ରାୟଗଡ଼ା: ରାୟଗଡ଼ା, ଗୁଡାରିରେ ବିଜେଡି ବାଜିମାତ କଲା। ଗୁଣପୁରରେ କିନ୍ତୁ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡିଲା। ବିରୋଧୀ କଂଗ୍ରେସ କି ବିଜେପି ନୁହେଁ ସ୍ବାଧୀନ ପୌରାଧ୍ୟକ୍ଷା ପ୍ରାର୍ଥିନୀ ବିଜେଡିକୁ ଚ୍ୟାଲେଞ୍ଜ ଦେଇ ବିପୁଳ ଭୋଟରେ ବିଜୟୀ ହେବା ବିଜେଡି ଶିବିରକୁ ସ୍ତବ୍ଧ କରି ଦେଇଛି। ପଞ୍ଚାୟତ ନିର୍ବାଚନରେ ଗୁଣପୁର ବ୍ଲକ୍ ଏବଂ ଦୁଇ ଜିଲ୍ଲା ପରିଷଦ ଜୋନକୁ ବି‌ରୋଧୀ ବିଜେଡି ହାତରୁ ଛଡ଼ାଇ ନେଇଥିଲେ। ଏବେ ପୌର ପରିଷଦକୁ ଦଖଲ କରିବା ପରେ ବିଜେଡି ହାତରୁ ଗୁଣପୁର ନିର୍ବାଚନ ମଣ୍ଡଳୀ ଖସୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

Advertisment

ଚଳିତ ପୌର ନିର୍ବାଚନରେ ଚର୍ଚ୍ଚାରେ ରହିଥିଲା ଗୁଣପୁର। ବିଜେଡି ଟିକେଟରେ ଗୁଣପୁର ପୌର ପରିଷଦରୁ ଅଧ୍ୟକ୍ଷା ପ୍ରାର୍ଥିନୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସଂଯୁକ୍ତା ସାହୁ। ସଂଯୁକ୍ତା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶଙ୍କ ଭଉଣୀ ହୋଇଥିବାରୁ ବିଜେଡିକୁ ବିଜୟୀ କରିବା ସୁଧୀରଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା। ହେଲେ ବିଜେଡି ପାଇଁ କାଳ ସାଜିଲେ ପୂର୍ବରୁ ବିଜେଡି ଟିକେଟରେ ଗୁଣପୁର ପୌର ପରିଷଦରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସାନ ଗୌଡ଼। ଦଳୀୟ ନେତାଙ୍କ ସହ ବିଦ୍ରୋହ କରି ସାନ ଗୌଡ଼ ୨୦୧୯ ନିର୍ବାଚନ ସମୟରେ ଦଳରୁ ବିଦା ହେବା ପରେ ପ୍ରତିଷୋଧ ପରାୟଣ ହୋଇ ସୁଯୋଗକୁ ଅପେକ୍ଷା କରିଥିଲେ। ସାଧାରଣ ନିର୍ବାଚନରେ ଗୁଣପୁର ବିଧାନସଭା ଆସନରେ ତ୍ରିନାଥ ଗମାଙ୍ଗଙ୍କୁ ସ୍ବାଧୀନ ପ୍ରାର୍ଥୀ କରି ୨୮ ହଜାର ଭୋଟ ନେଇଥିଲେ।

ଏଇଠୁ ହିଁ ଆରମ୍ଭ ହୋଇଥିଲା ବିଜେଡି ବି‌ରୋଧୀ ଅଭିଯାନ। ଯାହାର ଫଳ ବିଜେଡିକୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ଭ‌ୋଗିବାକୁ ପଡିଛି। ପଞ୍ଚାୟତ ନିର୍ବାଚନରେ ଗୁଣପୁର ବ୍ଲକର ୧୯ ପଞ୍ଚାୟତରୁ ୧୫ଟିରେ ସ୍ବାଧୀନ ସମର୍ଥିତ ସମିତିସଭ୍ୟା ପ୍ରାର୍ଥୀ ବିଜୟୀ ହୋଇଥିଲେ। ଯେଉଁଥି ପାଇଁ ବିଜେଡି ହାତରୁ ଖସିଥିଲା ଗୁଣପୁର ବ୍ଲକ୍। ସାନ ଗୌଡ଼ଙ୍କ ଗୋଟି ଚାଳନାରେ  ଡମ୍ବସରା ପଞ୍ଚାୟତ ସମିତିସଭ୍ୟା ଝିଲି ଶବର ଗୁଣପୁର ବ୍ଲକର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ ଗୁଣପୁରର ଦୁଇ ଜୋନରେ ବିଜେଡିକୁ ଝଟକା ଲାଗିଥିଲା। ଗୁଣପୁର କ ଜୋନରେ ବିଜେଡିର ତୁଙ୍ଗ ନେତା ଅଶ୍ବିନୀ ଗମାଙ୍ଗ, ଖ ଜୋନରେ ରଶ୍ମିରେଖା ଶତପଥୀଙ୍କୁ ହରାଇ ଦୁଇ ଜେନାକୁ ପୋଛି ନେଇଥିଲା କଂଗ୍ରେସ।

