ରାୟଗଡ଼ା: ଏମ୍.ଗଣେଶ ରାଓ। ବୟସ ପାଖାପାଖି ୬୫ ହେବ। ଗଣେଶ ଦିବ୍ୟାଙ୍ଗ ଅଟନ୍ତି। ତାଂକର ଆଖିକୁ ସ୍ବଳ୍ପ ଦେଖାଯାଏ। ଆଖି ଦିଶୁନଥିବାରୁ ସେ ବହୁ କଷ୍ଟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି। ତେବେ ରାୟଗଡା ବସ୍ଷ୍ଟାଣ୍ଡରେ ନିଜର ଜୀବନ କଟାଇ ଦେଇଛନ୍ତି। ସେଠାରେ ହିଁ ସେ ରୋଜଗାରର ପନ୍ଥା ବାଛି ନେଇଛନ୍ତି। ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ସେ ବସଷ୍ଟାଣ୍ଡରେ ରହି ବିଭିନ୍ନ ସ୍ଥାନକୁ ଯାଉଥିବା ବସଗୁଡିକର ଯାତ୍ରୀଙ୍କୁ ଡାକ ପକାଇଥାନ୍ତି। କାଶୀପୁର ଯାଉଥିବା ବସ ଆସିଲେ ଯାତ୍ରୀଙ୍କୁ ଡାକ ଛାଡି କାଶୀପୁର ଯିବାକୁ ଅନୁରୋଧ କରନ୍ତି।
ସେହିପରି ଗୁଣୁପୁର, କେସିଂହପୁର, ପଦ୍ମପରୁ ଇତ୍ୟାଦି ସ୍ଥାନକୁ ଯାଉଥିବା ଗାଡ଼ି ବସଷ୍ଟାଣ୍ଡରେ ପହଞ୍ଚିଲେ ସେହି ଗାଡି ନିକଟକୁ ଯାଇ ଯାତ୍ରୀମାନଙ୍କୁ ଏହି ଗ୍ରାମକୁ ଯାଉଥିବା ଗାଡି ସଂପର୍କରେ ସୂଚନା ଦେବା ସହ ଡାକ ଛାଡି ଥାନ୍ତି। ତେବେ ଗୋଟିଏଗୋଟିଏ ଗାଡି ତାଂକୁ ମାତ୍ର ୧୦ ଟଂକା ଦେଇଥାନ୍ତି। ଦିନସାରା ଡାକ ଛାଡିରେ ୧୫୦ ରୁ ୨୦୦ ଟଂକା ରୋଜଗାର କରନ୍ତି। ନିଜର ବୋଲି କେହି ନାହାନ୍ତି। ପ୍ରାୟ ଦଶ ବର୍ଷ ତଳେ ଅଜଣା ରୋଗରେ ପତ୍ନୀର ଦେହାନ୍ତ ହୋଇଗଲା। ପୁଅ, ଝିଅ ନଥିବାରୁ ସେ ଏକାକୀ ରହୁଛନ୍ତି। ତେବେ ଗତ କିଛି ଦିନ ହେଲା ଜଣେ ଅସହାୟ ମହିଳା ତାଂକୁ ସହଯୋଗ କରୁଥିବା କହନ୍ତି।
ଗଣେଶଙ୍କ ଘର ଆନ୍ଧ୍ରପ୍ରଦେଶର ଶ୍ରୀକୁଲମ ଠାରେ। ପ୍ରାୟ ୪୦ ବର୍ଷ ତଳେ ସେ ରାୟଗଡାକୁ ଆସି ବସବାସ କଲେ। ନିଜର ବୋଲି ଘର ନାହିଁ। ଏକ ଭଡ଼ା କୁଡ଼ିଆ ଘରେ ଆଶ୍ରୟ ନେଇଛନ୍ତି। ସରକାରଙ୍କ ତରଫରୁ ସେ ଭତ୍ତା ପାଉଥିବା କହନ୍ତି। ତେବେ ସେ ଦିବ୍ୟାଙ୍ଗ ହୋଇଥିବାରୁ ତାଂକୁ ଜଣେ ଦିବ୍ୟାଙ୍ଗ ଝିଅକୁ ବାହା ହେବାକୁ କିଛି ଲୋକ ପ୍ରବର୍ତ୍ତାଇଥିଲେ। ତେବେ ଶ୍ରୀକୁଲମରେ ସେ ଜଣେ ଦିବ୍ୟାଙ୍ଗ ଝିଅକୁ ବାହା ହୋଇଥିବା ସ୍ବୀକାର କରନ୍ତି। ତେବେ ସେ ତାଂକ ନିକଟକୁ କେବେ ଯାଆନ୍ତି ନାହିଁ। କେବଳ ମାସକରେ ଥରେ ଟଂକା ପଠାଇ ଦେଇଥାନ୍ତି ବୋଲି ଗଣେଶ କହନ୍ତି। ବସଷ୍ଟାଣ୍ଡରେ ଅଣ୍ଡାଳି ଅଣ୍ଡାଳୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି। ସେ ବସଷ୍ଟାଣ୍ଡକୁ ସଂପୂର୍ଣ୍ଣ ରୂପେ ପରିଚିତ ହୋଇଥିବାରୁ ତାଂକୁ କଷ୍ଟ ହେଉନଥିବା ଦେଖିବାକୁ ମିଳେ। ସେ ଦିବ୍ୟାଙ୍ଗ ହେଲେ ମଧ୍ୟ ଭିକ ନମାଗି ଦିନ ସାରା ଗ୍ରୀଷ୍ଣର ପ୍ରଖର ତାତିରେ ବସଷ୍ଟାଣ୍ଡରେ କାମ କରୁଥିବା ଦେଖିବାକୁ ମିଳେ। ସେ ପିଲାଟି ଦିନରୁ ସ୍ବାଭିମାନୀ। କାମ କରି ପେଟ ପୋଷିବେ ସିନା ଭିକ ମାଗିବେ ନାହିଁ ବୋଲି ଯୁକ୍ତି ବାଢ଼ନ୍ତି। ଦିନସାରା ପରିଶ୍ରମ କରି ରାତିରେ ସେ ଆରମାରେ ଶୋଇପଡୁଥିବା କହନ୍ତି। ପୁଣି ଭୋର ସକାଳୁ ବସଷ୍ଟାଣ୍ଡକୁ ଚାଲି ଆସନ୍ତି। ଜଣେ ଅସହାୟ ମହିଳା ତାଂକୁ ବସଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ନେବା ଆଣିବାରେ ସହଯୋଗ କରୁଥିବା ଦେଖିବାକୁ ମିଳେ। ଦିବ୍ୟାଙ୍ଗ ଗଣେଶ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।