ହାତୀଙ୍କ କରିଡ଼ର ପାଲଟିଛି ଗୁଣପୁର ବନାଞ୍ଚଳ, ଫସଲ ନଷ୍ଟ ହେବା ଆଶଙ୍କାରେ ଭୟଭୀତ ଚାଷୀ

ଗୁଣପୁର : ରାୟଗଡ଼ା ଜିଲ୍ଲାର ଗୁଣପୁର ବନାଞ୍ଚଳ ବଣୁଆ ହାତୀଙ୍କ କରିଡ଼ର ପାଲଟିଛି। ଗଜପତି ଜିଲ୍ଲାର ଲଖାଡ଼ି ଜଙ୍ଗଲରୁ ଆସିଥିବା ୬ଜଣିଆ ହାତୀପଲ ପ୍ରାୟ ୧ ବର୍ଷ ହେଲା ଗୁଣପୁର ବନାଞ୍ଚଳରେ ଚଳପ୍ରଚଳ କରୁଛନ୍ତି। ଗତ ଦିନରେ ଏହି ହାତୀପଲ ଆକ୍ରମଣରେ ଗୁଣପୁର ଅଞ୍ଚଳର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ହାତୀପଲ ଅନେକ ଘର, ଫସଲ  ନଷ୍ଟ କରି ସାରିଲେଣି। ପ୍ରାୟ ୧ବର୍ଷ ହେଲା ଗୁଣପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଏହି ହାତୀ ପଲ ଆତଙ୍କ ଖେଳାଇଥିବା ବେଳେ ଏମାନଙ୍କୁ ଘଉଡ଼ାଇବାରେ ସ୍ଥାନୀୟ ବନ ବିଭାଗ ନାକେଦମ ହେଲାଣି। କିନ୍ତୁ ଏହି ହାତୀପଲକୁ ସେମାନଙ୍କ ପୂର୍ବ ସ୍ଥାନକୁ ପଠାଇବା ଦିଗରେ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ନଥିବା ଅଞ୍ଚଳବାସୀ ଅଭିଯୋଗ କରିବା ସହିତ ଶୀଘ୍ର ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ଗତ ଦୁଇ ସପ୍ତାହ ହେଲା ଗୁଣପୁର ଉପକଣ୍ଠରେ ଏହି ହାତୀପଲ ଚଳପ୍ରଚଳ କରୁଥିବା ବେଳେ ଏହି ସମୟ ମଧ୍ୟରେ କୌଣସି କ୍ଷୟକ୍ଷତି କରିନଥିବା ଜଣା ପଡ଼ିଛି। ଗୁଣପୁର ସହର ଠାରୁ ୨କିମି ଦୂରରେ ଥିବା ଶେଫାଳି ପାହାଡ଼ ନିକଟରେ ଏହି ହାତୀପଲ ଅବାଧରେ ବିଚରଣ କରୁଛନ୍ତି। ସତେ ଯେଭଳି ସେମାନଙ୍କ ନିମନ୍ତେ ଏହି ଅଞ୍ଚଳ ଆଭୟାରଣ୍ୟ ପାଲଟି ଯାଇଛି। ଗତ ବୁଧବାର ଠାରୁ ଉକ୍ତ ୬ଜଣିଆ ହାତୀପଲ ସହର ନିକଟସ୍ଥ ଶେଫାଳି ପାହାଡ଼, ହାଉସିଂ ବୋର୍ଡ ଏବଂ ଶବର ବିହାର ଅଞ୍ଚଳରେ ଚଳପ୍ରଳଚ କରୁଥିବା ଦେଖିବାକୁ ମିଳୁଛି। ପାହାଡ଼ ନିକଟସ୍ଥ ଜଙ୍ଗଲରୁ ଗଛ ଡାଳ ଖାଇବା ସହିତ ପୋଖରୀ ଗୁଡ଼ିକରେ ଜଳକ୍ରୀଡ଼ା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ହାତୀପଲ ଏହି ସବୁ ଅଞ୍ଚଳର ଫସଲ ନଷ୍ଟ କରି ନାହାନ୍ତି। କିନ୍ତୁ ଆଉ କିଛି ଦିନ ପରେ ଜମି ଗୁଡ଼ିକରେ ଧାନ, ଝୁଡଙ୍ଗ, କାନ୍ଦୁଲ ଆଦି ଫସଲ ଅମଳ ହେବାକୁ ଥିବା ହାତୀପଲ ଫସଲ ନଷ୍ଟ କରିବା ନେଇ ଚାଷୀ ଆଶଙ୍କା ଓ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଏପରିକି ହାତୀ ଭୟରେ ଚାଷୀମାନେ ନିଜ ଜମିକୁ ଯିବା ପାଇଁ ଭୟ କରୁଥିବା ବେଳେ ବନ୍ୟଜାତ ଦ୍ରବ୍ୟ ବିକ୍ରି ପରିବାର ପ୍ରତିପୋଷଣ କରୁଥିବା ଲୋକେ ଜଙ୍ଗଲକୁ ଯିବା ପାଇଁ ସାହସ କରିପାରୁନାହାନ୍ତି। ଏହି ହାତୀପଲ ଯେଭଳି ସହର ଭିତରକୁ ଚାଲି ନ ଆସନ୍ତି ସେଥିପ୍ରତି ସ୍ଥାନୀୟ ବିଭାଗ ବେଶ୍‌ ସଜାଗ ରହିଛି। ସ୍ଥାନୀୟ ରେଞ୍ଜର ନୀଳମାଧବ ପାଢ଼ୀଙ୍କ ନେତୃତ୍ୱରେ ୩୦ଜଣିଆ ସ୍ଥାୟୀ ଓ ଅସ୍ଥାୟୀ ବନ କର୍ମଚାରୀ ଦିନରାତି ହାତୀପଲକୁ ଜଗି ରହିବା ସହିତ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ମଣ ନଜର ରଖିଛନ୍ତି। ଗତ ୪ଦିନ ହେଲା ଏହି ହାତୀପଲ ହାଉସିଂ ବୋର୍ଡ କଲୋନି ଅଞ୍ଚଳରେ ନିର୍ଭୟରେ ଚଳପ୍ରଚଳ କରୁଥିବାରୁ ସହରବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେଣୁ ହାତୀ ଗୁଡ଼ିକୁ ଘଉଡ଼ାଇବା ଦିଗରେ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର