କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଗ୍ୟାଙ୍ଗକୁ ବନ୍ଧୁକ ଯୋଗାଇବା ପଛର ମୁଖ୍ୟ କାର୍ପଟଦାର୍ ବବୁଆ ଓରଫ ପ୍ରକାଶ ବେହେରା ଗିରଫ ହୋଇଛି। ଉପକୂଳ ଓଡ଼ିଶାରେ ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ଭାବେ ଚର୍ଚ୍ଚାରେ ଥିବା ତାଳଚେରର ଟୁକୁନା ସ୍ବାଇଁର ଅନ୍ୟତମ ଗ୍ରାହକ ହେଉଛି ବାବୁଆ। ଲାଲବାଗ ଥାନା ଶେଖବଜାର ଅଞ୍ଚଳର ବବୁଆ(୪୨) ସମେତ ଜଗତସିଂହପୁର ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଙ୍ଗଳା ସାହିର ପିଣ୍ଟୁ ଓରଫ ପ୍ୟାରୀ ମୋହନ ଦାସ(୪୧) ଏବଂ କେଉଲୋର ମିହିର କୁମାର ରାୟ(୩୯)ଙ୍କୁ ଜଗତପୁର ପୁଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ଜଗତପୁର ଅଞ୍ଚଳରେ ୧୦ ତାରିଖ ସନ୍ଧ୍ୟାରେ ଚୋରା ବନ୍ଧୁକ କାରବାର ହେଉଥିବା ସଂକ୍ରାନ୍ତରେ କମିସନରେଟ୍ ପୁଲିସ ସୂଚନା ପାଇଥିଲା। ବନ୍ଧୁକ ଡିଲର୍ ବବୁଆ ନେତୃତ୍ବରେ ଏହି କାରବାର ହେଉଥିବା ଖବର ମିଳିଥିଲା। ଜୋନ-୧ ଏସିପି ଅରୁଣ ସ୍ବାଇଁଙ୍କ ନେତୃତ୍ବରେ ଜଗତପୁର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ର ମିଳିତ ଟିମ୍ ଗଠନ ହୋଇଥିଲା। ସେଠାରେ ଚଢ଼ଉ ସମୟରେ ବବୁଆ ନିକଟରୁ ଗୋଟିଏ ୯ ଏମଏମ୍ ପିସ୍ତଲ ସହିତ ତିନୋଟି ଜୀବନ୍ତ ଗୁଳି ଜବତ ହୋଇଥିଲା। ସେ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣିଥିବା ସଂକ୍ରାନ୍ତରେ ପୁଲିସକୁ ବୟାନ ଦେଇଥିଲା। ତାକୁ ପଚରାଉଚରା ପରେ ପିଣ୍ଟୁ ଓ ସହଯୋଗୀ ମିହିର ଗିରଫ ହୋଇଥିଲେ। ପିଣ୍ଟୁ ନିକଟରୁ ଦୁଇଟି ବନ୍ଧୁକ ଓ ୭ ରାଉଣ୍ଡ ଗୁଳି ଜବତ ହୋଇଥିଲା। ସେହିଭଳି ମିହିର ନିକଟରୁ ଗୋଟିଏ ବନ୍ଧୁକ ଓ ଦୁଇଟି ଗୁଳି ଜବତ ହୋଇଥିଲା। ପିଣ୍ଟୁ ବି ମୁଙ୍ଗେରରୁ ବନ୍ଧୁକ ଆମଦାନୀ କରୁଥିଲା। ମୁଙ୍ଗେରର କିଛି ବନ୍ଧୁକ ବ୍ୟବସାୟୀ ତାକୁ ବନ୍ଧୁକ ଯୋଗାଣ କରୁଥିଲେ। ପିଣ୍ଟୁର ଜଣେ ସମ୍ପର୍କୀୟ ଏଥିରେ ଯୋଗସୂତ୍ର ସୃଷ୍ଟି କରିଥିଲେ।
ପୁଣି ଫସିଲା ବନ୍ଧୁକ ଡିଲର୍ ବବୁଆ
୨୦ ହଜାରରେ କିଣି ୬୦ ହଜାରରେ ବିକୁଥିଲେ
ଏଟିଏମ୍ ଗାଡ଼ି ଲୁଟିବା ଯୋଜନାରେ ଥିଲେ
୩ ଗିରଫ, ୪ ବନ୍ଧୁକ, ୧୨ ରାଉଣ୍ଡ ଗୁଳି ଜବତ
ସେ ସିଧାସଳଖ ମୁଙ୍ଗେର ବନ୍ଧୁକ ମାଫିଆଙ୍କ ସହିତ ସମ୍ପର୍କ ରଖିଛି। ଗିରଫ ତିନି ଅପରାଧୀ କଟକ ଉପକଣ୍ଠରେ ଏଟିଏମ ପାଇଁ ଟଙ୍କା ପରିବହନ କରୁଥିବା ଗାଡ଼ିକୁ ହଡ଼ପ୍ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଏହି ଗ୍ୟାଙ୍ଗରେ ଆହୁରି ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବାକୁ ପୁଲିସ ଟିମ୍ ଯୋଜନା କରୁଛି। କଟକ କମିସନରେଟ୍ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ମୁଙ୍ଗେର ଯିବାକୁ ଯୋଜନା କରୁଛି। ବାବୁଆକୁ ପୁଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ତେବେ ୯ ଏମଏମ, ୭. ୬୫ ଏମଏମ୍ ବନ୍ଧୁକଗୁଡ଼ିକ ସାଧାରଣତଃ ୨୦ରୁ ୨୫ ହଜାର ଟଙ୍କାରେ ମୁଙ୍ଗେରରୁ କିଣାଯାଉଥିବା ବେଳେ ଏହି ତିନି ଜଣ କଟକ ସମେତ ଉପକୂଳ ଜିଲ୍ଲାରେ ୫୦ରୁ ୬୦ ହଜାର ଟଙ୍କାରେ ବିକ୍ରି କରୁଥିଲେ। ପ୍ରତି ବନ୍ଧୁକରେ ଡବଲ୍ ଲାଭ କରୁଥିଲେ। କିନ୍ତୁ ଆଗକୁ ନିର୍ବାଚନ ଥିବାରୁ ପୁଲିସର ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ଏହାକୁ ସେମାନେ ଏକ ଲକ୍ଷ ଟଙ୍କାରେ ବି ବିକ୍ରି ଯୋଜନା କରୁଥିଲେ। ପୁଲିସ ଏହି ତିନି ଅପରାଧୀଙ୍କ ନିକଟରୁ ଗୋଟିଏ ୯ ଏମଏମ୍ ପିସ୍ତଲ, ୭.୬୫ ଏମଏମ ପିସ୍ତଲ, ରିଭଲଭର, ହାତ ତିଆରି ବନ୍ଧୁକ, ୧୨ ରାଉଣ୍ଡ ଗୁଳି, ଦୁଇଟି ବାଇକ୍, ତିନୋଟି ମୋବାଇଲ୍ ଫୋନ୍ ଜବତ ହୋଇଛି।
ଦୁର୍ଦ୍ଦାନ୍ତ ବବୁଆ ବିରୋଧରେ ଲାଲବାଗ, ମଙ୍ଗଳାବାଗ, ଚାଉଳିଆଗଞ୍ଜ, ମର୍କତନଗର, କ୍ୟାଣ୍ଟନମେଣ୍ଟ, ଚୌଦ୍ବାର, ଜଗତପୁର ଓ ମାଲଗୋଦାମ ଥାନାରେ ୧୧ଟି ଅପରାଧୀକ ମାମଲା ରହିଛି। ୨୦୧୧ରୁ ୨୦୨୪ ଭିତରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୧୦ଟି ମାମଲା କେବଳ ଚୋରା ବନ୍ଧୁକ କାରବାର ଜନିତ ରହିଛି। ସେ ବନ୍ଧୁକ କାରାବାର ସମେତ ହତ୍ୟା ଉଦ୍ୟମ, ଅପରାଧ ଷଡ଼ଯନ୍ତ୍ରରେ ନିଜକୁ ବିଭିନ୍ନ ସମୟରେ ସାମିଲ କରିଥିଲା। ସେହିଭଳି ପ୍ୟାରୀମୋହନ ଜଗତସିଂହପୁର ଜିଲ୍ଲାରେ ବନ୍ଧୁକ କାରବାରର ସାମ୍ରାଜ୍ୟ ବିସ୍ତାର କରିଥିଲା। ମୁଖ୍ୟତଃ ତିର୍ତ୍ତୋଲ ଅଞ୍ଚଳରେ ସେ ବନ୍ଧୁକ କାରବାରକୁ ବିସ୍ତାର କରିଥିଲା। କେବଳ ତିର୍ତ୍ତୋଲ ଥାନାରେ ୧୬ଟି ମାମଲା ରହିଛି। ତିର୍ତ୍ତୋଲ ଥାନା ବାଦ୍ ଏରସମା, ପାରାଦୀପ, ଚାଉଳିଆଗଞ୍ଜ ଥାନାରେ ମଧ୍ୟ ମାମଲା ରହିଛି। ୨୦୦୯ରୁ ଅପରାଧୀକ କାର୍ଯ୍ୟକଳାପ ଆରମ୍ଭ କରିଥିବା ପିଣ୍ଟୁ ବିରୋଧରେ ମୋଟ ୧୯ଟି ମାମଲା ଥିବା ବେଳେ ଏଥିରେ କେବଳ ୮ଟି ବନ୍ଧୁକ କାରବାର ମାମଲା ରହିଛି। ଅନ୍ୟପଟେ ମିହିର ବିରୋଧରେ ଥିବା ଅପରାଧୀକ ମାମଲାକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।