ଭୁବନେଶ୍ବର: ଭାରତ-ପାକ୍‌ ଯୁଦ୍ଧକୁ ନେଇ ରାଜଧାନୀରେ ହାଇଆଲର୍ଟ ଜାରି ହୋଇଛି। କିନ୍ତୁ କମିସନରେଟ୍‌ ପୁଲିସର କଡ଼ା ପଇଁତରା ଭିତରେ ରାଜଧାନୀରେ ଅପରାଧୀଙ୍କ ବନ୍ଧୁକ ଗର୍ଜନ କରିଛି। ଗତ ବୁଧବାର ୮ତାରିଖ ରାତିରେ ଚନ୍ଦକା ଥାନା ପାଣିଓରାରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ପୂର୍ଣ୍ଣଚନ୍ଦ୍ର ନାୟକ ଗୁରୁତର ହୋଇଥିଲେ ଏବଂ ପୁଲିସ ଗୁଳି କରିଥିବା ବିଶ୍ବଜିତ୍‌ ସାହୁଙ୍କୁ ଗିରଫ କରିଥିଲା। ଆଜି ଶନିବାର ଭୋର୍‌ ପ୍ରାୟ ୪ଟା ବେଳେ ପୁଣି ଏକ ଗୁଳିକାଣ୍ଡ ଓ ବୋମାମାଡ଼ ଘଟିଛି। ଚନ୍ଦ୍ରଶେଖରପୁର କସ୍‌ମସ୍ ବାର୍‌ରେ ଦୁର୍ବୃତ୍ତମାନେ ଜଣେ ବାଉନ୍‌ସର୍‌ଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ରେ ଆହତ ହୋଇଛନ୍ତି ସାଲିଆସାହିର ସୂର୍ଯ୍ୟମଣି ନାୟକ ଓରଫ ସୁରିଆ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି କରିଥିଲେ। କିନ୍ତୁ ସୌଭାଗ୍ୟକୁ ସୁରିଆଙ୍କ ଗୋଡ଼ରେ ଗୋଟିଏ ଗୁଳି ବାଜିବାରୁ ସେ ବର୍ତ୍ତିଯାଇଛନ୍ତି ଏବଂ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଗୁଳି କରିଥିବା ଦୁର୍ବୃତ୍ତମାନେ ପୁରୀ ଶିବା ପାତ୍ର ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ଜଣାପଡ଼ିଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଛି ଏବଂ ଘଟଣାସ୍ଥଳରୁ ୩ଟି ଖୋକା ଓ ୨ଟି ଅଫୁଟା ଗୁଳି ଜବତ କରିଛି। କେବଳ ସେତିକି ନୁହେଁ, ଦୁର୍ବୃତ୍ତମାନେ ବୋମାମାଡ଼ ମଧ୍ୟ କରିଛନ୍ତି। ମାତ୍ର ୨ଟିଯାକ ବୋମା ନ ଫୁଟିବାରୁ ସେମାନେ ସେଗୁଡ଼ିକୁ ଗୋଟାଇ ନେଇ ପଳାଇଛନ୍ତି। ହାଇଆଲର୍ଟ ଭିତରେ ଦୁର୍ବୃତ୍ତମାନଙ୍କ ଏହି କାଣ୍ଡ ପୁଲିସ ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ଆଙ୍କି ଦେଇଛି।

Advertisment

କସ୍‌ମସ୍ ବାର୍‌ରେ ବାଉନ୍‌ସର୍‌ଙ୍କୁ ଗୁଳିମାଡ଼
୩ ଖୋକା, ୨ ଗୁଳି ଜବତ
ବୋମା ନେଇ ପଳାଇଲେ ଦୁର୍ବୃତ୍ତ

ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବାର୍‌ ଖୋଲାଥିଲା। ପୁରୀ ଶିବା ଗ୍ୟାଙ୍ଗ୍‌ର ପ୍ରାୟ ୧୦ଜଣ ସଦସ୍ୟ ଏଠାରେ ମଦ ପିଇ ଆସର ଜମାଇଥିଲେ। ବାରମ୍ବାର କହିବା ପରେ ବି ସେମାନେ ବାର୍‌ରୁ ବାହାରି ନଥିଲେ। ରାତି ୨ଟା ବାଜିବା ପରେ ବି ସେମାନେ ବାର୍‌ ଛାଡ଼ିବାକୁ ରାଜି ହୋଇନଥିଲେ। ତେଣୁ ବାଧ୍ୟ ହୋଇ ବାଉନ୍‌ସର୍‌ମାନେ ସେମାନଙ୍କୁ ଚାଲିଯିବାକୁ ବାଧ୍ୟ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ହାତାହାତି ‌ହୋଇଥିଲା। ଶିବା ଗ୍ୟାଙ୍ଗ୍‌ ଧମକ ଦେଇ ବାର୍‌ରୁ ଚାଲିଆସିଥିଲେ। ବାହାରକୁ ଆସିବା ପରେ ସେମାନେ ବାର୍‌ ଉପରକୁ ଇଟା ଫିଙ୍ଗି କାଚ ଭାଙ୍ଗି ଦେଇଥିଲେ। ଏହା ଦେଖି ବାଉନ୍‌ସର୍‌ମାନେ ଗୋଡ଼ାଇବାରୁ ସେମାନେ କିଛି ଦୂରକୁ ଚାଲିଯାଇଥିଲେ। କିଛି ସମୟ ପରେ ହଠାତ୍ ଦୁଇଜଣ ବାର୍‌ ନିକଟକୁ ଆସିଥିଲେ। ଏତିକିବେଳେ ଦୁଇଜଣ ବାଉନ୍‌ସର୍‌ ବାହାରେ ଥିଲେ। ଦୁର୍ବୃତ୍ତଦ୍ବୟ ବନ୍ଧୁକ ବାହାର କରି ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଜଣେ ବାଉନ୍‌ସର୍‌ ବିକଳରେ ଦୌଡ଼ି ବାର୍‌ ଭିତରକୁ ପଶିଯାଇଥିଲେ। କିନ୍ତୁ ସୁରିଆଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ସେଇଠି ପଡ଼ିଯାଇଥିଲେ। ଯାହା ଜଣାପଡ଼ିଛି, ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି କରିଥିଲେ। ସେଥିରୁ ୩ଟି ଗୁଳି ଫୁଟିଥିବାବେଳେ ୨ଟି ଫୁଟି ନଥିଲା। ଏହା ପରେ ସେମାନେ ୨ଟି ବୋମା ଫିଙ୍ଗିଥିଲେ। ମାତ୍ର ସେଗୁଡ଼ିକ ଫୁଟି ନଥିଲା। ପରେ ଦୁର୍ବୃତ୍ତମାନଙ୍କ ଅନ୍ୟ ଦୁଇ ସହଯୋଗୀ ଘଟଣାସ୍ଥଳକୁ ଆସି ବୋମା ୨ଟିକୁ ନେଇ ପଳାଇଥିଲେ।  

ବେଆଇନ ଭାବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଖୋଲାଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ଆଜି ବାର୍‌କୁ ସିଲ୍‌ କରିଛି। ଏଥିସହିତ ଅବକାରୀ ବିଭାଗ ପକ୍ଷରୁ ବାର୍‌ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ଲାଇସେନ୍‌ସ କାହିଁକି ରଦ୍ଦ କରାଯିବ ନାହିଁ ବୋଲି ମାଲିକଙ୍କୁ ଜବାବ ତଲବ କରାଯାଇଛି। ମାମଲାକୁ ପୁଲିସ ଗୁରୁତ୍ବର ସହ ନେଇ ଶିବା ଗ୍ୟାଙ୍ଗ୍‌କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି। ଗଣ୍ଡଗୋଳ ପଛରେ ପୂର୍ବ ଶତ୍ରୁତା ଥିବା ମଧ୍ୟ ସନ୍ଦେହ କରାଯାଉଛି। ବାଉନ୍‌ସର୍‌ ନିଯୁକ୍ତିକୁ ନେଇ ଶିବା ଗ୍ୟାଙ୍ଗ୍‌ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି।