ରାୟଗଡା: ଟାଉନ ପ୍ଲାନିଂ ବେଳେ ପ୍ଲଟ ବ୍ୟବସାୟୀଙ୍କ ଠାରୁ ଗୁଣପୁର ପୈାର ପରିଷଦକୁ ମିଳିଥିବା ମୂଲ୍ୟବାନ ଜମିର ଏବେ ପତ୍ତା ମିଳୁନାହିଁ। ଏହି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଅଫିସରୁ ଗାଏବ ହୋଇଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଜମି ମାଲିକମାନେ ଉକ୍ତ ଜମି ପ୍ଲଟଗୁଡ଼ିକୁ ବିକ୍ରି କରି ଦେଇଥିବା ଭଳି ସଂଗୀନ ଅଭିଯୋଗ ଲୋକଲୋଚନକୁ ଆସିଛି।
ମିଳିଥିବା ତଥ୍ୟ ଅନୁଯାୟୀ ପୈାର ପରିଷଦର କେଉଁ ଅଞ୍ଚଳରେ କେତେ ଜମି ରହିଛି ଚିହ୍ନଟ କରିବାକୁ ତତ୍କାଳୀନ ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାଶ ଗତ ମେ ମାସ ୨୦୨୧ରେ କାର୍ଯ୍ୟାଳୟର ଅମୀନଙ୍କୁ ନିର୍ଦେଶ ଦେଇଥିଲେ। ବାରମ୍ୱାର ତାଗିଦ ପରେ ଟାଉନ ପ୍ଲାନିଂ ସମୟରେ ପୈାରାଞ୍ଚଳର ଉନ୍ନତି ପାଇଁ ମିଳିଥିବା ଜମି ଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଥିରେ ସହରର ୩୭ ଜଣ ଜମି ମାଲିକ (ପ୍ଲଟ ବ୍ୟବସାୟୀ)ଙ୍କ ନାମ ସହ କେଉଁ ଅଞ୍ଚଳରେ କେତେ ଜମି ରହିଛି ତାଲିକାରେ ଦର୍ଶାଯାଇଥିଲା। କେବଳ କାଗଜ କଲମରେ ତାଲିକା ପ୍ରସ୍ତୁତ ବ୍ୟତୀତ ଆଜି ପର୍ଯ୍ୟନ୍ତ ବାସ୍ତବ କ୍ଷେତ୍ରରେ ଜମି ଚିହ୍ନଟ କରି ନିଜ ଅକ୍ତିଆରକୁ ଅଣାଯାଇ ପାରିନାହିଁ। ବର୍ତମାନ ଗୁଣପୁର ସହରରେ ଘରଢିହ ଜମି ମୂଲ୍ୟ ଆକାଶ ଛୁଆଁ।
ଆଜିର ଦିନରେ ପୌର ପାଳିକାକୁ ମିଳିଥିବା ଜମିର ମୂଲ୍ୟ ହିସାବ କଲେ ଅତି କମରେ ୫୦ କୋଟି ଟଙ୍କାରୁ ଅଧିକା ହେବ ବୋଲି ଆକଳନ କରାଯାଉଛି। ଏହି ସମ୍ପର୍କରେ କିଛି ଦିନ ପୂର୍ବେ ନିର୍ବାହୀ ଅଧିକାରୀ ଡ.ସତ୍ୟ ସଂପୂର୍ଣ୍ଣା ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦାରଖ ଚାଲିଛି। ଅଧିକାଂଶ ଜମିର ପ୍ଲାନିଂ ଅନୁମୋଦନ ମ୍ୟାପରେ ଜମି ଛ୍ଡାଣଯାଇଥିବା ଭଳି ଦର୍ଶାଯାଇଥିଲେ ମଧ୍ୟ କାର୍ଯ୍ୟାଳୟରେ ଜମି ପ୍ରଦାନ ସମ୍ପର୍କିତ ଦସ୍ତାବିଜ ନାହିଁ ବୋଲି ନିର୍ବାହୀ ଅଧିକାରୀ ଡ. ରାଉତ ସ୍ୱୀକାର କରିଥିଲେ। ସମସ୍ତ ଦସ୍ତାବିଜ ପୌର କାର୍ଯ୍ୟାଳୟର ଅମୀନଙ୍କ ଅଧୀନରେ ରହିଥିଲା। ପୈାର ପରିଷଦକୁ ମିଳିଥିବା ଜମି ଓ ଘରୋଇ ଜମିକୁ କେନ୍ଦ୍ର କରି ଗଣ୍ଡଗୋଳ ହେବା ସହ ମାମଲା ଥାନାରେ ପହଞ୍ଚିଥିଲା ବେଳେ ସେହିଦିନ ଠାରୁ ଆଦର୍ଶ ନଗର ପ୍ରଥମ ଲାଇନ ରାସ୍ତା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହା ଉପରେ ପୈାର ପ୍ରଶାସନ କିମ୍ୱା ପୁଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସହରର ଆଦର୍ଶ ନଗର, ଜଗନ୍ନାଥ ପ୍ୟାଲେସ ପଛପଟ(ନୂଆ ବସଷ୍ଟାଣ୍ଡ), ରଘୁନାଥ ନଗର, ବୃନ୍ଦାବତୀ ନଗର, ବାବୁଲି ନଗର, ମରାଠିଗୁଡ଼ା, ନିଳାଦ୍ରୀ ବିହାର, ବିକ୍ରମପୁର, ସାଈ ନଗର, କପିଳପୁର, ପାର୍ବତୀ ନଗର, ମତିଲାଲ ନଗର ଇତ୍ୟାଦି ଅଞ୍ଚଳରେ ପୈାର ପରିଷଦକୁ ମିଳିଥିବା ଜମିର ଦସ୍ତାବିଜ ଅଫିସରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁଣପୁର ପୈାର ପରିଷଦର ଅବସରପ୍ରାପ୍ତ ନିର୍ବାହୀ ଅଧିକାରୀ ପ୍ରତାପ ଚୌଧୁରୀ ଅଭିଯୋଗ କହିଛନ୍ତି ଯେ ୯୦ ଦଶକରେ ସେ ଦାୟିତ୍ୱରେ ରହିଥିବା ବେଳେ ପୈାର ପରିଷଦକୁ ମିଳିଥିବା ନିଳାଦ୍ରୀ ବିହାର ଓ ଅନ୍ୟ ଅଞ୍ଚଳର ଜମି ଗୁଡ଼ିକ ଆଉ ନାହିଁ। ପରବର୍ତ୍ତୀ ସମୟରେ ମାଲିକ ମାନେ ନିଜ ମାଲିକାନାକୁ ନେଇ ଉକ୍ତ ଜମି ବିକ୍ରି କରିଦେଇଛନ୍ତି। ଏହି ସଂକ୍ରାନ୍ତରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଗୋରାଚାନ୍ଦ ଗମାଂଗଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି। ଗୁଣପୁର ପୈାର ପରିଷଦର ଜମି କେଳେଙ୍କାରୀ ଦୁର୍ନିତୀର ଭିଜିଲାନ୍ସି ଦ୍ୱାରା ତଦନ୍ତ କରିବା ସହ ଏଥିରେ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷ ଓ ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାୟଗଡ଼ା ଜିଲ୍ଲା ସିପିଆଇଏମଏଲ(ଲିବରେସନ) ସମ୍ପାଦକ ତିରୁପତି ଗମାଂଗ ଦାବି କରିଛନ୍ତି।