ଭୁବନେଶ୍ବର: ରାଜ୍ୟର ଏକ ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ‘ଗୁପ୍ତା ପାୱାର ଇନ୍ଫ୍ରାଷ୍ଟ୍ରକଚର୍’ର ଅଡ଼ୁଆ ବଢ଼ିବାରେ ଲାଗିଛି। ଦେଶର ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପିଏନ୍ବି ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ଠାରୁ କମ୍ପାନି ନେଇଥିବା ଋଣ ଠକେଇ ବର୍ଗୀକରଣ ହୋଇଥିବା ସୂଚନା ମିଳିଛି। ଏ ସଂପର୍କରେ ଉଭୟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପୃଥକ୍ ପୃଥକ୍ ଭାବେ ସୂଚନା ଦେଇଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କମ୍ପାନି ବିରୋଧରେ ୨୭୦ କୋଟି ଟଙ୍କା ପରିଶୋଧ କରି ନ ଥିବା ଅଭିଯୋଗ ଆଣିଥିବାବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୨୬ କୋଟି ଟଙ୍କା ଶୁଝା ଯାଇ ନଥିବା କହିଛି। ସୂଚନା ଅନୁସାରେ କମ୍ପାନି ବିଭିନ୍ନ ବ୍ୟାଙ୍କକୁ ନେଇ ଗଠିତ କନସୋର୍ଟିୟମ୍ଠାରୁ ୨୯୦୦ କୋଟି ଟଙ୍କାର ଋଣ ନେଇଥିଲା। ଗତବର୍ଷ ସେପ୍ଟେମ୍ବରରେ ତାହା ଅନାଦାୟ ଋଣ (ଏନ୍ପିଏ)ରେ ପରିଣତ ହୋଇଥିଲା। ଏହାର କିଛିମାସ ପରେ ପିଏନ୍ବି ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ କମ୍ପାନି ନେଇଥିବା ଋଣକୁ ଠକେଇ ବର୍ଗରେ ସାମିଲ କରିଛନ୍ତି।
କମ୍ପାନି ଋଣ ପରିଶୋଧ କରି ପାରୁ ନଥିବାରୁ ତାହା ବିରୋଧରେ ନ୍ୟାସନାଲ କମ୍ପାନି ଲ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଟି)ରେ ଆବଦେନ କରାଯାଇଛି। ଚଳିତମାସ ଶେଷ ସୁଦ୍ଧା ଏହି ମାମଲାର ବିଚାର ହେବା ଆଶା କରାଯାଉଛି। ଋଣ ମାମଲାରେ ଜବତ କରାଯାଇଥିବା ବିଭିନ୍ନ ସମ୍ପତ୍ତିକୁ ନିଲାମ କରିବା ପାଇଁ ଜାନୁଆରିରେ କାନାରା ବ୍ୟାଙ୍କ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଥିଲା। ସେହି ବିଜ୍ଞାପନ ମୁତାବକ ଋଣ ନେବା ବେଳେ କମ୍ପାନିର ପରିଚାଳନା ନିର୍ଦେଶକ ମହେନ୍ଦ୍ର କୁମାର ଗୁପ୍ତା, ଅଭିଷେକ ଗୁପ୍ତା, ଜିତେନ୍ଦ୍ର ମୋହନ ଗୁପ୍ତା, କିରଣଦେବୀ ଗୁପ୍ତା ଓ ବିନୀତ ମୋହନ ଗୁପ୍ତା ଓ ମନମୋହନ ଗୁପ୍ତା ଗ୍ୟାରେଣ୍ଟର ଥିଲେ। କାନାରା ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଓ ଆଇଡିବିଆଇ ବ୍ୟାଙ୍କଠାରୁ କମ୍ପାନି ଏହି ଋଣ ନେଇଥିଲା। ଋଣ ରାଶି ଅସୁଲ କରିବା ଲାଗି କମ୍ପାନିର ବିଭିନ୍ନ ସମ୍ପତ୍ତିକୁ ବିକ୍ରି କରିବା ଲାଗି ଉଦ୍ୟମ କରାଯାଉଛି।
କାନାରା ବ୍ୟାଙ୍କର ଇ-ନିଲାମ ବିକ୍ରି ନୋଟିସ୍ ଅନୁସାରେ ପଶ୍ଚିମବଙ୍ଗର ରାଜରହାଟ ଅଞ୍ଚଳରେ ଥିବା ଫ୍ଲାଟ୍, କୋଲକାତାରେ ଏକ ବହୁତଳ ବାଣିଜ୍ୟିକ କୋଠା ଓ ନୂଆ କୋଲକାତା ଟାଉନ୍ରେ ଥିବା ସମ୍ପତ୍ତିକୁ ବିକ୍ରି କରିବା ଲାଗି ବିଜ୍ଞାପନ ଦିଆଯାଇଥିଲା। କାନାରା ବ୍ୟାଙ୍କର ଭୁବନେଶ୍ବରର ଲକ୍ଷ୍ମୀ ସାଗରରେ ଥିବା ସ୍ପେସିଆଲାଇଜଡ୍ ଲାର୍ଜ କର୍ପୋରେଟ୍ ଶାଖା ପକ୍ଷରୁ ସମ୍ପତ୍ତିଗୁଡ଼ିକୁ ନିଲାମ କରାଯାଉଛି। ଏହାବ୍ୟତୀତ କଟକର ଆଠଗଡ଼ରେ ଥିବା ଜମି, ଟାଙ୍ଗିରେ ଥିବା ସମ୍ପତ୍ତି, ଖୋର୍ଦ୍ଧାର ବ୍ରହ୍ମପୁରାରେ ଥିବା ସମ୍ପତ୍ତି, ପୁରୀର ଶଙ୍କରପୁରରେ ଥିବା ସମ୍ପତ୍ତି, ଲକ୍ଷ୍ମୀସାଗରରେ ଥିବା ସମ୍ପତ୍ତି, ପୁରୀର ସିପସରୁବାଲିରେ ଥିବା ସମ୍ପତ୍ତି ଓ ସତ୍ୟବାଦୀରେ ଥିବା ସମ୍ପତ୍ତିକୁ ନିଲାମ କରିବା ଲାଗି କାନାରା ବ୍ୟାଙ୍କ ଉଦ୍ୟମ କରୁଛି। ଏହି ମାମଲାରେ ଗୁପ୍ତା ପାୱାର ଇନ୍ଫ୍ରାଷ୍ଟ୍ରକଚର୍ର ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ମିଳିନାହିଁ।