ମାଓବାଦୀ-ପୁଲିସ ଗୁଳିବିନିମୟ : ଖସିଗଲେ ଟପ୍ କ୍ୟାଡର ମାଓବାଦୀ, ବିସ୍ଫୋରକ ସହ ବନ୍ଧୁକ ଜବତ

ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ମାଓ କ୍ୟାମ୍ପ୍‌ ଉପରେ ଚଢ଼ଉ କରି ଧ୍ବଂସ କରିବାରେ ସଫଳ ହୋଇଛି ପୁଲିସ। ହେଲେ ଏହି ଚଢ଼ଉରେ ଟପ୍ କ୍ୟାଡର ମାଓବାଦୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଆଜି ଏସ୍‌ପି ଋଷିକେଶ ଖିଲାରି ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ଗତକାଲି ଗୁଇନ୍ଦା ସୂତ୍ରରୁ ଖବର ପାଇ ଆନ୍ଧ୍ର-ଓଡ଼ିଶା ସୀମା ଦୋରାଗୁଡ଼ା ଜଙ୍ଗଲରେ କମ୍ବିଂ କରାଯାଇଥିଲା। ଏହି କ୍ୟାମ୍ପରେ କ୍ୟାଡର ମାଓବାଦୀଙ୍କ ସହ ଅନ୍ୟ ମାଓବାଦୀ ମଧ୍ୟ ରହିଥିଲେ। ପୁଲିସକୁ ଦେଖି ମାଓବାଦୀ ଅନ୍ଧାଧୁନିଆ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ନିଜକୁ ସୁରକ୍ଷିତ ରଖି ମାଓବାଦୀଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଥିବା ଏସପି ଶ୍ରୀ ଖିଲାରି କହିଛନ୍ତି। ପୁଲିସ ଆକ୍ରମଣ ଜୋରଦାର କରିବାରୁ ମାଓବାଦୀ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରୁ ଚାଲିଯାଇଥିଲେ।

ଘଟଣାସ୍ଥଳରୁ ପୁଲିସ ୩୦୩ ରାଇଫଲ, ବିସ୍ଫୋରକ ସାମଗ୍ରୀ, ପୁସ୍ତକ, ମାଗାଜିନ, କ୍ୟାମେରା,ବୋମା ତିଆରି ସାମଗ୍ରୀ, ଦୈନନ୍ଦିନ ସାମଗ୍ରୀ ସମେତ ବହୁ ଜିନିଷ ଜବତ କରିଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ମାଓ ସଂଗଠନ ସ୍ବାଭିମାନ ଅଞ୍ଚଳରେ ଦୁର୍ବଳ ହେବାରେ ଲାଗିଛି। କେବଳ ଦୁଇଟି ଦଳ ହିଁ ସ୍ବାଭିମାନ ଅଞ୍ଚଳରେ ବୁଲୁଥିବା ଖବର ଗୁଇନ୍ଦା ବିଭାଗ ଦେବା ପରେ ପୁଲିସ ମାଓବାଦୀଙ୍କୁ ସ୍ବାଭିମାନ ଅଞ୍ଚଳରୁ ହଟାଇବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି। ଯୋଡ଼ାମ୍ବରେ ପୁଲିସର ନୂତନ ଥାନା ପ୍ରତିଷ୍ଠା ହେବା ସହ ହନ୍ତାଳଗୁଡ଼ା, ଦାରଲାବେଡ଼ାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ଫଳରେ ଏହି ଅଞ୍ଚଳରେ ଏବେ ଶାନ୍ତି ଫେରିଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଡିଜିପି ଅଭୟ ମାଓବାଦୀଙ୍କୁ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି।

ମାଓ ସଂଗଠନ ଦୁର୍ବଳ ହେବା ଏବଂ ପୁଲିସର ଘନ ଘନ ଚଢ଼ଉରେ ମାଓବାଦୀ ଆଉ ବର୍ତ୍ତିପାରିବେ ନାହିଁ। ତେଣୁ ଆଗକୁ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ପୁଲିସ ନିକଟରେ ସୂଚନା ରହିଛି। ସେମାନେ ମୁଖ୍ୟସ୍ରୋତକୁ ଫେରିଆସି ବାକି ଜୀବନ ସୁଖରେ କଟାନ୍ତୁ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର