ୍ରବଣଙ୍କ ସ୍ତ୍ରୀ। 

Advertisment

ବଡ଼ଗାଁ ଇତମାରେ ତାଙ୍କ ନାମରେ ମଧ୍ୟ ରହିଛି ବାରୁଦ କାରବାର ଲାଇସେନ୍ସ। ଅର୍ଥାତ ସ୍ୱାମୀସ୍ତ୍ରୀ ଚଳାଇଥିଲେ ବାରୁଦ ବେପାର। ଗୋଦାମ ଓ ପରିବହନରେ ମାନକ ସଞ୍ଚଳନ ପ୍ରକ୍ରିୟା (ଏସ୍‌ଓପି)ର ଖୋଲା ଉଲ୍ଲଂଘନ କରି ଦୁଇଟି ଏଜେନ୍ସି ନାଁରେ ଚଳାଇଥିଲେ ବିସ୍ଫୋରକ ବେପାର। ମାନକ ସଞ୍ଚଳନ ପ୍ରକ୍ରିୟାର ଅନୁପାଳନ ନ କରିବା ଓ ମାଓବାଦୀ ଲିଙ୍କ୍‌ ନେଇ ୩ ଦିନ ଧରି ପଚରାଉଚରା ପରେ ଶ୍ରବଣ ଓ ଗାଡ଼ି ଚାଳକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ନିକିତାଙ୍କ ନାଁ ସାମନାକୁ ଆସିଥିବାରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବାର ଆବଶ୍ୟକତା ରହିଛି। ଏସ୍‌ଓପି ଉଲ୍ଲଂଘନ ଅଭିଯୋଗରେ ଶ୍ରବଣ ଓ ଚାଳକଙ୍କୁ ଯଦି ଗିରଫ କରାଗଲା, ନିକିତାଙ୍କୁ କାହିଁକି ନୁହେଁ? 

ସୂଚନାଯୋଗ୍ୟ, ଗତ ୨୮ ତାରିଖରୁ ଶ୍ରବଣ ଅଗ୍ରୱାଲଙ୍କ ବଡ଼ଗାଁ ବାରୁଦ ଗୋଦାମ ସିଲ୍‌ ରହିଥିବାବେଳେ ବୁଧବାର ତେଲେଙ୍ଗାନାରୁ ପୁଣି ୧୫ ଟନ୍‌ ବାରୁଦ ଓ ୩ ଲକ୍ଷ ମିଟର ବିସ୍ଫୋରକ ତାର ଆସି ପହଞ୍ଚିଥିଲା। ଖବର ପାଇ ବଡ଼ଗାଁ ପୁଲିସ ଗାଡ଼ିର କାଗଜପତ୍ର ଓ ବିସ୍ଫୋରକ ସାମଗ୍ରୀ ଯାଞ୍ଚ କରିଥିଲା। ସବୁ ଠିକ୍‌ଠାକ୍‌ ଥିବା ଜାଣିବା ପରେ ସୁରକ୍ଷା ମଧ୍ୟରେ ପୁଣି ବିସ୍ଫୋରକ ବୋଝେଇ ଗାଡ଼ିକୁ ତେଲେଙ୍ଗାନା ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବାଲୁଙ୍କେଶ୍ୱର ନାୟକ କହିଛନ୍ତି।

ଗୋଦାମ ଓ ଖଣିରେ ଚାଲିଛି ଖୋଳତାଡ଼: ଡିଜିପି

ଭୁବନେଶ୍ବର: ଗୋଦାମରୁ ଖଣିକୁ ବିସ୍ଫୋରକ ପଠାଯିବା ସମୟରେ ଏସ୍‌ଓପି ପାଳନ କରିବା ବାଧ୍ୟତାମୂଳକ। ଏସ୍‌ଓପି ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଡିଜିପି କ୍ୟାମ୍ପ ଅଫିସ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ମହାନି‌ର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି ଏଭଳି ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ବିସ୍ଫୋରକ ପଠାଇବା ପୂର୍ବରୁ ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇ‌ବା ନିଶ୍ଚିତ। 

ବିଳମ୍ବ ହେଉ ପଛେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନ‌ା ବାଙ୍କୋ ପଥର ଖଣିରୁ ୫ ହଜାର କିଲୋରୁ ଊର୍ଦ୍ଧ୍ବ ପରିମାଣର ବିସ୍ଫୋରକ ଲୁଟ୍ ପରେ ପୁଲିସର ଚେତା ପଶିଛି। ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି ଯେ ମାଗଜିନ୍‌ ଓ ଖଣିରେ ରେକର୍ଡ ହିସାବରେ ବିସ୍ଫୋରକ ଗଚ୍ଛିତ ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି। ବର୍ତ୍ତମାନ ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ୍‌ରେ ଥିବା ମାଗାଜିନ୍‌ ଓ ବିଭିନ୍ନ ଖଣିରେ କେତେ ବିସ୍ଫୋରକ ଗଚ୍ଛିତ ରହିଛି, ସେ ନେଇ ଯାଞ୍ଚ କରାଯାଉଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଆଗକୁ ରାଜ୍ୟର ସମସ୍ତ ମାଗାଜିନ୍‌ ଓ ଖଣିରେ ଯାଞ୍ଚ କରାଯିବ। ଯେଉଁଠି ନିୟମ ଉଲ୍ଲଂଘନ କରାଯାଇଥିବ ବା ରେକର୍ଡ ହିସାବରେ ବିସ୍ଫୋରକ ନ ଥିବ, ସମ୍ପୃକ୍ତ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଡିଜିପି କହିଛନ୍ତି, ଗତ ମାସ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନ‌ା ବାଙ୍କୋ ପଥର ଖଣିରୁ ୫ ହଜାର କିଲୋଗ୍ରାମ୍‌ରୁ ଊର୍ଦ୍ଧ୍ବ ପରିମାଣର ବିସ୍ଫୋରକ ଚୋରି ହୋଇଥିଲା। ଏହି ଘଟଣା ପରେ ଏ ପର୍ଯ୍ୟନ୍ତ ୩.୮ ଟନ୍‌ ବିସ୍ଫୋରକ ଜବତ କରାଯାଇଛି। ଆହୁରି ୧.୨ ଟନ୍‌ରୁ ଅଧିକ ପରିମାଣର ବିସ୍ଫୋରକ ମିଳିନାହିଁ। ଏଥିପାଇଁ ସର୍ଚ ଅପରେସନ୍‌ ଜାରି ରହିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଓ ଏସ୍‌ଓପି ଉଲ୍ଲଂଘନ କରିଥିବା ‌ବାରୁଦ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ଟ୍ରକ ଚାଳକଙ୍କୁ ଗିରଫ କରାଯାଇଛି। ସେ କାହିଁକି ଏସ୍‌ଓପି ଉଲ୍ଲଂଘନ କରିଥ‌ିଲେ? ସେ ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଇ ଆସୁଥିଲେ କି? ଏସବୁ ଦିଗରେ ଖୋଳତାଡ଼ ଚଳାଇଛି ପୁଲିସ। 

ଓଡ଼ିଶା ପୁଲିସ, ୨୦୯ କୋବ୍ରା ବାଟାଲିୟନ, ସିଆର୍‌ପିଏଫ୍‌, ଡିଭିଏଫ୍ ଫୋର୍ସ, ଝାଡ଼ଖଣ୍ଡ ଜାଗୁଆର୍‌ ଓ ଏସ୍‌ଓଜି ଟିମ୍ ଲଗାତାର ଭାବେ ସର୍ଚ ଅପରେସନ୍ କରି ସରଣ୍ଡା ଜଙ୍ଗଲ ମାଓବାଦୀ କ୍ୟାମ୍ପ ଅଞ୍ଚଳରୁ ବିସ୍ଫୋରକ ଜବତ କରିଛନ୍ତି। ଏହାଛଡ଼ା ରାଉରକେଲାର ଏକ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଠିଆ ହୋଇଥିବା ଏକ ଗାଡ଼ିରୁ ବିସ୍ଫୋରକ ଜବତ ହୋଇଥିଲା। ଅନ୍ୟପଟେ ଅପରେସନ୍‌ରେ ସାମିଲ୍‌ ଥିବା ଓଡ଼ିଶା ପୁଲିସ, କୋବ୍ରା ବାଟାଲିୟନ, ସିଆର୍‌ପିଏଫ୍‌, ଡିଭିଏଫ୍ ଫୋର୍ସ, ଝାଡ଼ଖଣ୍ଡ ଜାଗୁଆର ଓ ଏସଓଜି ଟିମ୍‌କୁ ଡିଜିପି ଧନ୍ୟବାଦ ଜଣାଇଛନ୍ତି।