୧୦ ବର୍ଷ ପରେ ରାୟ ପ୍ରକାଶ: ଗୁନ ସିଂହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ନିର୍ଦ୍ଦୋ‌ଷରେ ଖଲାସ

ପୁରୀ : ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ୧୦ ବର୍ଷ ପରେ ବୁଧବାର ଦିନ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ବୁଧବାର ଦିନ ପୁରୀ ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍‌ ରାଜକିଶୋର ଲେଙ୍କା ୩୬ ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଆଧାର କରି ଗିରଫ ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନ୍ୟପଟେ ଅନ୍ୟ ତିନି ଅଭିଯୁକ୍ତଙ୍କ ବିଷୟରେ ଏ ପର୍ଯ୍ୟନ୍ତ ମାମଲା ଆରମ୍ଭ ହୋଇନାହିଁ। ୨୦୧୨ ଅଗଷ୍ଟ ୨୨ ଅପରାହ୍ନରେ ପଞ୍ଚୁଆତି ଜାଗା ନିକଟରେ ପୂର୍ବତନ ପୌର ସଦସ୍ୟ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଗୁନ ସିଂହାରୀ ଓରଫ ତଳୁଚ୍ଛ ଭଗବାନ ମହାପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପଞ୍ଚୁଆତି ଜାଗାରେ ତାସ୍‌ ଖେଳ ଦେଖି ବାରଣ୍ଡା ତଳକୁ ଆସିଥିବା ବେଳେ ଗୁନଙ୍କୁ ଗୁଳି କରାଯାଇଥିଲା। ସେ ସମୟରେ ଗୁଳି କରିଥିବା ଅଭିଯୁକ୍ତଙ୍କ ‘ନନା ନେ ଦାନା’ ବୋଲି ବେଶ ଚର୍ଚ୍ଚାକୁ ଆସିଥିଲା। ଏନେଇ ଗୁନଙ୍କ ଭାଇ ତଳୁଚ୍ଛ ନିତ୍ୟାନନ୍ଦ ମହାପାତ୍ର ଟାଉନ ଥାନାରେ ଅଭିଯୋଗ କରିବାରୁ ସେ ସମୟରେ ଟାଉନ ଥାନା ଇନ୍‌ସ୍ପେକ୍ଟର ବିଜୟାନନ୍ଦ ମହାନ୍ତି ମାମଲା ରୁଜୁ କରି ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଢୋକ ଆପଟ ସହ ଅନ୍ୟ ଅଭିଯୁକ୍ତ ହରିହର ସୁବୁଦ୍ଧି, ତିଲୁ ସୁବୁଦ୍ଧି, ଭୀମ ସୁବୁଦ୍ଧି, ପପୁ ମହାନ୍ତିକୁ ଗିରଫ କରିଥିଲେ। ଅଭିଯୁକ୍ତମାନଙ୍କୁ ସୁପାରୀ ଦେଇଥିବା କାଳିଆ ଓରଫ କୃଷ୍ଣଚନ୍ଦ୍ର ପଢ଼ିଆରୀକୁ ପୁଲିସ କୋରାପୁଟରୁ ଗିରଫ କରିଥିଲା। ଏହି ଛଅ ଜଣ ଅଭିଯୁକ୍ତଙ୍କୁ ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ସାକ୍ଷ୍ୟପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ତଦନ୍ତ ବେଳେ ପୁଲିସ କହିଥିଲା ଯେ ଗୁନକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା କାଳିଆ ସହିତ ଗୁନର ଜମି ବିବାଦ ରହିଥିଲା। ପେଣ୍ଠକଟାରେ ଥିବା ଦରିଆ ମହାବୀର(ବେଡ଼ି ହନୁମାନ)କୁ ୫ ବର୍ଷ ପାଇଁ କାଳିଆ ନିଲାମ ନେଇଥିବା ବେଳେ ଗୁନ ସେଠାରେ ହସ୍ତକ୍ଷେପ କରି ତା’ର ରୋଜଗାରରେ ବାଧା ସୃଷ୍ଟି କରିଥିଲା। ସେହିପରି ଶଙ୍କରେଶ୍ବର ମନ୍ଦିର ନିକଟରେ ଥିବା ଏକ ଚାରି ଏକର ଜମିକୁ କାଳିଆ କିଣିଥିବା ବେଳେ ଏହାକୁ ଦଖଲ ନେବାରେ ଗୁନ ବାଧା ସୃଷ୍ଟି କରିଥିଲା। ତେଣୁ ଗୁନ ଉପରେ କାଳିଆ ଅସନ୍ତୁଷ୍ଟ ହୋଇ ରାସ୍ତାରୁ ହଟାଇବାକୁ ଚିନ୍ତା କରିଥିଲା। ଏହି ସମୟରେ କାଳିଆ ମନରେ ଜଳୁଥିବା ନିଆଁରେ ପୁରୀର ଜଣେ ନାମୀଦାମୀ ସେବାୟତ ଘିଅ ଢ଼ାଳିଥିଲା। ଗୁନକୁ ରାସ୍ତାରୁ ହଟାଇବା ପାଇଁ ସେ ସମ୍ପୁର୍ଣ୍ଣ ସହାୟତା ପୂର୍ବକ କାଳିଆକୁ ଏକ ବନ୍ଧୁକ ଓ ଆର୍ଥିକ ସହାୟତାର ପ୍ରତିଶ୍ରୁତି ଦେଇଥିଲା। ଏହି ନାମୀଦାମୀ ସେବାୟତଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ କାଳିଆ ଗୁନକୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲା। ତେଣୁ ସେ ସୁପାରୀ ଦେଇ ଗୁନକୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲା।

