ରାଜ୍ୟରେ ୧୮ହଜାର ୨୬୮ଲୋକଙ୍କ ହାତରେ ବନ୍ଧୁକ

ଭୁବନେଶ୍ବର : ରାଜ୍ୟର ୧୮ହଜାର ୨୬୮ଜଣଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି। ସେମାନେ ବ୍ୟକ୍ତିଗତ ସୁରକ୍ଷା, ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା, କ୍ରୀଡ଼ା ଓ ଟାର୍ଗେଟ ଅଭ୍ୟାସ ପାଇଁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି।

ତେବେ ସର୍ବାଧିକ ଭାବେ କେନ୍ଦୁଝର ଜିଲ୍ଲାରେ ୧୩୨୭ଜଣଙ୍କୁ ବନ୍ଧୁକ ଲାଇସେନ୍ସ ମିଳିଥିବା ବେଳେ ପଛକୁ ଅନୁଗୁଳରେ ୧୨୦୩ଜଣ, ବାଲେଶ୍ୱରରେ ୧୧୫୫ଜଣ, କଳାହାଣ୍ଡିରେ ୯୯୯ଜଣ, ନୟାଗଡ଼ରେ ୯୨୩ଜଣ, ସମ୍ବଲପୁରରେ ୮୪୦ଜଣ, ସୁନ୍ଦରଗଡ଼ରେ ୬୯୪, ଭଦ୍ରକରେ ୬୬୫ଜଣ, ଯାଜପୁରରେ ୬୩୧ଜଣ, ପୁରୀରେ ୬୨୦ଜଣ, କନ୍ଧମାଳରେ ୬୦୬ଜଣ, ମୟୂରଭଞ୍ଜରେ ୫୫୮ଜଣ, ଜଗତସିଂହପୁର ଜିଲ୍ଲାରେ ୫୧୮ଜଣ, କୋରାପୁଟରେ ୪୮୪ଜଣ, ଝାରସୁଗୁଡ଼ାରେ ୪୨୯ଜଣ, ଗଞ୍ଜାମରେ ୪୨୯ଜଣ, ରାଉରକେଲାରେ ୪୧୧ଜଣ, ଦେବଗଡ଼ ଜିଲ୍ଲାରେ ଭାବେ ୩୬୮ଜଣ, କେନ୍ଦ୍ରାପଡ଼ାରେ ୩୩୮ଜଣ, ଖୋର୍ଦ୍ଧାରେ ୩୪୦ଜଣ, କମିସନରେଟ ପୁଲିସରେ ୩୨୫ଜଣ, ବ୍ରହ୍ମପୁରରେ ୩୦୯ଜଣ, ସୋନପୁରରେ ୨୯୧ଜଣ, ବୌଦ୍ଧରେ ୨୨୫ଜଣ, ନୂଆପଡ଼ାରେ ୧୭୭ଜଣ, ଗଜପତିରେ ୧୪୪ଜଣ, ରାୟଗଡ଼ାରେ ୭୫ଜଣ ଏବଂ ମାଲକାନଗିରିରେ ୧୧ଜଣଙ୍କୁ ଲାଇସେନ୍ସ ମିଳିଛି।

ସୋମବାର ଦିନ ବିଧାନସଭାରେ କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ବେଆଇନ ବନ୍ଧୁକ କାରବାର ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଆର୍ମସ ଆକ୍ଟ-୧୯୫୯ର ଧାରା ୨୫/୨୭ରେ ଅଭିଯୋଗ ଦାୟର୍‌ କରାଯାଏ। ପୁଲିସ ପକ୍ଷରୁ ଏହି ଚୋରା କାରବାର ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ବେଆଇନ ବନ୍ଧୁକଧାରୀ ତଥା ଚୋରା କାରବାର କରୁଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।

ସମ୍ବନ୍ଧିତ ଖବର