ରାୟଗଡ଼ା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚକ୍ରବ୍ୟୁହରେ ଫଶିଛି ନୌପଡ଼ା-ଗୁଣପୁର-ଥେରୁବାଲି ରେଳ ଲାଇନ୍ ସଂପ୍ରସାରଣ। ପ୍ରକଳ୍ପ ଅଗ୍ରଗତିକୁ ନେଇ ଉଭୟ ସରକାର ଅଲଗା ଅଲଗା ତଥ୍ୟ ରଖୁଥିବାରୁ ପ୍ରକଳ୍ପ ବାସ୍ତବତାର ରୂପ ନେବ ନା ସ୍ବପ୍ନରେ ହିଁ ରହିଯିବ ତାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। କେନ୍ଦ୍ର ଅବହେଳାକୁ ଚ୍ୟାଲେଞ୍ଜ କରି ଅଗଷ୍ଟରେ ଓଡ଼ିଶା ସରକାର ନିଜେ ପ୍ରକଳ୍ପ ନିର୍ମାଣ କରିବାକୁ ୧୬୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଏପଟେ ଚୁକ୍ତି ମୁତାବକ ପ୍ରକଳ୍ପ ନିର୍ମାଣ ବାବଦ ୫୦ ପ୍ରତିଶତ ଅର୍ଥ ପ୍ରଦାନ ଦିଗରେ ଓଡ଼ିଶା ସରକାର କୌଣସି ପଦକ୍ଷେପ ନେଇନଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

Advertisment

ସଂସଦର ଶୀତ ଅଧିବେଶନରେ ଗୁଣପୁର-ଥେରୁବାଲି ରେଳ ଲାଇନର ବିକାଶକୁ ନେଇ ପ୍ରଶ୍ନ ଉଠାଇଥିଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସପ୍ତଗିରିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, କେନ୍ଦ୍ର ଏହି ରେଳ ପ୍ରକଳ୍ପ ପାଇଁ ସବୁଜ ସଙ୍କେତ ଦେଇ ସାରିଛି। ୨୦୨୧ରେ ଡିପିଆର୍ ଚୂଡ଼ାନ୍ତ ହୋଇ ରେଲୱେ ବୋର୍ଡରେ ଅନୁମୋଦନ ପାଇଁ ରହିଛି। ମୋଟ ଏହି ପ୍ରକଳ୍ପ ପାଇଁ ୧୩୯୭.୩୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ କେନ୍ଦ୍ର ଉଭୟେ ୫୦:୫୦ ପ୍ରତିଶତ ହାରରେ ଅନୁଦାନ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶା ସରକାର ମାଗଣାରେ ଜମି ଯୋଗାଇ ଦେଇଥିଲେ ମଧ୍ୟ ଅନୁଦାନ ଅର୍ଥ ପ୍ରଦାନ କରୁନଥିବାରୁ ପ୍ରକଳ୍ପ ଆଗେଇ ପାରୁନି।  କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଏପରି ଉତ୍ତର ରାୟଗଡ଼ା ଜିଲ୍ଲାବାସୀଙ୍କୁ ଚକିତ କରିଛି।

୨୦୨୧ ଅଗଷ୍ଟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଆସିଥିଲେ। ଗୁଣପୁର-‌ଥେରୁବାଲି ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠିବା ପରେ ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅନୁଦାନ ସହ ମାଗଣାରେ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ସର୍ତ୍ତ ରଖିଥିଲା ରେଳ ବିଭାଗ। ପ୍ରସ୍ତାବରେ ଓଡ଼ିଶା ସରକାର ରାଜି ହେବା ପରେ ଡିସେମ୍ବର ୧୫ରେ ନୀତି ଆୟୋଗ ପ୍ରସ୍ତାବ ସହ ରେଲୱେ ବୋର୍ଡରେ ଡିପିଆର୍ ଦାଖଲ ହୋଇଥିଲା। ୭୯.୧୫ କିମି ବିଶିଷ୍ଟ ରେଳ ଲାଇନ୍ ପାଇଁ ଡିପିଆରରେ ୧୩୯୭.୩୬ କୋଟି ବ୍ୟୟ ଅଟ୍ଟକଳ କରାଯାଇଛି। ୨୦୧୭-୧୮ ରେଳ ବଜେଟରେ ନୌପଡା-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ୯୩୫ କୋଟି ଅନୁଦାନ ଘୋଷଣା କରିଥିଲେ। ୧୯୭୨ରେ ସର୍ଭେ ଆରମ୍ଭ ହୋଇ ୨୦୧୪ରେ ଶେଷ ହୋଇଥିବା ଏହି ପ୍ରକଳ୍ପର ରେଟ୍ ଅଫ୍ ରିଟର୍ଣ୍ଣ ୧୩.୫ ଥିଲା। ଡିପିଆର୍ ଦାଖଲରେ ବିଳମ୍ବ ଯୋଗୁ ୨୦୧୯-୨୦ ରେଳ ବଜେଟରେ ପ୍ରକଳ୍ପର ରେଟ୍ ଅଫ୍ ରିଟର୍ଣ୍ଣ ୩.୯୫ ପ୍ରତିଶତକୁ ଖସି ଆସିଥିଲା। ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ରେଳ ବଜେଟରେ ଏହି ପ୍ରକଳ୍ପ ପାଇଁ ମାତ୍ର ୩ ଲକ୍ଷ ଟଙ୍କା ମିଳିଥିଲା। ୨୦୨୨-୨୩ ବଜେଟରେ ରେଳ ବିଭାଗ ୧୦ କୋଟିର ଅନୁଦାନ ଦେଇଛି। ୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ ରେଳ ବଜେଟରେ ବିଭିନ୍ନ ଆଳ ଦେଖାଇ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଅଣଦେଖା କରିବା ପରେ ରାଜ୍ୟ ସରକାର ୧୬୦୦ କୋଟି ବ୍ୟୟରେ ଗୁଣପୁର-ଥେରୁବାଲି ରେଳ ଲାଇନ କାର୍ଯ୍ୟକ୍ଷମ କରିବାକୁ ୨୦୨୨ ଅଗଷ୍ଟରେ ଘୋଷଣା କରିଥିଲେ। ରେଳ ଲାଇନର ଅଗ୍ରଗତି ଲାଗି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରସ୍ତାବକୁ ଗୃହୀତ କରିଛି। ଡ୍ରାଫ୍ଟ ମିଡିୟମ୍ ଟର୍ମ ଷ୍ଟେଟ୍ ଇନଫ୍ରାଷ୍ଟ୍ରକଚର୍ ଏକ୍ସପେଣ୍ଡିଚର୍ ଫ୍ରେମୱାର୍କ (ଏମ୍ଆଇଏଫ୍) ମାଧ୍ୟମରେ ୨୦୨୨-୨୩ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ପ୍ରକଳ୍ପକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରିବେ। କେନ୍ଦ୍ର-ରାଜ୍ୟ ଅଲଗା ଅଲଗା ତଥ୍ୟ ପ୍ରଦାନ କରୁଥିବାରୁ ପ୍ରକଳ୍ପକୁ ନେଇ କେନ୍ଦ୍ର ନା ରାଜ୍ୟ କିଏ ସତ କହୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।