ବ୍ଲକ୍, ଜିଲ୍ଲା ପରିଷଦ ପରେ ପୌର ପରିଷଦକୁ ବି ହାତେଇଲେ ବିରୋଧୀ

୪୩୯୮ ଭୋଟ ବ୍ୟବଧାନରେ ବିଜୟୀ ହେଲେ ମମତା ଗୌଡ଼

୧୯ରୁ ୧୧ ୱାର୍ଡରେ ବି ସ୍ବାଧୀନ କାଉନସିଲର ପ୍ରାର୍ଥୀଙ୍କ ବାଜିମାତ୍

ଗୁଣପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ରାମନାଗୁଡା ବ୍ଲକ୍ ମଧ୍ୟ ବିଜେଡି ହାତରୁ ଖସି କଂଗ୍ରେସ ଖାତାକୁ ଯାଇଛି। ବ୍ଲକର ଦୁଇ ଜିଲ୍ଲା ପରିଷଦ ଜୋନରୁ କ ଜୋନରେ ବିଜେଡିର ତୁଙ୍ଗ ନେତା ଗଗନ ଆଚାର୍ଯ୍ୟଙ୍କୁ ହରାଇ କଂଗ୍ରେସର ତାଙ୍ଗୁଡୁ ଶ୍ରୀଧର ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ପଦ୍ମପୁର ବ୍ଲକ୍ ଦଖଲରେ ମଧ୍ୟ ବିଜେଡିକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା। ବିରୋଧୀଙ୍କ ଯୋଜନାକୁ ଭଣ୍ଡୁର କରିବା ପାଇଁ ଶେଷରେ ଦଳ ବିରୋଧୀ ଶିବିରରେ ଥିବା ସମିତିସଭ୍ୟା ପ୍ରାର୍ଥିୀଙ୍କୁ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଥିଲା।

ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ନ ସରୁଣୁ ସରକାର ପୌର ନିର୍ବାଚନ ଘୋଷଣା କରିବା ପରେ ସମସ୍ତଙ୍କ ନଜର ଗୁଣପୁର ପୌର ପରିଷଦ ଉପରେ ଥିଲା। ମହିଳାଙ୍କ ସଂରକ୍ଷଣ ଥିବା ଗୁଣପୁର ପୌରାଧ୍ୟକ୍ଷା ପଦବି ଲାଗି ବିଜେଡିରୁ ସଂଯୁକ୍ତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ ସ୍ବାଧୀନ ଅଧ୍ୟକ୍ଷା ପ୍ରାର୍ଥନୀ ଭାବେ ନିର୍ବାଚନ ଲଢ଼ିଥିଲେ ସାନ ଗୌଡ଼ଙ୍କ ସ୍ତ୍ରୀ ମମତା ଗୌଡ଼। ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଁ ମୁଣ୍ଡବ୍ୟଥା ପାଲଟିଥିବା ସାନ ଗୌଡ଼ଙ୍କୁ ନେଇ ପୌର ନିର୍ବାଚନରେ ଦଳ ଚିନ୍ତାରେ ପଡିଥିଲା। ନିର୍ବାଚନ ବୈତରଣୀ ପାର ପାଇଁ ବିଜେଡି ବହୁ ଷ୍ଟ୍ରାଟେଜି ଆପଣାଇବା ସତ୍ତ୍ବେ ପରାଜିତ ହୋଇଛି। ସ୍ୱାଧୀନ ପ୍ରାର୍ଥିନୀ ମମତା ଗୌଡ଼ ୪୩୯୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ମମତାଙ୍କୁ ୯୫୩୬ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥିନୀ ସଂଯୁକ୍ତା ସାହୁଙ୍କୁ ୫୧୩୮ ଖଣ୍ଡ ଭୋଟ ମିଳିଛି। ପୌରାଧ୍ୟକ୍ଷା ପଦବି ସହ ଗୁଣପୁରର ୧୯ଟି ୱାର୍ଡରୁ ୧୧ଟି ୱାର୍ଡରେ ସ୍ବାଧୀନ କାଉନସିଲର ପ୍ରାର୍ଥୀ ବାଜିମାତ୍ କରିଛନ୍ତି। ସାନ ଗୌଡ଼ ନିଜେ ୬ ନଂ ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହେବା ବିଜେଡି ପାଇଁ ଚ୍ୟାଲେଞ୍ଜ ସଦୃଶ୍ୟ ହୋଇଛି।