ସେ ପ୍ରଥମେ ଢୋକକୁ ମୋହରା କରିଥିଲା। ଢୋକର ଭାଇକୁ ଗୁନ ନିସ୍ତୁକ ମାଡ଼ ମାରି ରକ୍ତାକ୍ତ କରି ଦେଇଥିବାରୁ ଗୁନ ଉପରେ ତା’ର ରାଗ ରହିଥିଲା। ତେଣୁ ଗୁନକୁ ହତ୍ୟା କରିବା ପାଇଁ ଢୋକକୁ ଡକାଇ କାଳିଆ ମାରିବାକୁ ନିର୍ଦ୍ଦେଶ ଦେଇଥିଲା। ଢୋକ ଏଥିପାଇଁ ହରି, ତିଲୁ, ଭୀମ ଓ ପପୁକୁ ନେଇ ଏକ ଟିମ୍‌ ଗଠନ କରିଥିଲା। ଗୁନକୁ ହତ୍ୟା କରିବା ପାଇଁ ସୁପାରୀ ବାବଦରେ ଦେଢ଼ ଲକ୍ଷ ଟଙ୍କା ନେବା ପାଇଁ ସ୍ଥିର ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ୭ରୁ ୮ ଲକ୍ଷ ଟଙ୍କା ନେବା ପାଇଁ ଦାବି କରିଥିଲେ। ସୁପାରୀ ଟଙ୍କା ଛିଡ଼ିବା ପରେ ଯୋଜନା ମୁତାବକ ଗତ ୨୦୧୨ ଅଗଷ୍ଟ ୨୨ ରେ ସେମାନେ ଗୁନକୁ ଗୁଳି କରି ହତ୍ୟା କରିଥିଲେ ବୋଲି ପୁଲିସ ସେତେବେଳେ ଗପ ଶୁଣାଇଥିଲା।। କିନ୍ତୁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଶ୍ରୀ ମହାନ୍ତି ଦୀର୍ଘ ଦିନ ଧରି କୋର୍ଟରେ ହାଜର ହେଉନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି ହୋଇଥିଲା।

ତେବେ ୪୧ ଜଣ ସାକ୍ଷୀମାନଙ୍କ ମଧ୍ୟରୁ ୩୬ ଜଣ ସାକ୍ଷୀମାନଙ୍କ ବୟାନକୁ ଶୁଣିବା ପରେ ଆଜି ଏହି ମାମଲାରେ ପୁଲିସ ଗିରଫ କରିଥିବା ୬ ଜଣ ଅଭିଯୁକ୍ତଙ୍କୁ ବିନା ଦୋଷରେ ଖଲାସ କରିଛନ୍ତି ବୋଲି ଆଇନଜୀବୀ ପ୍ରଶାନ୍ତ ମିଶ୍ର କହିଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସତ୍ୟନାରାୟଣ ତ୍ରିପାଠୀ ମାମଲା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତମାନଙ୍କ ପକ୍ଷରୁ ଶ୍ରୀ ମିଶ୍ର ଓ ବିଶ୍ବଜିତ ଷଡ଼ଙ୍ଗୀଙ୍କ ସମେତ ବିନବିହାରୀ ନାୟକ, ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ମାମଲା ଲଢ଼ୁଥିଲେ। ତେବେଏପରି ଏକ ହାଇ ପ୍ରୋଫାଇଲ୍‌ ହତୃାକାଣ୍ଡ ନେଇ ପୁଲିସ ତଦନ୍ତରେ ଶିଥିଳତା ନେଇ ଏବେ ପ୍ରଶ୍ନ ଉଠିଛି। ତଦନ୍ତକାରୀ ଅଧିକାରୀ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଏହି ହତ୍ୟାକାଣ୍ଡ ନେଇ ତଦନ୍ତ ପୁଲିସର ଅପାରଗତାକୁ ପଦାରେ ପକାଇଦେଇଛି। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପୁଲିସ ମନଗଢ଼ା କାହାଣୀ ପ୍ରସ୍ତୁତ କରିଥିଲା ନାଁ ପ୍ରକୃତରେ ତଦନ୍ତ ଦିଗଭ୍ରଷ୍ଟ କରାଯାଇଛି, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର