ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତନୀତି, ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ

ଆଜି ଶ୍ରୀନଅରକୁ ରାଜପ୍ରସାଦ ବିଜେ, ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଜଣାଇବେ ସେବକ

ପୁରୀ : ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା। ଗତକାଲି ମହାପ୍ରଭୁ ଚକା ବିଜେ କରିବା ପରେ ଆଜି ଅଣସର ନୀତି ଚକା ଉପରେ ସମ୍ପନ୍ନ ହୋଇଛି। ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଯାଇଛି। ଚକା ଉପରେ ବିଜେ ଅବସ୍ଥାରେ ମହାପ୍ରଭୁ ରକ୍ତବସ୍ତ୍ର(ଗାଢ଼ ନାଲି ରଙ୍ଗ) ପରିଧାନ କରିଛନ୍ତି। ଗତକାଲି ଶ୍ରୀମନ୍ଦିରକୁ ବିଜେ ହୋଇଥିବା ଦଶମୂଳ ମହୌଷଧୀ ଆଜି ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଆଜି ବିଳମ୍ୱିତ ରାତିରେ ଏସବୁ ନୀତି ସମ୍ପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ଅନୁଭବ କରୁଛନ୍ତି। ବରିଷ୍ଠ ଦଇତାପତି ବିଶ୍ୱାବସୁ ବିନାୟକ ଦାସମହାପାତ୍ରଙ୍କ ସୂଚନା ମୁତାବକ, ଆଜି ପ୍ରଥମେ ପଟିଦିଅଁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପଟିଦଅଁଙ୍କ ନିକଟରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ପରେ ଅଣସର ଦ୍ୱାର ଫିଟା ଯାଇଥିଲା। ଏହି ସମୟରେ ଦଇତାପତି ସେବକମାନେ ଅଣସର ଘରେ ଥିବା ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ସଂପନ୍ନ କରିଥିଲେ। ପୁନର୍ବାର ଆସନ୍ତା ବର୍ଷକୁ ଅଣସର ସମୟରେ ମହାପ୍ରଭୁଙ୍କ ଏହି ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହେବ। ଅଣସର ପିଣ୍ଡିକୁ ଯିବା ଦିନଠାରୁ ଶ୍ରୀଜିଉମାନେ ଧଳାଫୁଲରେ ପୂଜା ପାଉଥିବାବେଳେ ଆଜି ପ୍ରଥମ କରି ମହାପ୍ରଭୁଙ୍କ ପସନ୍ଦର ତୁଳସୀ ଲାଗି କରାଯାଇଥିଲା।

ଆଜି ଶ୍ରୀନଅରକୁ ରାଜପ୍ରସାଦ ବିଜେ, ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଜଣାଇବେ ସେବକ
ପୁରୀ : ଅଣସର ସେବାର ଅନ୍ୟତମ ପ୍ରମୁଖ ନୀତି ‘ରାଜପ୍ରସାଦ ବିଜେ’ ମଙ୍ଗଳବାର ଅନୁଷ୍ଠିତ ହବାକୁ ଯାଇଛି। ଦଇତାପତି ସେବକ, ପତିମହାପାତ୍ର ସେବକ, ଖୁଣ୍ଟିଆ, ମେକାପ, ଦେଉଳକରଣ, ତଢ଼ଉକରଣ ପ୍ରମୁଖ ଶୋଭାଯାତ୍ରାରେ ରାଜପ୍ରସାଦ ନେଇ ଶ୍ରୀନଅରକୁ ଯିବେ। ସେଠାରେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ କରାଇବେ। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି ଯେ ଆସନ୍ତାକାଲି ସକାଳ ୮ଟା ସୁଦ୍ଧା ମହାପ୍ରଭୁଙ୍କ ଗୁପ୍ତନୀତି ସରିବା ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ‘ରାଜପ୍ରସାଦ’କୁ ଶ୍ରୀନିଅରକୁ ନେବେ। ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଅବଗତ କରାଇବେ। ରଥଯାତ୍ରା ଓ ଗୁପ୍ତନୀତି ସମ୍ପର୍କରେ ଅବଗତ କରିବେ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର