ଭୁବନେଶ୍ବର: ଉତ୍ତରାଖଣ୍ଡର ଉତ୍ତରକାଶୀ ଜଗନ୍ନାଥ ମନ୍ଦିରରୁ ଭାବବିହ୍ୱଳ କଲାଭଳି ଦୃଶ୍ୟ ଆସିଛି। ଓଡ଼ିଶାବାସୀ ତଥା ବିଶ୍ଵର ଜଗନ୍ନାଥ ଭକ୍ତଙ୍କ ମଙ୍ଗଳ ପାଇଁ ଉତ୍ତରାକାଶୀର ଗୁପ୍ତ ଶ୍ରୀକ୍ଷେତ୍ରବାସୀ ପ୍ରାର୍ଥନା କରିଛନ୍ତି। ସାଲ୍ଡଗ୍ରାମର ଭକ୍ତମାନେ ଦୀପ ଜାଳି ପୂଜାର୍ଚ୍ଚନା କରିଛନ୍ତି।
ଉତ୍ତରକାଶୀର ସାଲ୍ଡଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରକୁ ନେଇ କିଛି ଦିନ ଦେବ ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଯେଉଁଭଳି ଚର୍ଚ୍ଚା ଓ ଆଲୋଚନା ତାହା ମନ୍ଦିର ପାଇଁ ଅନେକ ଶୁଭ ଖବର ଆଣିଦେଇଛି। କେହି କେବେ ଚିହ୍ନି ନଥିବା ଗାଁ ବିଷୟରେ ଆଜି ମହାପ୍ରଭୁଙ୍କ ପ୍ରାଚୀନ ମନ୍ଦିରର ଖୋଜ୍ ପାଇଁ ସବୁଠି ଚର୍ଚ୍ଚା ଧରିଛି। ଏହି କଥାରେ ସ୍ଥାନୀୟ ପାହାଡ଼ି ନିରୀହ ଗ୍ରାମବାସୀଙ୍କ ମନରେ ଅନେକ ଆନନ୍ଦ ଓ ଉତ୍ସାହ ଆଣିଛି। ସେଇ ଖୁସିରେ ଗ୍ରାମବାସୀ ଏକାଠି ହୋଇ ଓଡ଼ିଶାବାସୀ ଓ ବିଶ୍ଵର କୋଣେ ଅନୁକୋଣେ ଥିବା ଜଗନ୍ନାଥ ଭକ୍ତଙ୍କୁ ତାଙ୍କ ଶୁଭକାମନା ପାଇଁ ଧନ୍ୟବାଦ୍ ଦେବାସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ସବ୍ୟସାଚୀ-ଅର୍ଚ୍ଚିତା ଓ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଠାରୁ ମନ୍ଦିର ବିଷୟରେ ଜାଣିଲା ପରେ, ଉନ୍ନୟନ ନିମନ୍ତେ କରିଥିବା ଘୋଷଣା ପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଦେବାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର, ସ୍ଥାନୀୟ ବିଧାୟକ, ସ୍ଥାନୀୟ ସାଂସଦ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ଚେଷ୍ଟାକୁ ମଧ୍ୟ ସାଧୁବାଦ୍ ଜଣାଇଛନ୍ତି ଓ ସମସ୍ତଙ୍କ ମଙ୍ଗଳ ପାଇଁ ନିଜ କୂଳ ଦେବତା ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ଗ୍ରାମର ବୟସ୍କ ବ୍ୟକ୍ତିମାନେ ଏହି ଭଳି ଏକ ଦିନକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ବେଳେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଚେଷ୍ଟା ରାତାରାତି ଏମିତି ପ୍ରଭାବକୁ ପ୍ରଭୁଙ୍କ ଆଶୀର୍ବାଦ ବୋଲି କହିଛନ୍ତି। ସେହିପରି ସେମାନେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ନିଜ ଗ୍ରାମର ଝିଅ ଓ ଜ୍ବାଇଁର ଆଖ୍ୟା ଦେବାସହ ଆଶୀର୍ବାଦ ଦେଇଛନ୍ତି।