ଗୁଣପୁର-ଥେରୁବାଲି ନୂଆ ରେଳ ଲାଇନ୍ ପ୍ରସଙ୍ଗ: ୧୦ କୋଟି ଅନୁଦାନ ଯୋଗାଇବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି

ଦାବି ଦୋହରାଇଲା ଆନ୍ଧ୍ର-ଓଡ଼ିଶା ରେଳ ୟୁଜର୍ସ ଆସୋସିଏସନ୍

ରାୟଗଡ଼ା: ବହୁ ପ୍ରତୀକ୍ଷିତ ଗୁଣପୁର-ଥେରୁବାଲି ନୂଆ ରେଳ ଲାଇନ୍ ପାଇଁ ୧୦୦ କୋଟି ଅନୁଦାନ ଯୋଗାଇ ଦେବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ଓଡ଼ିଶା ରେଳ ୟୁଜର୍ସ ଆସୋସିଏସନ୍ ସଭାପତି ସତ୍ୟ ପ୍ରକାଶ ପଣ୍ଡା। ଗତ ବଜେଟରେ ଏହି ରେଳ ପଥ ପାଇଁ ବିଭାଗ ମାତ୍ର ୧୦ କୋଟି ଅନୁଦାନ ଦେଇଥିବାରୁ ପୁନଃ ବିଚାର କରି ଅନୁଦାନ ଯୋଗାଇ ଦେବାକୁ ଶ୍ରୀ ପଣ୍ଡା ଚିଠିରେ ଉଲ୍ଲେଖ କରିଛନ୍ତି। ଏଥି ସହିତ  ନୂଆ ରେଳ ଲାଇନର ଉନ୍ନତିକରଣ ପାଇଁ ରାଜ୍ୟ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ତଥା ରେଳ ସମନ୍ବୟ କମିଶନର ମନୋଜ କୁମାର ମିଶ୍ରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଶ୍ରୀ ପଣ୍ଡା। ଗୁଣପୁର-ଥେରୁବାଲି ରେଳ ଲାଇନ୍ କାର୍ଯ୍ୟକ୍ଷମ ହେଲେ ରାୟଗଡ଼ା, ଗଜପତି ଜିଲ୍ଲାବାସୀଙ୍କ ସମେତ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳବାସୀ ଉପକୃତ ହେବେ। ଏଥି ସହିତ ଶିଳ୍ପ କରିଡର୍ ସହ ଏହି ରେଳ ଲାଇନ୍ ସଂଯୋଗ ହେବ। ରାଜସ୍ବ ବାବଦରେ ରେଳ ବିଭାଗ ଲାଭବାନ୍ ହେବ ବୋଲି ଶ୍ରୀ ପଣ୍ଡା ଯୁକ୍ତି ଉପସ୍ଥାପନ କରିଛନ୍ତି। ୫୨ ବର୍ଷ ଧରି ଏହି ରେଳ ଲାଇନ୍ ପାଇଁ ରାୟଗଡ଼ା ଜିଲ୍ଲାବାସୀ ଦାବି ଉପସ୍ଥାପନ କରି ଆସୁଛନ୍ତି।

କେନ୍ଦ୍ର ସରକାର ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଦିନ ଗଡ଼ାଇ ଚାଲିବା ସହ ବହୁ ବଜେଟରେ ଏହି ରେଳ ଲାଇନ୍ ପ୍ରତି କମ୍ ଅନୁଦାନ ଯୋଗାଇ ଦେଇଛନ୍ତି। ଡିପିଆରରେ ୭୯.୧୫ କିମି ବିଶିଷ୍ଟ ରେଳ ଲାଇନ୍ ପାଇଁ ୧୩୯୭.୩୬ କୋଟି ବ୍ୟୟ ଅଟକଳ କରାଯାଇଛି। ହେଲେ ଏବେ ସୁଦ୍ଧା ରେଳ ବୋର୍ଡ ଏ ଦିଗରେ କୌଣସି ଅଗ୍ରଗତି କରିନଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଅଟକି ରହିଛି। ୨୦୧୭-୧୮ ରେଳ ବଜେଟରେ ନୌପଡା-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ୯୩୫ କୋଟି ଅନୁଦାନ ଘୋଷଣା କରିଥିଲେ। ୨୦୧୮-୧୯ ବଜେଟରେ ଗୁଣପୁର-ଥେରୁବାଲି ପ୍ରକଳ୍ପକୁ ଟଙ୍କାଟିଏ ଅନୁଦାନ ମିଳିନଥିଲା। ୧୯୭୨ରେ ସର୍ଭେ ଆରମ୍ଭ ହୋଇ ୨୦୧୪ରେ ଶେଷ ହୋଇଥିବା ଏହି ପ୍ରକଳ୍ପର ରେଟ୍ ଅଫ୍ ରିଟର୍ଣ୍ଣ ୧୩.୫ ଥିଲା। କିନ୍ତୁ ଡିପିଆର୍ କାର୍ଯ୍ୟକ୍ଷମରେ ବିଳମ୍ବ ଯୋଗୁ  ୨୦୧୯-୨୦ ରେଳ ବଜେଟରେ ପ୍ରକଳ୍ପର ରେଟ୍ ଅଫ୍ ରିଟର୍ଣ୍ଣ ୩.୯୫ ପ୍ରତିଶତକୁ ଖସି ଆସିଥିଲା।

୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ରେଳ ବଜେଟରେ ଏହି ପ୍ରକଳ୍ପ ପାଇଁ ମାତ୍ର ୩ ଲକ୍ଷ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେଳ ବଜେଟରେ ରେଳ ବିଭାଗ ୧୦ କୋଟିର ଅନୁଦାନ ଦେଇଛି। ୨୦୨୧ ଡିସେମ୍ବର ୧୫ରେ ନୀତି ଆୟୋଗ ପ୍ରସ୍ତାବ ସହ ରେଲୱେ ବୋର୍ଡରେ ଚୂଡ଼ାନ୍ତ ଡିପିଆର୍ ରେଳ ବିଭାଗ ଦାଖଲ କରିଛି। କିନ୍ତୁ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି। ଫଳରେ ନିକଟରେ ରାଜ୍ୟ ସରକାର ୧୬୦୦ କୋଟି ବ୍ୟୟରେ ଏହି ରେଳ ଲାଇନର ଅଗ୍ରଗତି କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରସ୍ତାବରେ ମୋହର ଲଗାଇଛନ୍ତି। ଡ୍ରାଫ୍ଟ ମିଡିୟମ୍ ଟର୍ମ ଷ୍ଟେଟ୍ ଇନଫ୍ରାଷ୍ଟ୍ରକଚର୍ ଏକ୍ସପେଣ୍ଡିଚର୍ ଫ୍ରେମୱାର୍କ (ଏମ୍ଆଇଏଫ୍) ମାଧ୍ୟମରେ ୨୦୨୨-୨୩ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ଏହାକୁ ସରକାର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର